ଭୁବନେଶ୍ୱରରେ ହଇରାଣ ହେଲେ ସୁରଟ ଫେରନ୍ତା : କେହି ଶୁଣିଲେନି, ଚାଲିଚାଲି ଯାଜପୁର ଗଲେ

ଭୁବନେଶ୍ୱର,୬।୫ : ଘରକୁ ଫେରିବାକୁ ବ୍ୟାକୁଳ ଥିଲେ । ହେଲେ ଅଧାବାଟରେ ଭୁବନେଶ୍ୱରରେ ବସ୍‌ରୁ ଓହ୍ଲାଇ ଦିଆଗଲା । ପ୍ରଶାସନର ସହାୟତା ଲୋଡ଼ିଲେ । ଡାଏଲ ୧୦୦ କି ୧୦୪ କେହି ଶୁଣିଲେନି । ପୁଲିସ ରାଜଧାନୀର ଏ ଛକରୁ ସେ ଛକ ଯାଏଁ ଚଲେଇଲା । କିନ୍ତୁ ଘରକୁ ଫେରିବା ପାଇଁ କିଛି ବ୍ୟବସ୍ଥା କଲାନି । ଶେଷରେ ଚାଲିଚାଲି ଯାଜପୁର ଯିବାକୁ ପଡି଼ଲା । ଗୁଜରାଟ ସୁରଟରୁ ଘରକୁ ଫେରୁଥିବା କିଛି ଯୁବକ ଆଜି ଭୁବନେଶ୍ୱରରେ ଏମିତି ହୀନସ୍ତା ହୋଇଛନ୍ତି । ପ୍ରଶାସନ କି ପୁଲିସ କେହି ସହାୟତା କରିନଥିବା ଅଭିଯୋଗ କରିଛନ୍ତି । ଯାହାକି, ପ୍ରଶାସନର ଚିନ୍ତା ବଢ଼ାଇଛି ।
ଘରକୁ ଫେରୁଥିବା ଯାଜପୁର ଅଞ୍ଚଳର ଜଣେ ସୁରତ ଫେରନ୍ତା ଶ୍ରମିକ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଗତ ୨ ତାରିଖ ଦିନ ସୁରତରୁ ୭ଟି ବସ୍‌ ଓଡ଼ିଶା ଅଭିମୁଖେ ବାହାରିଥିଲା । ବସ୍‌ରେ ସିଟ୍‌ ନଥିବାରୁ ଭଦ୍ରକ ଓ ଯାଜପୁର ଅଞ୍ଚଳର ପ୍ରାୟ ୧୨ ଜଣ ଯୁବକ ଭଦ୍ରକ ବସ୍‌ରେ ଆସିନପାରି ନଥିଲେ । ଶେଷରେ ସେମାନଙ୍କୁ ପୁରୀ ଅଭିମୁଖେ ବାହାରିଥିବା ବସ୍‌ ଯୋଗେ ଆସିବାକୁ ପଡି଼ଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଭଦ୍ରକ ବସ୍‌ରେ ବସାଇ ଦିଆଯିବ ବୋଲି ସେଠାରେ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ପରେ ପ୍ରତିଶ୍ରୁତି ମୁତାବକ ସେଭଳି କିଛି ବ୍ୟବସ୍ଥା କରାଯାଇନଥିବା ସେ ଅଭିଯୋଗ ବାଢ଼ିଛନ୍ତି ।

ତାଙ୍କ କହିବା ମୁତାବକ, ୬୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିବା ବସ୍‌ଟି ମଙ୍ଗଳବାର ସକାଳେ ଭୁବନେଶ୍ୱରରେ ପହଞ୍ଚିଥିଲା । ବସ୍‌ରେ ବସିଥିବା ଯାଜପୁର ଓ ଭଦ୍ରକର ୧୨ଜଣ ଯାତ୍ରୀଙ୍କୁ ବସ୍‌ କର୍ତ୍ତୃପକ୍ଷ କଳ୍ପନା ଛକରେ ଓହ୍ଲାଇ ଦେଇଥିଲେ । ଅନ୍ୟଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ବାହାରିଥିଲେ । ସୁରଟ ଫେରନ୍ତାମାନେ କେଉଁଆଡ଼େ ଯିବେ, କ’ଣ କରିବେ ଜାଣି ପାରିନଥିଲେ । ପ୍ରଥମେ ବେଶ୍‌ କିଛି ସମୟ ପର୍ଯ୍ୟନ୍ତ କଳ୍ପନା ଛକରେ ବୁଲାବୁଲି କରିଥିଲେ । ବିଏମ୍‌ସି ଅଫିସ ଭିତରକୁ ବି ଯାଇଥିଲେ । ପରେ ସହାୟତା ପାଇଁ ଡାଏଲ୍‌ ୧୦୦ ଓ ୧୦୪ ସହ ଯୋଗାଯୋଗ କରିଥିଲେ ।
କିଛି କ୍ଷଣ ପରେ ଦୁଇଟି ପିସିଆର ଭ୍ୟାନ କଳ୍ପନା ଛକରେ ପହଞ୍ଚି ସମସ୍ତଙ୍କୁ ମାଷ୍ଟରକ୍ୟାଣ୍ଟିନ ଛକ ଯାଏଁ ଯିବାକୁ କହିଥିଲା । ସମସ୍ତେ ଚାଲି ଚାଲି ସେଠାକୁ ଗଲେ । ସେଠାରୁ ସେମାନଙ୍କୁ ବାଣୀବିହାର ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପରିସ୍ଥିତି ଏମିତି ହେଲା ଯେ, ରସୁଲଗଡ଼ ଛକରେ ପୁଲିସ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲା । ଏମିତି ହଇରାଣ ହେବା ପରେ ଏମାନଙ୍କ ମଧ୍ୟରୁ ୫ଜଣ ଚାଲିଚାଲି ଯାଜପୁର ଅଭିମୁଖେ ବାହରିଥିଲେ । ବାକି ୭ଜଣ ଭଦ୍ରକ ଆଡ଼େ ଯିବାକୁ ଏକ ମିନିଟ୍ରକରେ ଚଢ଼ିଥିଲେ । ସେମାନେ କୁଆଡ଼େ ଯାଇଛନ୍ତି, ଏନେଇ କିଛି ଠୋସ୍‌ ଖବର ନଥିବା ସୂଚନା ମିଳିଛି ।
କିଛି ଦିନ ଧରି ସୁରଟ ଫେରନ୍ତା ଗଞ୍ଜାମ ଜିଲ୍ଲା ପ୍ରଶାସନର ଟେନ୍‌ସନ୍‌ ବଢ଼ାଇଛନ୍ତି । ଏପରିସ୍ଥଳେ କିଛି ସୁରଟ ଫେରନ୍ତା ଏଭଳି ରାଜଧାନୀରେ ମନଇଚ୍ଛା ବୁଲିବା ଓ ପ୍ରଶାସନ ପକ୍ଷରୁ ସହାୟତା ନ ପାଇବା ଅଭିଯୋଗ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ଏହି ଘଟଣାର ସତ୍ୟାସତ୍ୟ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ