PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି ସନ୍‌ସାଇନ୍‌ ସ୍କୁଲ୍‌ ସଭାପତି ଗୋବିନ୍ଦ ସାହୁ ଗିରଫ , ମମିତା ମର୍ଡର ମିଷ୍ଟ୍ରିର ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁ
  • ||
  • ବଲାଙ୍ଗୀର: ମୁଖ୍ୟଅଭିଯୁକ୍ତ ଚମ୍ପଟ ପରେ ଜବତ କାରର ବଢ଼ିଲା ସୁରକ୍ଷା, ଗୋବିନ୍ଦଙ୍କ ପରେ କାରକୁ ଉଠାଇଥିଲା ପୁଲିସ
  • ||
  • ବଲାଙ୍ଗୀର : ଫେରାର୍ ଗୋବିନ୍ଦ ସାହୁକୁ ଧରିବା ପାଇଁ ବଢିଲା ପୁରସ୍କାର ରାଶି, ସୂଚନା ଦେଲେ ମିଳିବ ୧ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି
  • ||
  • ବଲାଙ୍ଗୀର: ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ, ଧରାଇ ଦେଲେ ଦିଆଯିବ ୨୦ ହଜାର ଟଙ୍କାର ପୁରଷ୍କାର
  • ||
  • ବ୍ରହ୍ମପୁର: ଗୋପାଳପୁର ଛକ ନିକଟରେ ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ ଓ ଦୁଇ ଜଣ ଆହତ
  • ||
  • ବଲାଙ୍ଗୀର: ମହାଲିଙ୍ଗ ମିନି ଷ୍ଟାଡିୟମରୁ ପୋତା ଯାଇଥିବା ମମିତା ମେହେରଙ୍କ ମୃତ ଦେହ ଉଦ୍ଧାର, ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହେବ।
  • ||
  • ରଙ୍ଗେଇଲୁଣ୍ଡା: ଚାଟ୍ ମାଗିବାକୁ ନେଇ ଗଣ୍ଡଗୋଳରେ ଜଣେ ଗୁରୁତର, ଦମ୍ପତ୍ତି ଆହତ
  • ||
  • ଟିକିଟି: ସିଦ୍ଧ ବାରାହୀ ପୀଠରୁ ଚୋରି, ଦେବୀଙ୍କ ପିତଳ ମୁକୁଟ (ପ୍ରାୟ ଦେଢ଼ କିଲୋ) ସହ ୨୦ ତୋଳାରୁ ଅଧିକ ରୁପା ଅଳଙ୍କାର ଚୋରି ଅଭିଯୋଗ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୯୪କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର : ବନ୍ଦ କୋଠରୀରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ନୀଳଗିରି: ନିଶ୍ଚିତପୁରରେ ଭାଲୁ ଆକ୍ରମଣରେ ଜଣେ ଗୁରୁତର
  • ||
  • ଜଳେଶ୍ବର: ଜଳେଶ୍ବର ଷ୍ଟେସନ ବଜାରସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢାଉ, ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗାର ଜବତ
  • ||

LACରେ ମୁତୟନ ହେଲେ ବିଧ୍ୱଂସୀ ଟ୍ୟାଙ୍କ୍ ଓ ପାରା କମାଣ୍ଡୋ : ଯୁଦ୍ଧଖୋର୍‌ ଚୀନ୍‌କୁ ଜବାବ ଦେବ ଭାରତ

ନୂଆଦିଲ୍ଲୀ ୦୪/୦୮: ଗୋଟିଏ ପଟେ କୂଟନୈତିକ ଓ ସେନା ସ୍ତରରେ ଘନଘନ ବୈଠକ । ଅନ୍ୟପଟେ ଏଲ୍‌ଏସିରେ ବଦମାସି। ଯୁଦ୍ଧଖୋର୍‌ ଚୀନ୍‌ର ଏଭଳି ଦୋମୁହାଁ ନୀତିରେ ଅତିଷ୍ଠ ହୋଇ ଭାରତ ବି ସଜାଗ ହୋଇଯାଇଛି । ଚୀନ୍‌କୁ ଜବାବ ଦେବା ପାଇଁ ଏବେ ଉତ୍ତର ଲଦାଖରେ ବଳ କଷିବାରେ ଲାଗିଛି ଭାରତ । ସେଠାକୁ ଭାରୀ ତଥା ବିଧ୍ୱଂସୀ ଟ୍ୟାଙ୍କ୍‌ ଏବଂ ବହୁ ସଂଖ୍ୟାରେ ଯବାନ ମୁତୟନ କରିଛି । ତା’ଛଡ଼ା ଏବେ ଶକ୍ତିଶାଳୀ ରାଫେଲ ଯୁଦ୍ଧ ବିମାନ ଥିବାରୁ ଚୀନ୍‌କୁ ଏଣିକି ଜୋରଦାର ଜବାବ ଦେବା ପାଇଁ ଭାରତ ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

ବାସ୍ତବିକ ନିୟନ୍ତ୍ରଣରେଖା (ଏଲ୍‌ଏସି)ଠାରୁ କିଛି ଦୂରରେ ଥିବା ଦୌଲତ ବେଗ ଓଲ୍‌ଡି (ଡିବିଓ) ଏବଂ ଦେପସାଙ୍ଗଠାରେ ଚୀନ୍‌ ୧୭,୦୦୦ ସୈନିକ ମୁତୟନ କରିଛି । ଦୁଇଦେଶ ମଧ୍ୟରେ ପଞ୍ଚମ ସେନାସ୍ତରୀୟ ଆଲୋଚନା ସତ୍ତେ୍ୱ ଚୀନ୍‌ ଏଭଳି ଅସ୍ୱାଭାବିକ କାର୍ଯ୍ୟ ଜାରି ରଖିଛି । ଚୀନ୍‌ର ଏଭଳି କାରସାଦି ଜାଣିବା ପରେ ଭାରତ କାଳବିଳମ୍ବ ନ କରି ଏହି ଅଞ୍ଚଳରେ ବହୁ ସଂଖ୍ୟାରେ ସେନା ମୁତୟନ କରିଛି । ଏଥିସହ ପିପୁଲ୍‌ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ)କୁ ଜବାବ ଦେବା ପାଇଁ ଟି-୯୦ ବିଧ୍ୱଂସୀ ଟ୍ୟାଙ୍କ ମୁତୟନ କରିଛି । ଚୀନ୍‌ର ସମ୍ଭାବ୍ୟ ଆକ୍ରମଣର ତ୍ୱରିତ୍‌ ଜବାବ ଦେବା ପାଇଁ ଭାରତ ଏବେ ସଜାଗ ହୋଇଯାଇଛି ।

ସୂତ୍ର ମୁତାବକ କାରାକୋରମ୍‌ ପାସ୍‌ (ପିପି-୩) ନିକଟବର୍ତ୍ତୀ ପାଟ୍ରୋଲିଂ ପଏଣ୍ଟ ୧ଠାରୁ ଆରମ୍ଭ କରି ଦେପସାଙ୍ଗ ସମତଳ ପର୍ଯ୍ୟନ୍ତ ଭାରତ ସେନା ମୁତୟନ କରିଛି । ଏହିଠାରୁ ହିଁ ପିଏଲ୍‌ଏ ଉପରେ ନଜର ରଖାଯାଇ ପାରିବ ଏବଂ ସେମାନଙ୍କୁ ଜବାବ ଦେଇହେବ । ଚୀନ୍‌ ନିଜର ସୈନିକମାନଙ୍କୁ ଏପ୍ରିଲରୁ ମେ ମାସ ମଧ୍ୟରେ ମୁତୟନ କରିଥିଲା । ଏହାପରେ ସେମାନେ ଏହି ଅଞ୍ଚଳରେ ପିପି-୧୦ରୁ ପିପି-୧୩ ପର୍ଯ୍ୟନ୍ତ ଭାରତୀୟ ସେନାର ଗତିବିଧି ଦିଗରେ ବାଧକ ସାଜୁଥିଲେ । ସରକାରୀ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭାରତ ଉତ୍ତର ଲଦାଖରେ ଟି-୯୦ ରେଜିମେଣ୍ଟ ଟ୍ୟାଙ୍କ ମୁତୟନ କରିବା ପରେ ସେଠାରେ ପିଏଲ୍‌ଏ କୌଣସି ପ୍ରକାର ହରକତ କରିବାକୁ ଏଣିକି ସାହସ କରିବ ନାହିଁ । ଏମିତି କି ସେଠାରେ ଏବେ ସେମାନଙ୍କର ଚଲାବୁଲା କଷ୍ଟକର ହୋଇପଡ଼ିବ । ଡିଓବି ଏବଂ ଦେପସାଙ୍ଗ ସମତଳର ଆରପଟ ଅଞ୍ଚଳରେ ଚୀନ୍‌ ଯେବେ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ ଆରମ୍ଭ କରିଥିଲା, ସେତେବେଳେ ଏଠାରେ ଭାରତୀୟ ସେନାର ମାଉଣ୍ଟେନ ବ୍ରିଗେଡ ଏବଂ ଆର୍ମଡ ବ୍ରିଗେଡ ଏଲ୍‌ଏସି ଉପରେ ନଜର ରଖୁଥିଲେ । କିନ୍ତୁ ଏବେ ସେଠାରେ ୧୫,୦୦୦ରୁ ଅଧିକ ଯବାନ ମୁତୟନ କରାଯାଇଛି । ଟ୍ୟାଙ୍କ ରେଜିମେଣ୍ଟ ବି ପ୍ରସ୍ତୁତ ରଖାଯାଇଛି । ଯବାନ ଓ ଟ୍ୟାଙ୍କଗୁଡ଼ିକୁ ସଡ଼କ ଏବଂ ଆକାଶମାର୍ଗରେ ଏଠାକୁ ଅଣାଯାଇଛି ।

ସୂତ୍ର ମୁତାବକ ଚୀନ୍‌ ଏହି ଅଞ୍ଚଳରେ ସଡ଼କ ନିର୍ମାଣ କରିବାକୁ ଚାହୁଁଛି । ଚୀନ୍‌ର ଟିଡବ୍ଲ୍ୟୁଡି ବାଟାଲିୟନ୍‌ ମୁଖ୍ୟାଳୟକୁ କାରାକୋରମରେ ଯୋଡୁଥିବାରୁ ଏଠାରେ ସଡ଼କ ନିର୍ମାଣ କରାଗଲେ ଚୀନ୍‌ ସେନା ପାଇଁ ଯିବାଆସିବା ଅଧିକ ସହଜ ହୋଇପାରିବ । ଏହି ଉଦ୍ୟମକୁ ଭାରତ ପୂର୍ବରୁ ପଣ୍ଡ କରିଦେଇଥିଲା । ଚୀନ୍‌ ଯଦି ଏହି ସଡ଼କ ଭିତ୍ତିଭୂମି ନିର୍ମାଣରେ ସଫଳ ହୋଇଯାଏ, ତେବେ ଏହାର ସୈନିକମାନେ ମାତ୍ର କେଇଘଣ୍ଟା ମଧ୍ୟରେ ଏଠାରେ ପହଞ୍ଚିଯିବେ । ବର୍ତ୍ତମାନ ଏଥିପାଇଁ ଚୀନ୍‌କୁ ୧୫ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ପୂର୍ବରୁ ମଧ୍ୟ ଚୀନ୍‌ ପିପି-୭ ଓ ପିପି-୮ ନିକଟରେ ନିଜର ବ୍ରିଗେଡକୁ ମୁତୟନ କରିଥିଲା । କିନ୍ତୁ କିଛି ବର୍ଷ ପୂର୍ବେ ଭାରତ ଉକ୍ତ ବ୍ରିଗେଡକୁ ପଛକୁ ହଟାଇ ଦେଇଥିଲା ।

ସେପଟେ ଲଦାଖ ସେକ୍ଟରରେ ଜାଡ଼ ଶୀତରେ ମଧ୍ୟ ଲମ୍ବା ଅବଧିର ଯୁଦ୍ଧ ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । ଏଭଳି ଅଞ୍ଚଳରେ ତିଷ୍ଠିରହି ଚୀନ୍‌ର ଜବାବ ଦେବା ଲାଗି ୩୫,୦୦୦ ଯବାନଙ୍କୁ ତାଲିମ ଦିଆଯାଇଥିଲା। ଏବେ ସେମାନଙ୍କୁ ସେଠାରେ ମୁତୟନ କରାଯାଇଛି । ଏମାନେ ପୂର୍ବରୁ ଅଧିକ ଉଚ୍ଚବିଶିଷ୍ଟ ସ୍ଥାନ ଏବଂ ଭୀଷଣ ଶୀତରେ ବି ମୁତୟନ ରହି କାର୍ଯ୍ୟ କରିଛନ୍ତି । ତେଣୁ ସେମାନଙ୍କ ପାଇଁ ଏବେ ସେଠାରେ ଆଉ ଅସୁବିଧା ହେବନାହିଁ । ସେମାନେ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି ।

ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖରେ ଭାରତ ଓ ଚୀନ୍‌ ମଧ୍ୟରେ ବିବାଦ ଦେଖାଦେବା ପରେ ଘନଘନ ବୈଠକ ଜାରି ରହିଛି। ଗତ ରବିବାର ଦୁଇଦେଶର ଶୀର୍ଷ କମାଣ୍ଡରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ୧୧ ଘଣ୍ଟା ଧରି ଏହି ଆଲୋଚନା ହୋଇଥିଲା। ଏହି ସମୟରେ ଭାରତ ଏଲ୍‌ଏସି ନିକଟବର୍ତ୍ତୀ ସମସ୍ତ ସ୍ଥାନରୁ ଚୀନ୍‌ ଏହାର ସୈନ୍ୟ ଅପସାରଣ କରୁ ବୋଲି କହିଥିଲା। ଏମିତି କି କୂଟନୈତିକ ସ୍ତରରେ ଆଲୋଚନା ବେଳେ ମଧ୍ୟ ଭାରତ ଏହି ପ୍ରସଙ୍ଗ ଉପରେ ଜୋର ଦେଇଆସୁଛି। କିନ୍ତୁ କଥାବାର୍ତ୍ତା ତା’ ବାଟରେ ଚାଲିଥିବା ବେଳେ ଏଲ୍‌ଏସିରେ ଚୀନ୍‌ ତାହାର ହରକତ ଜାରି ରଖିଛି । ସଦ୍ୟ ଘଟଣାକ୍ରମେ ଚୀନ୍‌ ଲଦାଖକୁ ମୁହଁ କରି ବୋମାବର୍ଷୀ ବିମାନ ମୁତୟନ କରିଥିଲା। ଏହି ବିମାନ ପରମାଣୁ ବୋମା ନିକ୍ଷେପ କରିବାର କ୍ଷମତା ରଖିଛି। ତେବେ ଚୀନ୍‌ର ସବୁପ୍ରକାର ପଦକ୍ଷେପର ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି।