ମୋଦି ପୁଣି ପ୍ରଧାନମନ୍ତ୍ରୀ ହେବା ଚାହାନ୍ତି ଇମ୍ରାନ

source:tribune.com.pk
ନୂଆଦିଲ୍ଲୀ/ଇସଲାମାବାଦ,୧୦ ।୪(ଏଜେନ୍ସି): ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଙ୍ଗଳବାର କହିଛନ୍ତି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ନିର୍ବାଚନକୁ ଆଖି ଆଗରେ ରଖି ପାକିସ୍ତାନ ଭିତରେ ବିମାନ ଆକ୍ରମଣ କରାଇଥିଲେ । ହେଲେ ଏହାସତ୍ତେ୍ୱ ବି ମୋଦି ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହେବା ସେ ଚାହାନ୍ତି । କାରଣ ଏପରି ହେଲେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ବାଟ ବାହାରିପାରିବ । ନଚେତ ଯଦି ବିରୋଧୀ ଦଳର କେହି ପ୍ରଧାନମନ୍ତ୍ରୀ ହୁଅନ୍ତି, ତାହାହେଲେ ବିଜେପି ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବ ଏବଂ ପାକିସ୍ତାନ ସହ ସମ୍ପର୍କ ସୁଧାରିବା ପାଇଁ ବିରୋଧୀ ଦଳ ନେତୃତ୍ୱାଧୀନ ସରକାରଙ୍କ ଯେକୌଣସି ପଦକ୍ଷେପକୁ ଜୋରଦାର ବିରୋଧ କରିବ । ନିଜ ସରକାରର ୮ ମାସ ପୂର୍ତ୍ତି ଅବସରରେ ଇମ୍ରାନ କିଛି ବିଦେଶୀ ସାମ୍ବାଦିକଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ । ସେମାନଙ୍କ ସହ ଆଲୋଚନା ବେଳେ ସେ ଏଭଳି ବିବୃତି ଦେଇଛନ୍ତି ।
ସେ ଆହୁରି କହିଛନ୍ତି କି ଗତ ଫେବ୍ରୁଆରୀ ୨୬ ତାରିଖ ରାତି ୩ଟା ୩୦ରେ ପାକ୍ ସେନାର ଜଣେ ଅଧିକାରୀ ତାଙ୍କୁ ଫୋନ କରି ଭାରତର ବିମାନ ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଥିବାର ସୂଚନା ଦେଇଥିଲେ । ଯେହେତୁ ଭାରତର ଆକ୍ରମଣରେ ପାକିସ୍ତାନର କେବଳ କେତେକ ଗଛ ଉପୁଡିଥିଲା, ତେଣୁ ତା’ର ଜବାବରେ ପାକିସ୍ତାନର ଯୁଦ୍ଧବିମାନ ଭାରତ ଭିତରେ ପଥର ଉପରେ ବୋମା ମାଡ଼ କରିଥିଲେ । ଭାରତରେ ଏବେ ମୁସଲମାନଙ୍କ ବିରୋଧରେ ହିଂସା ବଢ଼ୁଛି ବୋଲି ସେ କହିଛନ୍ତି । ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନଗୁଡକି ଉପରେ ମତ ଦେଇ ସେ କହିଛନ୍ତି କି ଏସବୁ ସଂଗଠନଙ୍କୁ ନବେ ଦଶକରେ ପାକ୍ ସେନା ସୃଷ୍ଟି କରଥିଲା । କିନ୍ତୁ ଏଭଳି ସଶସ୍ତ୍ର ଗୋଷ୍ଠୀଙ୍କୁ ଆଉ ନିଜର ଗତିବିଧି ଚଳାଇବାକୁ ସୁଯୋଗ ଦିଆଯିବ ନାହିଁ । କାରଣ ପାକିସ୍ତାନ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ଟାସ୍କ ଫୋର୍ସ ଦ୍ୱାରା କଳା ତାଲିକାଭୁକ୍ତ ହେଉ ବୋଲି ସେ ଚାହାନ୍ତି ନାହିଁ ।
ତାଙ୍କ ଅନୁସାରେ, କୌଣସି ବାହ୍ୟ ଚାପ ଯୋଗୁ ନୁହେଁ ବରଂ ପାକିସ୍ତାନର ଭବିଷ୍ୟତକୁ ଆଖି ଆଗରେ ରଖି ଏଭଳି ସଶସ୍ତ୍ର ଗୋଷ୍ଠୀଙ୍କ ଉପରେ ଲଗାମ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ସେ ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କି ପୂର୍ବରୁ ପାକ୍ ସରକାରମାନେ କେବଳ ଲୋକଦେଖାଣିଆ ଭାବେ ଏଭଳି ସଂଗଠନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ମାତ୍ର ସେ ବାସ୍ତବରେ ଏଭଳି ପଦକ୍ଷେପ ନେବେ । ଏକ ଦୃଷ୍ଟାନ୍ତ ଦେଇ ଇମ୍ରାନ କହିଥିଲେ କି ସେ ମଦ୍ରାସାଗୁଡିକରେ କାର୍ଯ୍ୟରତ ୨ଲକ୍ଷ ଶିକ୍ଷକଙ୍କୁ ଇଂରାଜୀ ଏବଂ ଗଣିତ ଆଦି ପଢାଇବା ପାଇଁ ନିୟୋଜିତ କରିବେ ।