
ସିଡ୍ନୀ,୨୭/୧୧: ୟୁଏଇରେ ଆଇପିଏଲ-୧୩ର ସଫଳ ଆୟୋଜନ ପରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ବାହାରି ଯାଇଥିଲା । ଆଜିଠୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ସିଡ୍ନୀରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ସକାଳ ୯ଟା ୧୦ ମିନିଟରୁ ମ୍ୟାଚ୍ ଆରମ୍ଭ ହେବ।
କରୋନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସ ଠାରୁ ଭାରତୀୟ ଦଳ ଅନ୍ତର୍ଜାତୀୟ କ୍ରିକେଟଠୁ ଦୂରେଇ ରହିଥିଲା। ଦୀର୍ଘ ୮ ମାସ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। ମାତ୍ର ପୂର୍ବରୁ ଅଷ୍ଟ୍ରେଲିଆ ଦଳ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳି ସାରିଛି।
ଆହତ ଥିବାରୁ ଓପନର ରୋହିତ ଶର୍ମା ଦିନିକିଆ ସିରିଜରୁ ଦୂରେଇ ରହିଛନ୍ତି। ତଥାପି ତାଙ୍କ ଅନୁପସ୍ଥିତିରେ ବିରାଟ ବାହିନୀ ପୂର୍ବ ଗସ୍ତର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛି। ଆଇପିଏଲ୍ ଶେଷ ହେବା ପରେ ଭାରତୀୟ ଦଳ ୟୁଏଇରୁ ସିଧା ଅଷ୍ଟ୍ରେଲିଆ ଯାତ୍ରା କରିଥିଲା। ସେଠାରେ ପହଞ୍ଚି ଖେଳାଳି ସଙ୍ଗରୋଧରେ ରହିଥିଲେ, ମାତ୍ର ଏହି ସମୟରେ ସେମାନେ ଅଭ୍ୟାସ କରିବାର ସୁଯୋଗ ପାଇଥିଲେ । ଭାରତୀୟ ଦଳ ଏହି ଗସ୍ତରେ ଏକ ପୂର୍ଣ୍ଣାଙ୍ଗ ସିରିଜ୍ ଖେଳିବ। ପ୍ରଥମେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଶେଷ ହେବାପରେ ଟି-ଟ୍ୱେଣ୍ଟି (୩ଟି ମ୍ୟାଚ୍) ଖେଳାଯିବ। ଏହାପରେ ଡିସେମ୍ବର ୧୭ ତାରିଖରୁ ବର୍ଡ଼ର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ ଆରମ୍ଭ ହେବ।