
ପୋର୍ଟବ୍ଲେୟାର, ୦୩| ୧୨: ଭାରତୀୟ ନୌସେନା ଆଣ୍ଡାମାନ ନିକୋବର ନିକଟରେ ବେଆଇନ ଭାବେ ଭାରତୀୟ ଜଳସୀମା ମଧ୍ୟକୁ ପଶି ଆସିଥିବା ଏକ ଚୀନ ଜାହାଜକୁ ଘଉଡାଇ ଦେଇଛି। ସିୟାନ-୧ ନାମକ ଏହି ଚୀନ ଜାହାଜଟି ଗୁଇନ୍ଦାଗିରି କରିବାକୁ ଭାରତୀୟ ସୀମାରେ ପଶିଥିବା କୁହାଯାଉଛି। ଯାହାକୁ ପି୮ଆଇ ଲଢୁଆ ବିମାନ ଠାବ କରିଥିଲା।

ସୂତ୍ରାନୁସାରେ, ଚୀନ ଜାହାଜ ସିୟାନ-୧ ପୋର୍ଟ ବ୍ଲେୟାର ନିକଟରେ ଭାରତୀୟ ସୀମାରେ ବେଆଇନ ଭାବେ ପ୍ରବେଶ କରିଥିଲା। ଏହା ଭାରତୀୟ ନୌସେନାର ଗତିବିଦ୍ଧି ଉପରେ ଗୁଇନ୍ଦାଗିରି କରୁଥିବା କୁହାଯାଉଛି। ଏହା ଦେଖିବା ପରେ ଭାରତୀୟ ନୌସେନା ଜାହାଜକୁ ଘଉଡାଇଦେଇଥିଲା। ନୌସେନା ଯୁଦ୍ଧ ଜାହାଜକୁ ଦେଖିବା ପରେ ଚୀନର ଜାହାଜଟି ପଳାଇଥିଲା। ପୂର୍ବରୁ ମଧ୍ୟ ଚୀନ ଅନେକ ସମୟରେ ଭାରତ ମହାସାଗରରେ ନିଜର ଦବଦବା ଜାହିର କରିବାକୁ ଉଦ୍ୟମ କରୁଥିବାର ପ୍ରମାଣ ରହିଛି।
ଭାରତୀୟ ନିୟମାନୁସାରେ, କୌଣସୀ ବିଦେଶୀ ଜାହାଜ ଭାରତୀୟ ଜଳସୀମା ମଧ୍ୟରେ ସର୍ଭେ କରିପାରିବେ ନାହିଁ । ନୌସେନା ଲଗାତାର ଭାରତ ମହାସାଗର ଅଂଚଳରେ ପ୍ରବେଶ କରୁଥିବା ଚୀନ ଜାହାଜ ଉପରେ ନଜର ରଖିଆସୁଛି। କିଛିଦିନ ପୂର୍ବରୁ ନୌସେନାର ପି୮ଆଇ ବିମାନ ଭାରତ ମହାସାଗରରେ ୭ଟି ଚୀନ ଜାହାଜକୁ ଠାବ କରିଥିଲା।

ଅନେକ ସମୟରେ ଚୀନ ଭାରତୀୟ ଜଳସୀମାରେ ସମୁଦ୍ର ଲୁଟେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଜର ଜାହାଜ ଓ ବୁଡା ଜାହାଜ ମୁତୟନ କରୁଥିବା କହିଥାଏ।କିନ୍ତୁ କେବେହେଲେ ସମୁଦ୍ର ଲୁଟେରାଙ୍କ ବିରୋଧରେ ବୁଡା ଜାହାଜ ବ୍ୟବହାର କରାଯାଏ ନାହିଁ। ଏଥିରୁ ଚୀନ ମିଛ କହୁଥିବା ପ୍ରମାଣିତ ହୁଏ।