ସାଫ୍ ମହିଳା ଫୁଟବଲ୍: ଶ୍ରୀଲଙ୍କାକୁ ହରାଇ ସେମିରେ ଭାରତ

ନୂଆଦିଲ୍ଲୀ,୧୭ା୩(ଏଜେନ୍ସି): ନେପାଳର ବିରାଟନଗର ଠାରେ ଚାଲିଥିବା ସାଫ ମହିଳା ଫୁଟବଲ୍ ଚାମ୍ପିଅନ୍ସିପ୍ରେ ୪ଥର ଡିଫେଣ୍ଡିଂ ଚାମ୍ପିଅନ୍ ଭାରତୀୟ ମହିଳା ଦଳର ଆଧିପତ୍ୟ ଜାରି ରହିଛି । ଗ୍ରୁପ୍-ବି’ର ଏକ ଲିଗ୍ ମ୍ୟାଚ୍ରେ ଭାରତ ୫-୦ ଗୋଲ୍ରେ ଶ୍ରୀଲଙ୍କାକୁ ହରାଇ ସେମି ଫାଇନାଲ୍ରେ ସ୍ଥାନ ପକ୍କା କରିଛି । ସହିଦ ରଙ୍ଗଶାଳା ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲା । ଦଳର ଆକ୍ରମଣାତ୍ମକ ରଣନୀତିର ଜବାବ ଦେଇ ପାରି ନଥିଲା ଶ୍ରୀଲଙ୍କା ।
ସାଫ୍ ଚାମ୍ପିଅନ୍ସିପ୍ରେ ଭାରତ କ୍ରମାଗତ ୨୧ଟି ମ୍ୟାଚ୍ ଅପରାଜେୟ ରହି ରେକର୍ଡ ସ୍ଥାପନ କରିଥିଲା ।
ମ୍ୟାଚ୍ ଆରମ୍ଭରୁ ଚତୁଥରତାର ସହ ଖେଳ ପ୍ରଦର୍ଶନ କରି ଭାରତ ଚତୁର୍ଥ ମିନିଟ୍ରେ ଅଗ୍ରଣୀ ହାସଲ କରିଥିଲା । ଦଳର ୱିଙ୍ଗର ଡାଙ୍ଗମେଇ ଗ୍ରେସ୍ ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ । ବାମ ୱିଙ୍ଗ୍ରେ ଖେଳୁଥିବା ସଞ୍ଜୁ ସିଧା ଗୋଲ୍ ପୋଷ୍ଟକୁ ବଲ୍ ମାରିଥିଲେ । ବଲ୍ କ୍ରସ୍ ବାର୍ରେ ବାଜି ଫେରି ଆସୁଥିବାବେଳେ ଡାହଣ ୱିଙ୍ଗ୍ରେ ଖେଳୁଥିବା ଗ୍ରେସ୍ ହେଡ୍ କରି ଗୋଲ କରିଥିଲେ ।
ସପ୍ତମ ମିନିଟ୍ରେ ସଞ୍ଜୁଙ୍କ ଆଉ ଏକ ଆକ୍ରମଣ ବଳରେ ଭାରତ ଦ୍ୱିତୀୟ ଗୋଲ୍ କରିଥିଲା । ତାଙ୍କ କ୍ରସ୍କୁ ସନ୍ଧ୍ୟା ଗୋଲ୍ରେ ପରିଣତ କରିଥିଲେ । ଭାରତ ୨-୦ ଗୋଲ୍ରେ ଅଗ୍ରଣୀ ହାସଲ କରିଥିଲା ।
ମ୍ୟାଚ୍ର ୧୭ତମ ମିନିଟ୍ରେ ରତ୍ନବାଳା ଏକ ଗୋଲ୍ କରିଥିଲେ ହେଁ ଏହାକୁ ରେଫରୀ ଅଫସାଇଡ୍ ଦର୍ଶାଇଥିଲେ । ଅବଶ୍ୟ ଏହାପରେ ଶ୍ରୀଲଙ୍କାର ରକ୍ଷଣଭାଗ ସଂଗଠିତ ହୋଇ ଭାରତକୁ ଆକ୍ରମଣରୁ ଅଟକାଇଥିଲେ ।
ଭାରତର ଆକ୍ରମଣ ବନ୍ଦ ହୋଇ ନଥିଲା । ରଣନୀତିରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଉଭୟ ୱିଙ୍ଗ୍ ପରିବର୍ତ୍ତେ ଭାରତ ସେଣ୍ଟର ମିଡ୍ ଫିଲ୍ଡରୁ ଆକ୍ରମଣ ତୀବ୍ର କରିଥିଲା । ସଞ୍ଜୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୩୬ତମ ମିନିଟ୍ରେ ସଞ୍ଜୁଙ୍କ ଏକ କ୍ରସ୍କୁ ଇନ୍ଦୁମତି ଗୋଲ୍ରେ ପରିଣତ କରିଥିଲେ ।
ସେହିପରି ୪୫ତମ ମିନିଟ୍ରେ ସଞ୍ଜୁଙ୍କ ଅନ୍ୟ ଏକ କ୍ରସ୍କୁ ଶ୍ରୀଲଙ୍କା ଡିଫେଣ୍ଡର ହାତରେ ଅଟକାଇଥିଲେ । ରେଫରୀ ସଙ୍ଗେ ସଙ୍ଗେ ଭାରତକୁ ପେନାଲ୍ଟି ସୁଯୋଗ ଦେଇଥିଲେ । ଦଳ ପକ୍ଷରୁ ସଙ୍ଗିତା ଏହାକୁ ଗୋଲ୍ରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୪-୦ ଗୋଲ୍ରେ ଅଗ୍ରଣୀ ହାସଲ କରିନେଇଥିଲା ।
ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେଉ ହେଉ ରତ୍ନବାଳା ଏକକ ଭାବେ ସେଣ୍ଟର ଅଞ୍ଚଳରୁ ବଲ୍ ନେଇ ଶ୍ରୀଲଙ୍କା ଗୋଲ୍ପୋଷ୍ଟରେ ପହଞ୍ଚାଇ ଥିଲେ । ଭାରତ ୫-୦ ଗୋଲ୍ରେ ଅଗ୍ରଣୀ ହାସଲ କରି ବିଜୟ ପକ୍କା କରିସାରିଥିଲା । ଶେଷ ଭାଗରେ ଶ୍ରୀଲଙ୍କା ମ୍ୟାଚ୍କୁ ଫେରିବା ପାଇଁ ସଂଘର୍ଷ ପରିବର୍ତ୍ତେ ରକ୍ଷଣତ୍ମକ ପନ୍ଥା ଆପଣେଇଥିଲା ।
ଦ୍ୱିତୀୟାର୍ଦ୍ଧରେ ଜବାମଣି ଟୁଡୁଙ୍କ ଏକ ଫ୍ରି-କିକ୍କୁ ଶ୍ରୀଲଙ୍କା ଗୋଲ୍ କିପର ଅଟକାଇ ଦେଇଥିଲେ । ସେହିପରି ଡାଲିମା ଛିବର ଓ ରତ୍ନବାଳା ଆଉ କିଛି ସୁଯୋଗ ହାତଛଡ଼ା କରିଥିଲେ ।
ଗ୍ରୁପ୍ ବି’ରେ ଭାରତ ସମସ୍ତ ଲିଗ୍ ମ୍ୟାଚ୍ ସର୍ବାଧିକ ପଏଣ୍ଟ ସହ ସେମି ଫାଇନାଲ୍ରେ ପ୍ରବେଶ କରିଛି । ୨୦ ତାରିଖରେ ହେବାକୁ ଥିବା ସେମି ଫାଇନାଲ୍ରେ ଭାରତ ଗ୍ରୁପ୍ ବି’ର ଦ୍ୱିତୀୟ ସ୍ଥାନରେ ଥିବା ବାଂଲାଦେଶକୁ ଭେଟିବ । ଅନ୍ୟ ସେମି ଫାଇନାଲ୍ରେ ନେପାଳ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ ।