ଭାରତ ୨୬୦ ରନ୍‌ରେ ଆଗୁଆ: କୋହଲି, ରାହାଣେଙ୍କ ଅପରାଜିତ ଅର୍ଦ୍ଧଶତକ

ନର୍ଥ ସାଉଣ୍ଡ ୨୫/୮ : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତର ଆଧିପତ୍ୟ ଜାରି ରହିଛି । ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ପରେ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ଅର୍ଦ୍ଧଶତକ ବଳରେ ଭାରତ ବିଜୟ ପାଇଁ ପଥ ପ୍ରସ୍ତୁତ କରିଛି । ପୂର୍ବରୁ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂର ମୁକାବିଲା କରି ନପାରି ୱେଷ୍ଟ ଇଣ୍ଡିଜ୍‌ ପ୍ରଥମ ଇନିଂସରେ ୨୨୨ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ୭୫ ରନ୍‌ରେ ପ୍ରଥମ ଇନିଂସ ଆଗୁଆ ଥାଇ ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ୍‌ ହରାଇ ୧୮୫ ରନ୍‌ ସଂଗ୍ରହ କରିଛି । ଷ୍ଟମ୍ପ ଅପସାରଣ ସୁଦ୍ଧା କୋହଲି ୫୧ ଓ ରାହାଣେ ୫୩ ରନ୍‌ କରି ଅପରାଜିତ ରହିଛନ୍ତି ।
ଅସମାପ୍ତ ପ୍ରଥମ ଇନିଂସ ୮/୧୮୯ ରନ୍‌ରୁ ୱେଷ୍ଟ ଇଣ୍ଡିଜ୍‌ ବ୍ୟାଟିଂ ଆରମ୍ଭ କରିଥିଲା ।

ପୂର୍ବ ଦିନରୁ ଅପରାଜିତ ଥିବା ହୋଲ୍ଡର ଓ ମିଗ୍ୱେଲ କମିନ୍ସ ସାହସର ସହ ଭାରତୀୟ ବୋଲରଙ୍କୁ ମୁକାବିଲା କରିଥିଲେ । ଉଭୟ ନବମ ୱିକେଟ୍‌ରେ ୪୧ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୨୨୦ ବେଳେ ବ୍ୟକ୍ତିଗତ ୩୯ ରନ୍‌ କରି ହୋଲ୍ଡର ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ୨ ରନ୍‌ ମଧ୍ୟରେ ଘରୋଇ ଦଳ ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଭାରତ ପକ୍ଷରୁ ଈଶାନ୍ତ ଶର୍ମା ସର୍ବାଧିକ ୫ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

୭୫ ରନ୍‌ରେ ଅଗ୍ରଣୀ ହାସଲ କରିଥିବା ଭାରତ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ମୟଙ୍କ ଅଗ୍ରୱାଲ୍‌ ଓ ଲୋକେଶ ରାହୁଲ ୩୦ ରନ୍‌ ସଂଗ୍ରହ କରିଥିଲେ । ବ୍ୟକ୍ତିଗତ ୧୬ ରନ୍‌ କରି ଅଗ୍ରୱାଲ ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ଅପରାଜିତ ରାହୁଲଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଦ୍ୱିତୀୟ ୱିକେଟ୍‌ରେ ୪୩ ରନ୍‌ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୭୩ ବେଳେ ରାହୁଲ(୩୮) ବେପରବାୟ ସଟ ଖେଳି ବୋଲ୍ଡ ହୋଇଥିଲେ । ପରବର୍ତ୍ତୀ ୮ ରନ୍‌ ମଧ୍ୟରେ ପୂଜାରା(୨୫)ଙ୍କ ୱିକେଟ୍‌ର ପତନ ଘଟିଥିଲା । ରୋଚ୍‌ଙ୍କ ଇନ୍‌ ସୁଇଙ୍ଗ୍‌ ବଲ୍‌କୁ ପରଖି ନପାରି ସେ ବୋଲ୍ଡ ହୋଇଥିଲେ । ୮୧ ରନ୍‌ରେ ଭାରତ ୩ଟି ୱିକେଟ୍‌ ହରାଇ ସଂକଟରେ ପଡ଼ି ଯାଇଥିଲା । କୋହଲି ଓ ରାହାଣେ ପରସ୍ପର ମଧ୍ୟରେ ଉଚିତ ତାଳ ମେଳ ରଖି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ।

ଏହି ଯୋଡ଼ି ଭାଙ୍ଗିବା ପାଇଁ ଅଧିନାୟକ ଜାସନ ହୋଲ୍ଡର ୭ଜଣ ବୋଲରଙ୍କୁ ନିୟୋଜିତ କରିଥିଲେ । ହେଲେ କୌଣସି ରଣନୀତି କାମ ଦେଇ ନଥିଲା । ଉଭୟ ଷ୍ଟମ୍ପ ଅପସାରଣ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରରେ ଆଉ ୧୦୪ ରନ୍‌( ଅସମାପ୍ତ ଚତୁର୍ଥ ୱିକେଟ୍‌ ଭାଗିଦାରୀ) ଯୋଗ କରି ଦଳୀୟ ସ୍କୋରକୁ ୧୮୫ରେ ପହଞ୍ଚାଇଥିଲେ । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ରଷ୍ଟନ ଚେଜ ୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ରୋଚ ଗୋଟିଏ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆ ୨-୧ରେ ଦିନିକିଆ ସିରିଜ୍‌ ବିଜୟୀ

ଜାଡେଜାଙ୍କୁ ସୁନାର ବ୍ୟାଟ୍ ଉପହାର ଦେଲା ସିଏସକେ, ଫ୍ୟାନଙ୍କ ପାଇଁ ସେୟାର କଲେ ଫଟୋ

IPL- 2020: ବେଟିଂ ଉପରେ ନଜର ରଖିବ ସ୍ପୋର୍ଟରାଡାର

IPL-2020: ନିୟମ କୋହଳ କଲା ବିସିସିଆଇ, ମାତ୍ର ୩୬ ଘଣ୍ଟା ସଙ୍ଗରୋଧରେ ରହିବେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଖେଳାଳି

ଷ୍ଟିଭେନ୍‌ଙ୍କ ସହ ଚୁକ୍ତି କଲା ଓଡ଼ିଶା ଏଫ୍‌ସ

ଆଇସିସି ଦିନିକିଆ ମାନ୍ୟତା: ବ୍ୟାଟିଂରେ ବିରାଟ-ରୋହିତ ଆଗରେ, ବୋଲିଂରେ ବୋଲ୍ଟ-ବୁମରା