ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଦୁଇ ଦିନ ପୂର୍ବେ ଯେଉଁ ଚୀନ୍ ସୈନିକଙ୍କୁ ଧରିଥିଲା, ତାଙ୍କୁ ମଙ୍ଗଳବାର ରାତିରେ ଚୁସୁଲ –ମୋଲ୍ଡା ମିଟିଂ ପଏଣ୍ଟକୁ ଛାଡି ଦେଇଛି। ଚୁସୁଲ-ମୋଲଦି ମିଟିଂ ପଏଣ୍ଟରେ ବିଳମ୍ବିତ ରାତିରେ ଚୀନ୍ ସୈନିକଙ୍କୁ ଫେରାଇ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଗତ ସୋମବାର ଲଦାଖର ଡେମଚୋକରେ ଭୁଲରେ ଚାଲିଆସିଥିବା ଚୀନ୍ ସୈନିକଙ୍କୁ ଭାରତୀୟ ସେନା ଧରି ନେଇଥିଲା। ଚୀନର ଦାବି ଅନୁସାରେ, ତାଙ୍କର ସୈନିକମାନେ ଭୁଲରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିଲେ। ଭାରତୀୟ ସେନା ସେହି ଦିନ କହିଥିଲା, ସମସ୍ତ ଔପଚାରିକ କାର୍ଯ୍ୟ ଶେଷ ହେବାପରେ ପ୍ରୋଟକଲ୍ ଅନୁସାରେ ଚୀନର ସୈନିକଙ୍କୁ ଫେରାଇ ଦିଆଯିବ।

ଗଣମାଧ୍ୟମର ସୂଚନା ଅନୁସାରେ, ଚୀନର ସୈନିକଙ୍କୁ ଫେରାଇବା ପୂର୍ବରୁ ତାଙ୍କୁ ପଚରାଉଚରା କରାଯାଇଥିଲା। ଏହି ସମୟରେ ଚୀନର ସୈନିକଙ୍କୁ ଚିକିତ୍ସା ସହାୟତା, ଖାଦ୍ୟ ଓ ଗରମ ପୋଷାକ ଦିଆଯାଇଥିଲ।୧୯ ଅକ୍ଟୋବରରେ ଚୀନର ଏହି ସୈନିକମାନେ ପୂର୍ବ ଲଦାଖର ଡେମଚୋକ୍ ସେକ୍ଟରରେ ରାସ୍ତା ଭୁଲି ଯାଇଥିଲେ। ଭାରତକୁ ଆଶଙ୍କା ଥିଲା ଯେ, ଦୁଇ ଦେଶ ଭିତରେ ଜାରି ବିବାଦ ସମୟରେ ଚୀନ୍ ସୈନିକ ଭାରତରେ ପ୍ରବେଶ କରି ଗୁପ୍ତଚର ଭାବରେ କାମ କରୁନାହାନ୍ତି ତ? ତେବେ ଚୀନ୍  ପିଏଲଏ ଦାବି କରିଥିଲା ଯେ, ତା’ର ସୈନିକମାନେ ଭୁଲରେ ରାସ୍ତା ଭୁଲି ଯାଇଥିଲେ। ଭାରତ ପିଏଲଏ ସୈନିକଙ୍କୁ ଫେରାଇବା ପରେ ଚୀନ୍ ଭାରତକୁ ଧନ୍ୟବାଦ ଜଣାଇଛି।