ଆଜି ଏହି ସବୁ ଜିଲ୍ଲାରେ ହେବ ବର୍ଷା ସହ ଘଡ଼ଘଡ଼ି, ସତର୍କ ଜାରି

ଭୁବନେଶ୍ୱର ୮।୧୦: ଦୁର୍ଗା ପୂଜା ପାଇଁ ଦୁଲୁକୁଛି ଓଡ଼ିଶା । ହେଲେ ପାଣିପାଗ ପୂର୍ବାନୁମାନ ଅନୁସାରେ ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ବିଶେଷକରି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସେଥିପାଇଁ ଦିନ ୧୨ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି। କୋରାପୁଟ, ଗଞ୍ଜାମ, ଗଜପତି, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ସମ୍ଭାବନା ଅଛି ।

୯ ତାରିଖରେ ଭସାଣୀ କାର୍ଯ୍ୟକ୍ରମ ରହୁଥିବାବେଳେ ସେଦିନ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବ । ବିଶେଷ କରି ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ବରଗଡ଼, ବଲାଙ୍ଗିରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୧ ତାରିଖରୁ ବର୍ଷା କ୍ରମଶଃ କମିବ ।

ପାଣିପାଗ ବିଶେଷଜ୍ଞ ତଥା ସୋଆ ଡିମ୍‌ଡ ଟୁ ବି ୟୁନିର୍ଭସିଟିର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ଭିନ୍ନ । ତାଙ୍କ କହିବାନୁଯାୟୀ ଘୂର୍ଣ୍ଣିବଳୟ ବିଶେଷ ପ୍ରଭାବ ପକାଇପାରିବନି । କାରଣ ସ୍ଥଳଭାଗରୁ ବହୁଥିବା ପବନ ଶକ୍ତିଶାଳୀ ରହୁଥିବାବେଳେ ସାମୁଦ୍ରିକ ପବନ ଦୁର୍ବଳ ରହୁଛି । ତେଣୁ ବିଶେଷ ବର୍ଷା ହେବନି ପାର୍ବଣ ସମୟରେ । ଏପରିକି ପାଗ ମୁଖ୍ୟତଃ ଖରାଟିଆ ରହିବ । ଅପରାହ୍ନରେ କାଁ ଭାଁ ଘଡ଼ଘଡ଼ି ସହ ଅସରାଏ ବର୍ଷା ହୋଇପାରେ । ଏଥର ଦୁର୍ଗାପୂଜା ସମୟରେ ପାଗ ଭଲ ରହିବା ସମ୍ଭାବନା ରହିଛି ।

ତେବେ କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଲା ୮,୯ ଓ ୧୦ ତାରିଖରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା କମ୍‌ ରହିବ । ଉପକୂଳରେ ହାଲୁକାରୁ ସ୍ୱଳ୍ପ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ବ୍ରହ୍ମପୁର, ଭୁବନେଶ୍ୱର, ପୁରୀରେ ହାଲୁକା ବର୍ଷା ସମ୍ଭାବନା ଅଛି । ତେବେ ଭୁବନେଶ୍ୱର ତୁଳନାରେ କଟକରେ ବର୍ଷା ପରିମାଣ ସାମାନ୍ୟ ଅଧିକ ରହିପାରେ।

୮ ତାରିଖରେ ନୟାଗଡ଼, କନ୍ଧମାଳ, ପଶ୍ଚିମ କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝରରେ ବର୍ଷା ପରିମାଣ ଅଧିକ ରହିପାରେ । ୯ ତାରିଖରେ ବର୍ଷା ବଢ଼ିବ। ୮ ତାରିଖରେ ଭୁବନେଶ୍ୱରରେ ୫ରୁ ୧୦ ମିଲିମିଟର ଓ ୯ ତାରିଖରେ ୧୫ରୁ ୨୦ ମିମି ବର୍ଷା ହୋଇପାରେ। ସେହିପରି ଉଭୟ ଦିନରେ କଟକରେ ୧୫ରୁ ୨୦ ମିମି ଲେଖାଏଁ ବର୍ଷା ସମ୍ଭାବନା ଥିବାବେଳେ ସମ୍ବଲପୁରରେ ଦୁଇ ଅସରା ଏବଂ ରାଉରକେଲାରେ ୧୫-୨୫ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି ।

   ସମ୍ବନ୍ଧିତ ଖବର


ଗଛ ଡାଳ ପଡି ଛାତ୍ର ମୃତ ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ, ମୃତକ ପରିବାରକୁ ୬ ଲକ୍ଷ ଟଙ୍କା ଘୋଷଣା କଲେ ତହସିଲଦାର

ବିଶ୍ବ ସ୍ତରରେ ସୋଆର ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିକୁ ରାଙ୍କିଙ୍ଗ୍ ମାନ୍ୟତା

ବେଆଇନ୍ ପାର୍କିଂ ଫି’ ଆଦାୟ ଉପରେ ଲାଗିବ ରୋକ, ଏଥିପାଇଁ ସ୍କ୍ୱାର୍ଡ ଗଠନ କରିବେ ବିଏମସି ଓ ବିଡିଏ

ମୋ ସରକାରରେ ଫେଲ୍‌: ଖାରବେଳ ନଗର ଥାନାକୁ ଶୂନ ମାର୍କ