ମଧ୍ୟପ୍ରଦେଶରେ ଆଜି ଶକ୍ତି ପରୀକ୍ଷା ଦେବେ କମଳନାଥ

ଭୋପାଳ ୧୬/୩: ମଧ୍ୟପ୍ରଦେଶରେ କ୍ଷମତାସୀନ କମଳନାଥ ସରକାର ସୋମବାର ଶକ୍ତି ପରୀକ୍ଷା ଦେବେ । ୨୨ କଂଗ୍ରେସ ବିଧାୟକ ଇସ୍ତଫା ଦେବା ପରେ କମଳନାଥ ସରକାର ସଙ୍କଟ ଘେରକୁ ଟାଣି ହୋଇଯାଇଛି । ଏଣୁ ବଜେଟ ଅଧିବେଶନ ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ନିମନ୍ତେ ଆସ୍ଥା ଭୋଟ କରାଯିବ ବୋଲି ବାଚସ୍ପତି ଲାଲଜୀ ଟଣ୍ଡନ ଶନିବାର ନିର୍ଦ୍ଦେଶ ଦେଇଥିଲେ । ଏପଟେ ଆସ୍ଥା ଭୋଟ ବିଳମ୍ବିତ କରିବା ନିମନ୍ତେ କମଳନାଥ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ କରାଯାଉଥିବା ଜଣାପଡ଼ିଛି । କରୋନା ବାହାନା ଦେଇ କମଳନାଥ ବିଧାନସଭା ଅଧିବେଶନ ସ୍ଥଗିତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆସ୍ଥାଭୋଟ ନିମନ୍ତେ ବିଧାନସଭାକୁ ପ୍ରବେଶ କରିବା ପୂର୍ବରୁ ମଧ୍ୟପ୍ରଦେଶ ବାହାରୁ ଫେରିଥିବା ସମସ୍ତ ବିଧାୟକଙ୍କର କରୋନା ପରୀକ୍ଷା କରାଯିବା ବାଧ୍ୟତାମୂଳକ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତରୁଣ ଭନୋଟ କହିଛନ୍ତି, ରାଜ୍ୟବାସୀଙ୍କ ସୁରକ୍ଷା ସବୁଠୁ ଜରୁରି । ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଏଣୁ ରାଜ୍ୟବାସୀଙ୍କ ସୁରକ୍ଷା ନିମନ୍ତେ ଆସ୍ଥାଭୋଟ ପୂର୍ବରୁ ବାହାର ରାଜ୍ୟରୁ ଫେରୁଥିବା ବିଧାୟକମାନଙ୍କର ସ୍କ୍ରିନିଂ କରାଯିବ । କମଳନାଥ ସରକାରର ଅନ୍ୟ ଜଣେ ମନ୍ତ୍ରୀ ପ୍ରଦୀପ ଜାୟସୱାଲ କହିଛନ୍ତି, ଆସ୍ଥାଭୋଟ ହେଲେ ସଂଖା ଗରିଷ୍ଠତା ପ୍ରମାଣ କରିବାକୁ କମଳନାଥଙ୍କ ନିକଟରେ ଯଥେଷ୍ଟ ବିଧାୟକ ରହିଛନ୍ତି । କିନ୍ତୁ ଆସ୍ଥାଭୋଟ ଠାରୁ ଜନତାଙ୍କ ସ୍ୱାସ୍ଥ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ । ଆସ୍ଥାଭୋଟ ସୋମବାର ହେବା ଯେତିକି ଜରୁରି ନୁହେଁ । ବିଧାୟକମାନେ ସ୍ୱାସ୍ଥ୍ୟର ଯତ୍ନ ନେବା ସେତିକି ଜରୁରୀ ।

ଉଲ୍ଲେଖଯୋଗ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବା ପରଠାରୁ ରାଜ୍ୟ ରାଜନୀତିରେ ଅନିଶ୍ଚିତତା ଦେଖାଦେଇଛି । କଂଗ୍ରେସ ଏହାର ବିଧାୟକଙ୍କୁ ଜୟପୁରର ଏକ ହୋଟେଲରେ ରଖିଥିବା ବେଳେ ବିଜେପି ଏହାର ବିଧାୟକଙ୍କୁ ହରିଆଣାରେ ରଖିଛି । କଂଗ୍ରେସର ୨୨ ବିଦ୍ରୋହୀ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ହୋଟେଲରେ ରଖାଯାଇଛି । ବିଧାୟକମାନେ ରହିଥିବା ସ୍ଥାନରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସେମାନଙ୍କର କରୋନା ପରୀକ୍ଷା କରିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଭନୋଟ ସୂଚନା ଦେଇଛନ୍ତି । ଜୟପୁରରୁ ଫେରିଥିବା ବିଧାୟକମାନଙ୍କର ରବିବାର ସ୍କ୍ରିନିଂ କରାଯାଇଥିଲା । ତେବେ ସେମାନେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।

ସୂଚନା ଥାଉ କି, ମଧ୍ୟପ୍ରଦେଶରେ ବିଧାନସଭା ଆସନ ସଂଖ୍ୟା ୨୩୦ ହୋଇଥିବା ବେଳେ ୨୦୧୮ ବିଧାନସଭା ନିର୍ବାଚନରେ ୨ ବିଧାୟକଙ୍କ ମୃତ୍ୟୁ ହେବା ପରେ ଆସନ ସଂଖା ୨୨୮ ହୋଇଯାଇଥିଲା । ଫଳରେ ସରକାର ଗଠନ ନିମନ୍ତେ ୧୧୫ ଆସନ ଆବଶ୍ୟକ ହେଉଥିଲା । କଂଗ୍ରେସର ୧୧୪ ବିଧାୟକ ଓ କେତେକ ସ୍ୱାଧୀନ, ସପା ଏବଂ ବସପା ବିଧାୟକଙ୍କ ସମର୍ଥନରେ କଂଗ୍ରେସ ସରକାର ଗଠନ କରିଥିଲା । କିନ୍ତୁ ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ସହ ବାଜି ସମ୍ପୂର୍ଣ୍ଣ ପଲଟି ଯାଇଛି । ବାଚସ୍ପତି ଯଦି ସେମାନଙ୍କ ଇସ୍ତଫା ଗ୍ରହଣ କରନ୍ତି ତେବେ ରାଜ୍ୟରେ ବିଧାନସଭା ଆସନ ସଂଖ୍ୟା ୨୦୬କୁ ଖସି ଆସିବ । ଯାହା ଦ୍ୱାରା ସରକାର ଗଠନ ନିମନ୍ତେ କୌଣସି ଦଳକୁ ୧୦୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ିବ । ବର୍ତ୍ତମାନ ବିଜେପି ନିକଟରେ ୧୦୯ ଜଣ ବିଧାୟକ ଅଛନ୍ତି । ଅନ୍ୟପକ୍ଷରେ ବିଧାୟକମାନଙ୍କ ଇସ୍ତଫା ଗ୍ରହଣ ହେଲେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୩କୁ ଖସି ଆସିବ । ଫଳରେ ବିଜେପି ନିମନ୍ତେ ସରକାର ଗଠନର ରାସ୍ତା ସଫା ହୋଇଯିବ ।

   ସମ୍ବନ୍ଧିତ ଖବର


ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

କରୋନା: ସକ୍ରିୟ ମାମଲାରେ ୭ମ ସ୍ଥାନରେ ଭାରତ, ସୁସ୍ଥ ହେଲେଣି ୯୩.୭୪% ରୋଗୀ

ଆମେରିକାରେ ଅଣାୟତ୍ତ କରୋନା, ସପ୍ତାହକେ ମଧ୍ୟରୁ ଗଲାଣି ୧୦ ହଜାରରୁ ଅଧିକ ଜୀବନ

୨୨୨ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା, ଜାନୁଆରୀ ସୁଦ୍ଧା ପ୍ରସ୍ତୁତ ହେବ ୧୦ କୋଟି ଟିକା

ଭୀଷଣ ରୂପ ନେଉଛି ବାତ୍ୟା ‘ନିବାର’: ଆଜି ରାତିରେ କରିବ ଲ୍ୟାଣ୍ଡଫଲ, ଆଗକୁ ଆସୁଛି ଘନଘନ ଲଘୁଚାପ

‘ଲଭ୍‌ ଜିହାଦ’ ରୋକିବାକୁ ଯୋଗୀ ସରକାରଙ୍କ କଡ଼ା ପଦକ୍ଷେପ: ଆଣିଲେ ନୂଆ ଅଧ୍ୟାଦେଶ, ଅଭିଯୁକ୍ତଙ୍କୁ ମିଳିବ ୩ରୁ ୧୦ ବର୍ଷ ଜେଲ୍