ଆସନ୍ତା ୧୪ ସୁଦ୍ଧା ସରିବ୨୯ ଖଣି ନିଲାମ: ୩ଟି ପର୍ଯ୍ୟାୟରେ ଡକାଯିବ ଇ-ଟେଣ୍ଡର

ଭୁବନେଶ୍ୱର୨୫/୯: ଅକ୍ଟୋବର ୧୪ ସୁଦ୍ଧା ରାଜ୍ୟର ୨୯ଟି ଖଣିକୁ ନିଲାମରେ ରଖିବ ଓଡ଼ିଶା । ୩ଟି ପର୍ଯ୍ୟାୟରେ ଏସବୁ ଖଣିଜ ବ୍ଲକ୍‌ ନିଲାମ କରାଯିବ । ଖଣି ଲିଜ୍‌ ସୀମା କୋହଳ ନେଇ ନିକଟରେ କେନ୍ଦ୍ର ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ରାଜ୍ୟ ସରକାର ଖଣି ନିଲାମକୁ ତ୍ୱରାନ୍ୱିତ କରିଛନ୍ତି । ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ।

ଏବେ ଓଡ଼ିଶାରେ ମୋଟ ୪୦ ଖଣି ନିଲାମ ପାଇଁ ପ୍ରସ୍ତୁତ ରହିଛି । ସେଥିରେ ୨୦୨୦ ମାର୍ଚ୍ଚ ୩୧ରେ ଲିଜ୍‌ ଶେଷ ହେବାକୁ ଥିବା ୨୪ଟି କାର୍ଯ୍ୟକ୍ଷମ ମର୍ଚ୍ଚାଣ୍ଟ ଖଣି ଓ ୧୬ଟି ଫ୍ରି ହୋଲ୍ଡ ବା ଭର୍ଜିନ (ନୂଆ) ଖଣିଜ ବ୍ଲକ୍‌ ରହିଛି । ୨ଟି ଖଣିକୁ ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ) ନିମନ୍ତେ ସଂରକ୍ଷଣ ରଖିବାକୁ ନିଷ୍ପତ୍ତି ହୋଇଛି । ଅନ୍ୱେଷଣ ଉଦ୍ଦେଶ୍ୟରେ ଅନ୍ୟ ୨ଟି ଖଣିକୁ ନିଲାମରେ ନ ରଖିବାକୁ ନିକଟରେ ଶେଷ ହୋଇଥିବା ଉଚ୍ଚସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି, ପୂର୍ବରୁ ଜୁଲାଇ ୩୧ରେ ୭ଟି ଖଣିଜ ବ୍ଲକ୍‌ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ନିଲାମ ଡକାଯାଇଥିବା ଏହି ଖଣିଜ ବ୍ଲକ ମଧ୍ୟରେ ୪ଟି ଚୂନପଥର, ଗୋଟିଏ ଗ୍ରାଫାଇଟ୍‌ ଓ ୨ଟି କ୍ରୋମାଇଟ୍‌ ଖଣି ରହିଛି।

ତେବେ ଖଣି ଲିଜ୍‌ ସୀମା କୋହଳ ନେଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନ ଥିବାରୁ ନିଲାମ ପ୍ରକ୍ରିୟା ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । ଗତ ସପ୍ତାହରେ ଖଣି ଲିଜ୍‌ ସୀମା କୋହଳ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏହାପରେ ସରକାର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ବଳକା ୨୯ଟି ଖଣିର ନିଲାମ ପାଇଁ ସରକାର ସେପ୍ଟେମ୍ବର ୨୬ରୁ ୩ଟି ପର୍ଯ୍ୟାୟରେ ଇ-ଟେଣ୍ଡର ଆହ୍ୱାନ କରିବେ । ସେପ୍ଟେମ୍ବର ୨୬ ପରେ ଅକ୍ଟୋବର ୪ ଓ ୧୪ରେ ନିଲାମ ପାଇଁ ଟେଣ୍ଡର ଆହ୍ୱାନ କରିବାକୁ ନିଷ୍ପତ୍ତି ହୋଇଛି । ୨ ମାସ ମଧ୍ୟରେ ଏ ସମସ୍ତ ଖଣିର ନିଲାମ ପ୍ରକ୍ରିୟା ଶେଷ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

୨୦୨୦ ମାର୍ଚ୍ଚ ୩୧ରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣିଜ ବ୍ଲକ୍‌କୁ ଏକ ରାଜ୍ୟ ପିଏସ୍‌ୟୁ ପାଇଁ ସଂରକ୍ଷଣ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଖଣି ନିର୍ଦ୍ଦେଶକ କହିଛନ୍ତି, ଟାଟା ଷ୍ଟିଲ୍‌ର ସୁକିନ୍ଦା କ୍ରୋମାଇଟ୍‌ ଖଣିକୁ ଓଡ଼ିଶା ମିନେରାଲ୍‌ ଏକ୍ସପ୍ଲୋରେସନ୍‌ କର୍ପୋରେସନ ଲିମିଟେଡ୍‌ (ଓଏମ୍‌ଇସିଏଲ୍‌) ପାଇଁ ରଖାଯିବ । ଏଣୁ ଏହାକୁ ନିଲାମରେ ରଖାଯିବ ନାହିଁ । ୪୦୬ ହେକ୍ଟରରେ ପରିବ୍ୟାପ୍ତ ଟାଟା ଷ୍ଟିଲ୍‌ ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ୯୫.୮୨୧ ନିୟୁତ ଟନ୍‌ କ୍ରୋମାଇଟ୍‌ ଓ ୧୦.୨୧ ନିୟୁତ ଟନ୍‌ ପାଇରକ୍ସନାଇଟ୍‌ ମହଜୁଦ ରହିଛି ।

ସେହିଭଳି ୨୦୨୦ ମାର୍ଚ୍ଚରେ ଲିଜ୍‌ ସରିବାକୁ ଥିବା କେଜେଏସ୍‌ ଆଲୁୱାଲିଆ ଗୋନୁଆ ଲୁହାପଥର ଖଣିକୁ ୩ଟି ଖଣିଜ ବ୍ଲକ୍‌ରେ ପରିଣତ କରି ନିଲାମରେ ରଖିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ୭୬୭.୨୮ ହେକ୍ଟରରେ ଅବସ୍ଥିତ କେଜେଏସ୍‌ ଆଲୁୱାଲିଆ ଲୁହାପଥର ଖଣିରେ ୭୯୨.୯୩ ନିୟୁତ ଟନ୍‌ ଲୁହାପଥର ମହଜୁଦ ରହିଛି ।

ସୂଚନା ଥାଉକି, ଖଣି ଲିଜ୍‌ ସୀମା ୫୮ ବର୍ଗକିଲୋମିଟରକୁ କୋହଳ କରିବା ପାଇଁ ରାଜ୍ୟ ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି । ଫଳରେ ଟାଟା ଷ୍ଟିଲ୍‌ ଓ ରୁଙ୍ଗଟା ଭଳି ବଡ଼ ଖଣି ଲିଜ୍‌ଧାରୀଙ୍କ ପାଇଁ ଓଡ଼ିଶା ଖଣି ନିଲାମରେ ଅଂଶଗ୍ରହଣ ନେଇ ବାଟ ଫିଟିଛି ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ