ପ୍ରମୂଖ ଖବର
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଉତ୍ତରରେ ନବୀନ କରିବେ ରୋଡ୍‌ ସୋ’ : ୮ ଛକରେ ଅଟକିବେ, ଉଦ୍‌ବୋଧନ ଦେବେ

ଚନ୍ଦ୍ରଶେଖରପୁର, ୨୨/୦୫ : ମଧ୍ୟ ଓ ଏକାମ୍ର ପରେ ଉତ୍ତର ଭୁବନେଶ୍ୱରକୁ ଫୋକସ୍‌ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବୁଧବାର ସନ୍ଧ୍ୟାରେ ଏହି ନିର୍ବାଚନ ମଣ୍ଡଳୀରେ ଗଡି଼ବ ନବୀନଙ୍କ ହାଇଟେକ୍‌ ବସ୍‌ । ରେଣ୍ଟାଲ କଲୋନିଠୁ ପଟିଆ ଛକ ଯାଏଁ ଚାଲିବ ପାୱାର ସୋ’ । ୮ଟି ଛକରେ ଅଟକିବେ ନବୀନ । ଜନସମାବେଶକୁ ସମ୍ବୋଧିତ କରି ଯୋଡି଼ ଶଙ୍ଖରେ ଭୋଟ ପାଇଁ ଅପିଲ୍‌ କରିବେ । ବୁଧବାର ସନ୍ଧ୍ୟା ୬ଟାରେ ରେଣ୍ଟାଲ କଲୋନି ଓମଫେଡ୍‌ ଛକଠାରୁ ଆରମ୍ଭ ହେବ ଏହି ହାଇଭୋଲଟେଜ୍‌ ରୋଡ୍‌ ସୋ’ । ସେଠାରେ ନବୀନଙ୍କୁ ଭବ୍ୟ ସ୍ୱାଗତ ଜଣାଇବେ ହଜାର ହଜାର କର୍ମୀ, ଜନତା । ସେଠାରୁ ରୋଡ୍‌ ସୋ’ ସାଲିଆ ସାହି ଅଭିମୁଖେ ବାହାରିବ । ସାଲିଆ ସାହି ପେଟ୍ରୋଲ ପମ୍ପ ଛକରେ ଅଟକିବ ବସ୍‌ । ପରେ ମେ’ ଫେୟାର ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ପାଖରେ ଉପସ୍ଥିତ କର୍ମୀ ଓ ସମର୍ଥକଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ ନବୀନ । ମେ’ଫେୟାର ହୋଟେଲ ଦେଇ ଜୟଦେବ ବିହାର-ନନ୍ଦନ କାନନ ରାସ୍ତାରେ ଆଗେଇବ ଗାଡ଼ି । 

ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦଶେଖରପୁର ପେଟ୍ରୋଲ ପମ୍ପ ଛକ ଓ ଡମଣା ମାକ୍ସ ନିକଟରେ ଅଟକିବ ହାଇଟେକ ବସ୍‌ । ସବୁଠି ନବୀନ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଆଶୀର୍ବାଦ ଲୋଡି଼ବେ । ସନ୍ଧ୍ୟା ୮ଟା ସୁଦ୍ଧା ପଟିଆ ଛକରେ ନବୀନଙ୍କ ରୋଡ ସୋ’ସରିବ । ଏଥିପାଇଁ ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଦମ୍‌ ଦେଖାଇବାକୁ ଜୋର୍‌ ଦେଇଛନ୍ତି । ସବୁ ଛକରେ ହଜାର ହଜାର କର୍ମୀଙ୍କୁ ଏକଜୁଟ୍‌ କରି ଶକ୍ତି ପ୍ରଦର୍ଶନ କରିବା ମୁଡ୍‌ରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଉଛି । ସାଲିଆ ସାହି ନିକଟରେ ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ କରିବେ । 

ରୋଡ୍‌ ସୋ’ ପାଇଁ କମିଶନରେଟ୍‌ ପୁଲିସ ଟ୍ରାଫିକ୍‌ କଟକଣା ଜାରି କରିଛି । ଅପରାହ୍ଣ ୫ଟାରୁ ରୋଡ୍‌ ସୋ’ ସରିବା ଯାଏଁ ଏସବୁ ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ବନ୍ଦ ରହିବ । ସାଢେ ୫ଟାରୁ ରୋଡ୍‌ ସୋ ସରିବା ଯାଏଁ ସିଆରପି ପଟୁ ରେଣ୍ଟାଲ କଲୋନି ଆଡକୁ କୌଣସି ଗାଡି଼ ଗଡି଼ବନି । ସାଢେ ୬ଟାରୁ ରୋଡ୍‌ ସୋ ସରିବା ଯାଏଁ ବିଜୁ ପଟ୍ଟନାୟକ କଲେଜ ପର୍ଯ୍ୟନ୍ତ ଗାଡ଼ି ଚଳାଚାଳ ବନ୍ଦ ରହିବ । ସାଢେ ୬ଟାରୁ ଜୟଦେବ ବିହାରରୁ କିଟ୍‌ ଛକ ଯାଏଁ ଗାଡ଼ି ଚାଲିବନି । ସେହିପରି ସନ୍ଧ୍ୟା ୭ଟା ୧୫ରୁ ରୋଡ୍‌ ସୋ ସରିବା ପର୍ଯ୍ୟନ୍ତ କିଟ୍‌ ଛକରୁ ଜୟଦେବ ବିହାର ଆଡକୁ ଗାଡି଼ ଯିବନି । ଆମ୍ବୁଲାନ୍ସ ଚଳାଚଳ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଜୟଦେବ ବିହାର ପଟୁ ଆସୁଥିବା ଆମ୍ବୁଲାନ୍ସ ଜାଭିୟର ଛଜରୁ ବାମ ମୋଡ଼ ନେଇ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବ । ପଟିଆ ପଟୁ ଆସୁଥିବା ଆମ୍ବୁଲାନ୍ସ ଡମଣାରୁ ବାମ ମୋଡ ନେଇ ଗାଡ଼କଣ ସମାନ୍ତରାଳ ରାସ୍ତା ଦେଇ ପ୍ରେସ ଛକରେ ବାହାରିବ । ରୋଡ୍‌ ସୋ’କୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ଯାନବାହନ ବାହାରିବନି ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା ଜଣାଇଛନ୍ତି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.