ଭାରତରେ ସମସ୍ତ ବୋଇଙ୍ଗ୍ ୭୩୭ ମ୍ୟାକ୍ସ ୮ ବିମାନ ଆଜି ଅପରାହ୍ନ ୪ଟା ପୂର୍ବରୁ ନିଷିଦ୍ଧ କରାଯିବ

ନୂଆଦିଳ୍ଳୀ ୧୩।୩: ବୁଧବାର ଅପରାହ୍ନ ୪ଟା ସୁଦ୍ଧା ଭାରତରେ ସମସ୍ତ ବୋଇଙ୍ଗ୍ ୭୩୭ ମ୍ୟାକ୍ସ ୮ ବିମାନ ଉଡ଼ାର ନିଷିଦ୍ଧ କରାଯିବା କଥା ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି।

ଏହି ବିମାନ ଉଡ଼ାଣ ନିଷିଦ୍ଧ କରିବା ଲାଗି ମଙ୍ଗଳବାର ବିଳମ୍ବିତ ରାତିରେ ଭାରତ ନିର୍ଦେଶ ଦେଇଥିଲା। କିନ୍ତୁ ଫ୍ଲାଇଟ୍ ଟ୍ରାଙ୍କିଗରୁ ଦେଖାଗଲା ସ୍ବାଇସ୍ ଜେଟ୍ ବି୭୩୭ ମ୍ୟାକ୍ସ ବୁଧବାର ସକାଳେ ମଧ୍ୟ ଉଡାଣ କରୁଛି।
ଡିଜିସିଏର ମୁଖ୍ୟ ବିଏସ୍ ଭୁଲାରଙ୍କୁ ପଚରା ଯିବାରୁ ସେ କହିଲେ କି, ପରିସ୍ଥିତି ଯୋଗୁଁ ଏପରି ଘଟିଥାଇ ପାରେ। କେତେକ ସ୍ଥାନରୁ ଭାରତକୁ ଉକ୍ତ ବିମାନ ସବୁ ଫେରୁଥିଲେ କିମ୍ବା ପାର୍କିଙ୍ଗ୍ ନିମନ୍ତେ ଯାଉଥିବେ। ବୁଧବାର ଅପରାହ୍ନ ୪ଟା ସୁଦ୍ଧା ସମସ୍ତ ମ୍ୟାକ୍ସ ଉଡ଼ାର ବନ୍ଦ ହୋଇଯିବ।

ରବିବାର ସକାଳେ ୧୫୭ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ଇଥିଓପୀୟ ଏୟାରଲାଇନସର ଗୋଟିଏ ବୋରଙ୍ଗ୍ ୭୩୭ ମ୍ୟାକ୍ସ ୮ ଦୁର୍ଘଟଣାଗ୍ରସ୍ଥ ହେବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଯାତ୍ରୀମାନଙ୍କ ସୁରକ୍ଷାକୁ ଆମେ ପ୍ରାଧାନ୍ୟ ଦେଇ ଆସିଛୁ। ଏଥିପାଇଁ ଆମେ ସମସ୍ତେ ସମଗ୍ର ବିଶ୍ବର ରେଗୁଲେଟର ବିମାନ ଚଳାଚଳ ସଂସ୍ଥାନ ଏବଂ ବିମାନ ନିର୍ମାତାଙ୍କ ଉତ୍ତମ ପରାମର୍ଶ ଗ୍ରହଣ କରୁଛୁ ବୋଲି ସେ କହିଛନ୍ତି।