ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଭାରତରେ ଗତ ୨୪ ଘଣ୍ଟାରେ ୮୯ ନୂଆ ରୋଗୀ ଚିହ୍ନଟ୍, ଗୋଟିଏ ଦିନରେ ୫ ମୃତ, ୬୯୪ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ ୨୭/୩ : ଭାରତରେ ଦିନକୁ ଦିନ କରୋନ ଭାଇରସ୍‌ (କୋଭିଡ-୧୯) ସଂକ୍ରମଣ ବଢ଼ିବାରେ ଲାଗିଛି । ପୁରା ଦେଶରେ ଲକ୍‌ଡାଉନ କରାଯିବା ଓ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଥିଲେ ମଧ୍ୟ ପ୍ରତିଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଛି । କରୋନା ଭାଇରସ୍‌ ୨୭ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କବଳିତ କରିସାରିଲାଣି । ଗତ ୨୪ ଘଣ୍ଟା ଭିତରେ ଦେଶରେ ୮୯ଟି ନୂଆ କରୋନା ସଂକ୍ରମଣ ମାମଲା ସାମ୍‌ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୬୯୪ ଛୁଇଁଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।

{"id":104087,"width":714,"height":592,"sizeSlug":"large"}

କରୋନା ସଂକ୍ରମିତଙ୍କ ମଧ୍ୟରେ ୬୪୭ଜଣ ଭାରତୀୟ ହୋଇଥିଲା ବେଳେ ୪୭ ଜଣ ବିଦେଶୀ । ସମସ୍ତ ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହା ବ୍ୟତୀତ ୪୩ ଜଣ ରୋଗୀ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୨୪ ରୋଗୀ ଚିହ୍ନଟ ହୋଇଥିଲା ବେଳେ କେରଳରେ ୧୧୮ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି କର୍ଣ୍ଣାଟକ ଓ ତେଲଙ୍ଗାନାରେ ୪୧ ରୋଗୀ ଚିହ୍ନଟ ହୋଇଥିଲା ବେଳେ ଗୁଜରାଟ ଓ ରାଜସ୍ଥାନରେ ୩୮, ଉତ୍ତରପ୍ରଦେଶରେ ୩୭ ଓ ଦିଲ୍ଲୀରେ ୩୫ ସଂକ୍ରମିତ ରୋଗୀ ରହିଥିବା ଜଣାପଡିଛି । ଅନ୍ୟପକ୍ଷରେ ଗୁରୁବାର ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧୮ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେସରକାରୀ ଭାବେ କୁହାଯାଉଥିଲା ବେଳେ ସରକାରୀ ଭାବେ ଏହି ସଂଖ୍ୟା ୧୪ ବୋଲି ସୂଚନା ଦିଆଯାଇଛି ।

ଗୁରୁବାର ଜମ୍ମୁ-କାଶ୍ମୀରର ଶ୍ରୀନଗରରେ ଜଣେ ୬୫ ବର୍ଷୀୟ କରେନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେପଟେ ମୁମ୍ବାଇରେ ଜଣେ ୬୫ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା ବେଳେ କର୍ଣ୍ଣାଟକରେ ଜଣେ ୭୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଗୁଜରାଟର ଭାବନଗରରେ ଜଣେ ୭୦ ବର୍ଷୀୟ ବ୍ୟକ୍ତି ଓ ରାଜସ୍ଥାନର ଭିଲୱାଡାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବୁଧବାର ତାମିଲନାଡୁର ମଦୁରାଇରେ ଜଣେ ୫୪ ବର୍ଷୀୟ ବ୍ୟକ୍ତି, ମଧ୍ୟପ୍ରଦେଶର ଉଜୈନିରେ ଜଣେ ୬୫ ବର୍ଷ ବୟସ୍କ ବ୍ୟକ୍ତି ଓ ଗୁଜରାଟ ଅହମ୍ମଦାବାଦରେ ଜଣେ ୮୫ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଦିଲ୍ଲୀ, ଗୁଜରାଟ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ପଶ୍ଚିମବଙ୍ଗ ଓ ପଞ୍ଜାବରେ କରୋନା ସଂକ୍ରମିତ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ମହାରାଷ୍ଟ୍ରରେ ସର୍ବାଧିକ ୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ବେଳେ କର୍ଣ୍ଣାଟକ ଓ ଗୁଜରାଟରେ ୨ ଜଣ ଲେଖାଏ କରୋନା ରୋଗୀଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି ।

ଇତିମଧ୍ୟରେ ଦେଶର ୧୭ଟି ରାଜ୍ୟରେ କରୋନା ପାଇଁ ସ୍ୱତନ୍ତ୍ର ହସ୍ପିଟାଲ ଖୋଲାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ବର୍ତ୍ତମାନ ଭାରତରେ ଗୋଷ୍ଠୀ ସଂକ୍ରମଣ ଘଟିନାହିଁ । ତେବେ ମଶା ଦ୍ୱାରା ରୋଗ ସଂକ୍ରମଣ ହେଉଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଦେଶବାସୀଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି ଯେ ଭାରତ କୋଭିଡ-୧୯ ମୁକାବିଲା କରିବାରେ ସକ୍ଷମ ହୋଇପାରିବ । ସେ କହିଛନ୍ତି ଆମେ ଯଦି ଶତ ପ୍ରତିଶତ ସାମାଜିକ ଦୂରତା ବଜାୟ ରଖିପାରିବା ତେବେ କରୋନା ସଂକ୍ରମଣ ଶୃଙ୍ଖଳାକୁ ଭାଙ୍ଗି ପାରିବା ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କରୋନା ଭାଇରସ୍‌ ସଂକ୍ରମଣ ତଥା ଲକ୍‌ଡାଉନକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ଜାତୀୟ ରାଜପଥରେ ଆଦାୟ କରାଯାଯାଉଥିବା ଟୋଲ୍‌ ଟିକସକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଏହି ଘୋଷଣା କରିଛନ୍ତି । ଏହା ଦ୍ୱାରା ଜରୁରୀ ଯାନବାହନଗୁଡିକ ସମ୍ମୁଖୀନ ହେଉଥିବା ସମସ୍ୟା କେବଳ ଦୂର ହେବ ନାହିଁ ସେମାନଙ୍କର ବହୁ ମୂଲ୍ୟବାନ ସମୟ ମଧ୍ୟ ବଞ୍ଚିପାରିବ । ତେବେ ଟୋଲ ପ୍ଲାଜାରେ ପୂର୍ବ ଭଳି ରାଜପଥ ରକ୍ଷଣାବେକ୍ଷଣ ଓ ପରିଚାଳନା ଏବଂ ଅନ୍ୟ ଜରୁରୀ ସେବା ଜାରି ରହିବ ବୋଲି ଗଡକରୀ କହିଛନ୍ତି । ଟୋଲ ପ୍ଲାଜା ପରିଚାଳନା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନ ଅନୁସରଣ କରିବାକୁ ପୂର୍ବରୁ ମନ୍ତ୍ରଣାଳୟ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ପରାମର୍ଶ ଦେଇଥିଲା । ଦେଶରେ ଥିବା ୫୦୦ରୁ ଅଧିକ ଟୋଲପ୍ଲାଜାରେ ଗତବର୍ଷ ଡିସେମ୍ବରରୁ ଫାଷ୍ଟ୍ୟାଗ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ।

ଲକ୍‌ଡାଉନ ସମୟ ଭିତରେ ଲୋକମାନେ ଘରୁ ବାହାରି ପାରୁନାହାନ୍ତି । ତେଣୁ ଏହି ସମୟରେ ସେମାନଙ୍କ ଘରେ ଔଷଧ ପହଞ୍ଚାଇବା ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଘରେ ଯେଭଳି ଜରୁରୀ ଔଷଧ ଉପଲବ୍ଧ ହୋଇପାରିବ ସେହି ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ଯେଉଁ ସବୁ ଔଷଧ ସିଡ୍ୟୁଲ-ଏଚ୍‌ ଶ୍ରେଣୀରେ ଅନ୍ତର୍ଭୁକ୍ତ ସେହିସବୁ ଔଷଧ ଲୋକମାନଙ୍କୁ ସେମାନଙ୍କ ଘରେ ଯୋଗାଇ ଦିଆଯିବ । ଅର୍ଥାତ ଏସବୁ ଔଷଧ ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ ବିନା ପ୍ରଦାନ କରାଯାଇପାରିବ ନାହିଁ । ତେଣୁ ଜଣେ ବ୍ୟକ୍ତି ଏହି ପ୍ରେସକ୍ରିପସନକୁ ଔଷଧ ପହଞ୍ଚାଉଥିବା ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷଙ୍କୁ ଦେଖାଇପାରିବେ ନଚେତ ଇ-ମେଲ ମାଧ୍ୟମରେ ପଠାଇ ପାରିବେ ।

ସେପଟେ ଲକ୍‌ଡାଉନକୁ ସମର୍ଥନ ଜଣାଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖି ସେ କହିଛନ୍ତି କରୋନା କୋଟି କୋଟି ଭାରତୀୟଙ୍କ ଜୀବନ ଜୀବିକାକୁ ବିପନ୍ନ କରିଦେଇଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କରୋନା ଭାଇରସ୍‌ର ମୁକାବିଲା ପାଇଁ ସମଗ୍ର ଦେଶ ଏକଜୁଟ ରହିଛି । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୨୧ ଦିନିଆ ଲକ୍‌ଡାଉନ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସ ଦୃଢ଼ ସମର୍ଥନ ଜଣାଉଛି । ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ପୋଷାକ ଓ ମାସ୍କ ଯୋଗାଇଦେବାକୁ ସେ ଅନୁରୋଧ କରିଛନ୍ତି । ଏଥିସହ ଚାଷୀ ଓ ଅନ୍ୟ ବିଭିନ୍ନ କର୍ମଚାରୀଙ୍କ ଠାରୁ ଋଣ ଆଦାୟ ୬ମାସ ସ୍ଥଗିତ ରଖିବାକୁ ସୋନିଆ କେନ୍ଦ୍ର ସରକାରଙ୍କୁ ଏହି ଚିଠିରେ ଅନୁରୋଧ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.