ଲୋକସଭା ନିର୍ବାଚନ ୨୦୧୯: ଦ୍ବିତୀୟ ପର୍ଯ୍ୟାୟରେ ୬୧.୧୨% ମତଦାନ, ହିଂସାକାଣ୍ଡ ପରେ ମଧ୍ୟ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ୭୫.୨୭ ପ୍ରତିଶତ ଭୋଟିଂ

ନୂଆଦିଲ୍ଲୀ,୧୮,୪: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଅନୁସାରେ ଆଜି ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପଡୁଚେରୀରେ ମୋଟ ୯୫ଟି ଆସନରେ ମତଦାନ ହୋଇଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୬୧.୧୨% ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗର କିଛି ସ୍ଥାନ ହିଂସାକାଣ୍ଡ ଘଟଣା ପରେ ମଧ୍ୟ ସେଠାରେ ସବୁଠାରୁ ଅଧିକ ୭୫.୨୭% ଭୋଟିଂ ହୋଇଛି। ରାଜ୍ୟର ଚୋପଡାରେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏହି ସମୟରେ ପୋଲିଂ ବୁଥରେ ଇଭିଏମ୍ ଭଙ୍ଗାରୁଜା ମଧ୍ୟ ହୋଇଥିଲା। ଅନ୍ୟପକ୍ଷେ ଓଡିଶାର ଗଞ୍ଜାମରେ ଭୋଟ ଦେବାକୁ ଆସି ଲାଇନରେ ଠିକ୍ ହୋଇଥିବା ବେଳେ ୯୫ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। କେବଳ ପଶ୍ଚିମବଙ୍ଗରେ ନୁହେଁ ବିହାରରେ ମଧ୍ୟ ନିର୍ବାଚନ ବେଳେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବାଙ୍କାରେ କିଛି ଭୋଟର ଦ୍ବିତୀୟ ଥର ଭୋଟିଂ ଦେବାର ଚେଷ୍ଟା କଲାବେଳେ ସୁରକ୍ଷାକର୍ମୀମାନେ ଲାଠିଚାର୍ଜ କରିଥିଲେ। ଏଥିରେ ୬ ଜଣ ଗ୍ରାମବାସୀ ଆହତ ହୋଇଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ରର ଉସମାନବାଦରେ ମତଦାନ ସମୟରେ ଭୋଟିଂ ପକ୍ରିୟାକୁ ଫେସବୁକରେ ଲାଇଭ କରିବା ଅଭିଯୋଗରେ ୪ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଥିରେ ଜଣେ ଏନସିପି ଛାତ୍ର ସଂଗଠନର ପଦାଧିକାରୀ ପ୍ରଣବ ପାଟିଲ ମଧ୍ୟ ରହିଛନ୍ତି।

source: https://scroll.in

ଦ୍ବିତୀୟ ପର୍ଯ୍ୟାୟରେ ୯୭ଟି ଆସନରେ ମତଦାନ ହେବାର ଥିଲା, କିନ୍ତୁ ତାମିଲନାଡୁର ଭେଲୋର ଆସନରେ ଭୋଟରଙ୍କ ମଧ୍ୟରେ ଟଙ୍କା ବଣ୍ଟାଯିବା ସନ୍ଦେହରେ ନିର୍ବାଚନ ରଦ୍ଦ କରିବାକୁ କରିବାକୁ ପଡିଥିଲା। ସେଭଳି ତ୍ରିପୁରା-ପୂର୍ବ ଲୋକସଭା ଆସନରେ ଆଇନଶୃଙ୍ଖଳା ବ୍ୟବସ୍ଥା ଠିକ୍ ନଥିବା କାରଣରୁ ୨୩ ଅପ୍ରେଲରେ ମତଦାନ ହେବ। ଦ୍ବୀତୀୟ ପର୍ଯ୍ୟାୟରେ ୧୫.୭୯ କୋଟି ଭୋଟର ମତଦାନ କରିଛନ୍ତି। ଏହି ପର୍ଯ୍ୟାୟରେ ୧୬୨୯ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି। ୧.୮୧ ଲକ୍ଷ ପୋଲିଂ ବୁଥ୍ ତିଆରି କରାଯାଇଥିଲା। ୫ଟି ରାଜ୍ୟର ୬୮ଟି ଆସନ ଏଭଳିଥିଲା ଯେଉଁଠାରେ ଏନଡିଏ-ୟୁପିଏର ସିଧା ମୁକାବିଲା ହୋଇଛି। ୩ଟି ରାଜ୍ୟର ୯ଟି ଆସନରେ ମେଣ୍ଟ ନୁହେଁ, କେବଳ ବିଜେପି-କଂଗ୍ରେସ ପାର୍ଥୀଙ୍କ ମଧ୍ୟରେ ସିଧାସଳଖ ଟକ୍କର ହୋଇଛନ୍ତି।

ସନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରପ୍ରଦେଶରେ ୮ଟି ଆସନ ପାଇଁ ୫୮.୧୨ % ମତଦାନ ହୋଇଛି। ସେଭଳି ପଶ୍ଚିମବଙ୍ଗରେ ୩ଟି ଆସନ ପାଇଁ ୭୫.୨୭ ପ୍ରତିଶତ ମତଦାନ, ବିହାରରେ ୫ଟି ଆସନ ପାଇଁ ୫୮.୧୪ ପ୍ରତିଶତ, ଓଡିଶାରେ ୫ଟି ଆସନ ପାଇଁ ୫୭.୪୧ ପ୍ରତିଶତ, ଆସାମରେ ୫ଟି ଆସନ ପାଇଁ ୭୩.୩୨ ପ୍ରତିଶତ, ମଣିପୁରରେ ଗୋଟିଏ ଆସନ ପାଇଁ ୭୪.୬୯ ପ୍ରତିଶତ, ମହାରାଷ୍ଟ୍ରରେ ୧୦ଟି ଆସନ ପାଇଁ ୫୫.୩୭ ପ୍ରତିଶତ,ଜମ୍ମୁ ଓ କଶ୍ମୀରର ୨ଟି ଆସନ ପାଇଁ ୪୩.୩୭ ପ୍ରତିଶତ, ଛତିଶଗଡର ୩ଟି ଆସନ ପାଇଁ ୬୮.୭୦ ପ୍ରତିଶତ, କର୍ଣ୍ଣାଟକର ୧୪ଟି ଆସନ ପାଇଁ ୬୧.୮୦ ପ୍ରତିଶତ, ପୁଡୁଚେରୀର ଗୋଟିଏ ଆସନ ପାଇଁ ୭୨.୪୦ ପ୍ରତିଶତ ଏବଂ ତାମିଲନାଡୁର ୩୮ଟି ଆସନ ପାଇଁ ୬୧.୧୨ ପ୍ରତିଶତ ମତଦାନ ହୋଇଛି।

source: https://www.indiatoday.in

ଦ୍ବିତୀୟ ପର୍ଯ୍ୟାୟରେ ଏହି ସବୁ ଆସନରୁ ନିର୍ବାଚନ ଲଡୁଥିବା ବଡ ନେତାଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା। କର୍ଣ୍ଣାଟକର ତୁମକୁର ଆସନରୁ ସେ ନିର୍ବାଚନ ଲଢୁଛନ୍ତି। ତାଙ୍କର ନାତି ପ୍ରଜ୍ବଳ ଭେନୋ ହାସନରୁ ଓ ନିଖିଲ ଗୌଡା ମାଣ୍ଡ୍ୟାରୁ ପ୍ରାର୍ଥୀ ହୋଇଛନ୍ତି। ସେଭଳି ଉତ୍ତର ପ୍ରଦେଶର ମଥୁରା ଆସନରୁ ବଲିଉଡ ଅଭିନେତ୍ରୀ ହେମା ମାଳିନୀ ନିର୍ବାଚନ ଲଢିଛନ୍ତ। ୨୦୧୪ରେ ସେ ଏଠାରେ ନିର୍ବାଚନ ଜିତିଥିଲେ। ତାଙ୍କର ମୁକାବିଲା ସପା-ବିଏସପି-ଆରଏଲଡିର ପ୍ରାର୍ଥୀ କୁଅଁର ନରେନ୍ଦ୍ର ସିଂହଙ୍କ ସହିତ ହୋଇଛି। କଂଗ୍ରେସ ଏଠାରୁ ମହେଶ ପାଠକଙ୍କୁ ଟିକେଟ ଦେଇଛି। ସେଭଳି କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡା ବାଙ୍ଗାଲୋର ଉତ୍ତର ଆସନରୁ ନିର୍ବାଚନ ଲଢିଛନ୍ତି। ତାଙ୍କର ମୁକାବିଲା କେବି ଗୌଡାଙ୍କ ସହିତ ହୋଇଛି। କେନ୍ଦ୍ରମନ୍ତ୍ରୀ ଜିତ୍ରେନ୍ଦ୍ର ସିଂହ ଜମ୍ମୁ-କଶ୍ମୀର ଉଦ୍ଧମପୁର ଆସନରୁ ଦ୍ବିତୀୟ ଥର ନିର୍ବାଚନରେ ମୁକାବିଲା କରିଛନ୍ତି କଂଗ୍ରେସୀ ବିକ୍ରମାଦିତ୍ୟ ସିଂହଙ୍କ ସହିତ। ସେଭଳି ଡିଆଇଏମକେ ପ୍ରତିଷ୍ଠାତା ଏମକେ କରୁଣାନିଧିଙ୍କ ଝିଅ କାନିମୋଝି ତାମିଲନାଡୁର ତୁତୁକୁଡି ଆସନରୁ ନିର୍ବାଚନ ଲଢିଛନ୍ତି। ତାଙ୍କର ମୁକାବିଲା ବିଜେପିର ଟି. ସୁନ୍ଦରରାଜନଙ୍କ ସହିତ ହୋଇଛି। ପୂର୍ବତନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଧେ କଂଗ୍ରେସର ଆସନରୁ ମହାରାଷ୍ଟ୍ରର ସୋଲାପୁରରୁ ନିର୍ବାଚନ ଲଢିଛନ୍ତି। ତାଙ୍କର ମୁକାବିଲା ବିଜେପିର ଜୟ ସିଧେଶ୍ବର ଶିବାଚାର୍ଯ୍ୟ ମହାସ୍ବାମୀଜିଙ୍କ ସହିତ ହୋଇଛି। ଅନ୍ୟପକ୍ଷେ ଉତ୍ତର ପ୍ରଦେଶର ଫତେପୁର ସିକ୍ରିରୁ ରାଜ ବବର କଂଗ୍ରେସର ଟିକେଟରୁ ନିର୍ବାଚନ ଲଢିଛନ୍ତି। ତାଙ୍କର ମୁକାବିଲା ବିଜେପିର କେ ରାଜକୁମାର ଓ ସପା-ବିଏସପି-ଆରଏଲଡିର ମେଣ୍ଟ ପ୍ରାର୍ଥୀ ଗୁଡୁ ପଣ୍ଡିତଙ୍କ ସହ ହୋଇଥିଲା। ନ୍ୟାସନାଲ କନଫ୍ରେନ୍ସର ମୁଖ୍ୟ ଫାରୁକ୍ ଅବଦୁଲା ଶ୍ରୀନଗର ଆସନରୁ ନିର୍ବାଚନ ଲଢିଛନ୍ତି। ତାଙ୍କର ମୁକାବିଲା ପିଡିପିର ଆଗା ମୋହସିନ, ପିପୁଲସ୍ କନଫ୍ରେନ୍ସର ଇରଫାନ୍ ଅନସାରୀ ଓ ବିଜେପିର ଖାଲିଦ ଜାହାଙ୍ଗୀରଙ୍କ ସହିତ ହୋଇଛି।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…