‘ହାଓଡି ମୋଦି !’ ଆମେରିକାର ହ୍ୟୁଷ୍ଟନ ସହରରେ ମୋଦିଙ୍କ ରାଲିରେ ଯୋଗଦେବେ ଟ୍ରମ୍ପ

ନୂଆଦିଲ୍ଲୀ/ୱାଶିଂଟନ ୧୭/୯: ଚଳିତ ମାସ ୨୨ ତାରିଖରେ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ବିଶାଳ ର‌୍ୟାଲିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବି ଯୋଗ ଦେବେ । ଗତ କିଛି ଦିନ ଧରି ଏହା ଉପରେ ଚର୍ଚ୍ଚା ହେଉଥିଲାବେଳେ ରବିବାର ପ୍ରମେୟରେ ଏନେଇ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏବେ ହ୍ୱାଇଟହାଉସ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବା ପରେ ଏହାର ଗୁରୁତ୍ୱ ବଢ଼ିଯାଇଛି ।

ହ୍ୱାଇଟହାଉସ କହିଛି ଯେ ପ୍ୟାରିସରେ ଜି-୭ ବୈଠକରେ ଯୋଗ ଦେବା ସମୟରେ ମୋଦି ଟ୍ରମ୍ପଙ୍କୁ ଉକ୍ତ ର‌୍ୟାଲିରେ ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଟ୍ରମ୍ପ ତାହାକୁ ତତ୍‌କ୍ଷଣାତ ସ୍ୱୀକାର କରିନେଇଥିଲେ ।‘ହାଓଦି, ମୋଦି! ‘ସେୟାରଡ ଡ୍ରିମସ, ବ୍ରାଇଟ ଫ୍ୟୁଚରସ’ ନାମକ ଏହି କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଯୋଗ ଦେବେ । ଭାରତ ଓ ଆମେରିକାର ଜନତାଙ୍କ ମଧ୍ୟରେ ନିବିଡ଼ ସମ୍ପର୍କକୁ ଦର୍ଶାଇବା ପାଇଁ ଏହା ଏକ ଭଲ ମାଧ୍ୟମ ହେବ । ତା’ଛଡା ବିଶ୍ୱର ସବୁଠାରୁ ପୁରାତନ ଏବଂ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରଦ୍ୱୟ ମଧ୍ୟରେ ମଜଭୁତ ହେଉଥିବା ସାମରିକ ଭାଗିଦାରୀକୁ ଆଗକୁ ନେବା ପାଇଁ ଏହା ଉପଯୁକ୍ତ ପରିବେଶ ସୃଷ୍ଟି କରିବ । ଆହୁରି ମଧ୍ୟ, ଦୁଇ ଦେଶ ମଧ୍ୟରେ ଶକ୍ତି ଏବଂ ବାଣିଜ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଏହା ସୁଯୋଗ ସୃଷ୍ଟି କରିବ ।

ଟ୍ରମ୍ପ ମୋଦିଙ୍କ ର‌୍ୟାଲିରେ ଯୋଗଦେବାକୁ ସମ୍ମତି ଦେବା ଦୁଇ ଦେଶର ସମ୍ପର୍କରେ ଏକ ମାଇଲଖୁଣ୍ଟ ହେବ ବୋଲି ମନେ କରାଯାଉଛି । କାରଣ ପ୍ରଥମ ଥର ପାଇଁ ଏପରି ଘଟିବାକୁ ଯାଉଛି । ଏହା ଦୁଇ ନେତାଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ସମ୍ପର୍କକୁ ବି ଦର୍ଶାଉଛି । ତେବେ ପାକିସ୍ତାନ ଏହି ସମ୍ବାଦ ଶୁଣି ସ୍ତବ୍ଧ ଓ ଆଚମ୍ବିତ ହୋଇଯାଇଛି । ପାକିସ୍ତାନର ଅନେକ ବିଶେଷଜ୍ଞ ଓ ସରକାରୀ ଅଧିକାରୀ ଏହି ସମ୍ବାଦକୁ ବିଶ୍ୱାସ କରିପାରୁନାହାନ୍ତି ଏବଂ ଏହା ସତ କି ମିଥ୍ୟା ପ୍ରଚାର ତାହା ନିଶ୍ଚିତ କରିବା ପାଇଁ ଉଦ୍ୟମ କରୁଛନ୍ତି । କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବାରମ୍ବାର ଭାରତ ଓ ମୋଦିଙ୍କ ବିରୋଧରେ ଅଭିଯୋଗ କରିଆସୁଥିଲାବେଳେ ଟ୍ରମ୍ପଙ୍କ ଏଭଳି ଆଭିମୁଖ୍ୟ ସେମାନଙ୍କୁ ଚକିତ କରିଦେଇଛି । ସେହିପରି ଏହି ପ୍ରସଙ୍ଗରେ କିଛି ଦିନ ପୂର୍ବରୁ ମଧ୍ୟସ୍ଥତା କରିବାକୁ ଚାହୁଁଥିବା ଟ୍ରମ୍ପ କିଭଳି ଏଥିପାଇଁ ରାଜି ହେଲେ ତାହା ବି ସେମାନେ ଆକଳନ କରିପାରୁନାହାନ୍ତି । ପାକିସ୍ତାନ ଭଳି ମାନବାଧିକାର ଉଲ୍ଲଂଘନ ଏବଂ କାଶ୍ମୀର ନୀତିକୁ ନେଇ ଭାରତକୁ କ୍ରମାଗତଃ ସମାଲୋଚନା କରିଆସୁଥିବା ଆମେରିକାର କିଛି ବିଶେଷଜ୍ଞ ଓ ରାଜନେତା ବି ଟ୍ରମ୍ପଙ୍କ ନିଷ୍ପତ୍ତି ଯୋଗୁ ବିସ୍ମିତ ହୋଇଯାଇଛନ୍ତି ।

କାହିଁକି ଯୋଗ ଦେବେ ଟ୍ରମ୍ପ
ଉଭୟ ଟ୍ରମ୍ପ ଏବଂ ମୋଦିଙ୍କର ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ଏହି ର‌୍ୟାଲିରେ ୫୦,୦୦୦ ପ୍ରବାସୀ ଭାରତୀୟ ଯୋଗ ଦେବେ । ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିଲାବେଳେ ଏଠାକାର ସମସ୍ତ ଟିକେଟ ବିକ୍ରି ହୋଇଯାଇଛି । ମୋଦି ପୂର୍ବରୁ ମଧ୍ୟ ଆମେରିକାରେ ଦୁଇତିନି ଥର ର‌୍ୟାଲି କରିସାରିଛନ୍ତି । କିନ୍ତୁ ହ୍ୟୁଷ୍ଟନ ର‌୍ୟାଲି ସବୁଠାରୁ ବିଶାଳ ହେବ । ଆମେରିକାରେ ଏତେ ବିଶାଳ ରାଜନୈତିକ ର‌୍ୟାଲି ଦେଖିବାକୁ ମିଳେ ନାହିଁ । କେବଳ ଖେଳ ପ୍ରତିଯୋଗିତା ସମୟରେ ଏଭଳି ଜନସମାବେଶ ଦେଖିବାକୁ ମିଳେ । ଏମିତିକି ଟ୍ରମ୍ପ ଓ ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଲୋକପ୍ରିୟତା ଚରମ ଶିଖରରେ ଥିଲାବେଳେ ବି ସେମାନଙ୍କ ର‌୍ୟାଲିରେ କେବେହେଲେ ଏତେ ଲୋକ ଯୋଗ ଦେଇନାହାନ୍ତି । ତେଣୁ ଏହି ର‌୍ୟାଲିକୁ ହାତଛଡା କରିବାକୁ ଚାହାନ୍ତି ନାହିଁ ଟ୍ରମ୍ପ ।

ତା’ଛଡା ୨୦୨୦ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଟ୍ରମ୍ପ ଆମେରିକାରେ ପ୍ରବାସୀ ଭାରତୀୟ ଭୋଟରଙ୍କ ସମର୍ଥନ ପାଇବାକୁ ଉଦ୍ୟମ କରିବେ । ହ୍ୟୁଷ୍ଟନ ମଧ୍ୟ ହେଉଛି ଆମେରିକାର ଶକ୍ତି କେନ୍ଦ୍ର । ଏବେ ଭାରତ ଆମେରିକା ଠାରୁ ଅଧିକ ପରିମାଣରେ ଇନ୍ଧନ ତୈଳ କ୍ରୟ କରୁଥିଲାବେଳେ ମୋଦି ସରକାର ଟ୍ରମ୍ପଙ୍କୁ ଏହାର ପରିମାଣ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେଣୁ ଏହାଯୋଗୁ ହ୍ୟୁଷ୍ଟନ ସହର ଏବଂ ଏହାର ଆଖପାଖର ଲୋକେ ପ୍ରଭାବିତ ହେବେ । କୁହାଯାଉଛି କି ପ୍ୟାରିସ ଗସ୍ତ ବେଳେ ମୋଦି ଟ୍ରମ୍ପଙ୍କୁ ଜଣାଇଥିଲେ ଯେ ଭାରତ ଆମେରିକା ଠାରୁ ଅଧିକ ପରିମାଣର ଇନ୍ଧନ ତୈଳ ଏବଂ ପ୍ରତିରକ୍ଷା ସାମଗ୍ରୀ କ୍ରୟ କରିବାକୁ ରାଜି ଅଛି । ତା’ଛଡା ଟ୍ରମ୍ପଙ୍କୁ ଖୁସି କରିବାକୁ ଭାରତ ଆମେରିକା ସହିତ ଏକ ନୂଆ ବାଣିଜ୍ୟ ଚୁକ୍ତି ବି କରିବ । ମୋଦିଙ୍କର ଏହି ପ୍ରସ୍ତାବ ଯୋଗୁ ଟ୍ରମ୍ପ ଖୁସି ହୋଇଯାଇଛନ୍ତି । ତେଣୁ ସେ ଉକ୍ତ ର‌୍ୟାଲିରେ ଯୋଗ ଦେବାକୁ ସମ୍ମତି ଦେଇଛନ୍ତି । ଏହି ର‌୍ୟାଲି ମାଧ୍ୟମରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ଭାରତ ସହିତ ଅଛି ବୋଲି ମୋଦି ବିଶ୍ୱ ସମୁଦାୟଙ୍କୁ ଜଣାଇବାକୁ ଚାହାନ୍ତି ।

ସ୍ୱାଗତ କଲେ ମୋଦି
ହ୍ୟୁଷ୍ଟନ ର‌୍ୟାଲିରେ ଯୋଗ ଦେବା ପାଇଁ ଟ୍ରମ୍ପ ସମ୍ମତି ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ଖୁସି ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍‌ କରି କହିଛନ୍ତି ଯେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ସେ ଖୁବଆନନ୍ଦିତ । ଭାରତ ଓ ଆମେରିକା ମଧ୍ୟରେ ଖାସ୍‌ ବନ୍ଧୁତାକୁ ଦର୍ଶାଇବା ପାଇଁ ଏହା ଟ୍ରମ୍ପଙ୍କର ଏକ ସ୍ୱତନ୍ତ୍ର ପଦକ୍ଷେପ । ମୁଁ ପ୍ରବାସୀ ଭାରତୀୟମାନଙ୍କ ସହ ମିଶି ଉକ୍ତ କାର୍ଯ୍ୟକ୍ରମରେ ତାଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସୁକ ଅଛି । ଆମେରିକାର ସମାଜ ଓ ଅର୍ଥନୀତିକୁ ପ୍ରବାସୀ ଭାରତୀୟମାନେ ଯେଉଁ ଅବଦାନ ଦେଉଛନ୍ତି, ଏହା ମଧ୍ୟ ତାହାର ଏକ ସ୍ୱୀକୃତି ଅଟେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ