ମଧ୍ୟରାତ୍ରୀରେ ଅମୃତସରରେ ଶୁଣାଗଲା ବିସ୍ଫୋରଣ ଶବ୍ଦ,ଲୋକେ ହେଲେ ଆତଙ୍କିତ

ଅମୃତସର,୧୫।୩: ପଞ୍ଜାବର ଅମୃତସର ସହରରେ ଗତକାଲି ମଧ୍ୟରାତ୍ରୀରେ ଶୁଣିବାକୁ ମିଳିଥିଲା ଯୋରଦାର ବିସ୍ପୋରଣ ଶବ୍ଦ। ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ତେବେ ପରେ ଜଣାପଡିଥିଲା ଏହା ଥିଲା ଭାରତୀୟ ବାୟୁସେନା ପକ୍ଷରୁ ଅଭ୍ୟାସ ଚାଲିଥିଲା। ପାକିସ୍ତାନର ବାଲକୋଟ ଆତଙ୍କୀ କ୍ୟାମ୍ପରେ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍ ପରେ ଦୁଇ ଦେଶ ମଧ୍ୟରେ ବିବାଦୀୟ ପରିସ୍ଥିତି ଲାଗି ରହିଛି। ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତୀୟ ବାୟୁସେନା ସଜାଗ ରହିଛି।
ତେଣୁ ଗୁରୁବାର ମଧ୍ୟ ରାତ୍ରୀରେ ପଞ୍ଜବର ପାକିସ୍ତାନ ସୀମା ନିକଟରେ ଏହି ଅଭ୍ୟାସ କରାଯାଇଛି। ଏଥିରେ ବାୟୁସେନାର ବହୁ ଯୁଦ୍ଧ ବିମାନକୁ ସାମିଲ କରାଯାଇଥିଲା। ପଞ୍ଜାବ ଓ ଜମ୍ମୁ ଅଞ୍ଚଳ ଉପରେ ସୁପର ସୋନିକ ବୁମ୍ ତିଆରି କରାଯାଇଥିଲା। ଏହି କାରଣରୁ ବିମାନ ଯିବା ପରେ ବହୁ ପରିମାଣରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳୁଥିଲା।
ମଧ୍ୟ ରାତ୍ରୀରେ ଏଭଳି ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ। ଲୋକେ ସେ ସମୟରେ ଏହାର ପ୍ରକୃତ କାରଣ ବୁଝିପାରିନଥିଲେ। ଯାହାଫଳରେ ସେମାନେ ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ସେୟାର କରିଥିଲେ। ଏହାପରେ ସ୍ଥାନୀୟ ପୋଲିସ ଓ ପ୍ରଶାସନର ଅଧିକାରୀ ସେଠାରେ ପହଁଞ୍ଚି ଲୋକଙ୍କୁ ବୁଝାଇଥିଲେ କୌଣସି ପ୍ରକାର ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସବୁକିଛି ଠିକ୍ ଅଛି, ଆମର ସୂଚନା ଅନୁସାରେ କିଛି ମଧ୍ୟ ହୋଇନାହିଁ। ବାୟୁସେନାର ଅଭ୍ୟାସ ଚାଲିଥିବାରୁ ଏଭଳି ଶବ୍ଦ ଶୁଣାଯାଉଛି ବୋଲି କହିଥିଲେ।