କାଶ୍ମୀର ପ୍ରସଙ୍ଗ: ଜାତିସଂଘରେ ପାକ୍‌କୁ ଝଟ୍‌କା

ନୂଆଦିଲ୍ଲୀ ୧୨/୯: ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଜାତିସଂଘରେ ଗୁହାରି ଜଣାଇଥିଲା ପାକିସ୍ତାନ । କିନ୍ତୁ ଜାତିସଂଘ ଶେଷରେ ହାତ ଟେକିଦେଇଛି । କାଶ୍ମୀର ପ୍ରସଙ୍ଗରେ ଏହା ମୁଣ୍ଡ ଖେଳାଇବ ନାହିଁ ବୋଲି କହିବା ସହ ଆପୋସ ଆଲୋଚନା ପାଇଁ ପରାମର୍ଶ ଦେଇଛି । ଫଳରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା ଲାଗିଛି । ଚାରିଆଡ଼ୁ ନିରାଶ ହେବା ପରେ ଶେଷ ଆଶା ଜାତିସଂଘ ଥିଲା । କିନ୍ତୁ ଜାତିସଂଘର ଏଭଳି କଡ଼ା ଆଭିମୁଖ୍ୟ ପାକ୍‌ର ସବୁ ରାସ୍ତା ବନ୍ଦ କରିଦେଇଛି ।

ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରଥମେ ଚୀନ୍‌ ଓ ଆମେରିକା ଭଳି ମିତ୍ର ରାଷ୍ଟ୍ର ନିକଟରେ ମଥା ପିଟିଥିଲା । କିନ୍ତୁ କେହି ସହାୟତାର ହାତ ବଢ଼ାଇ ନଥିଲେ । ସମସ୍ତେ ଆପୋସ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ । ପରେ ଆମେରିକା ଯଦିଓ ମଧ୍ୟସ୍ଥତା ପାଇଁ ରାଜି ହୋଇଥିଲା, ଭାରତ କିନ୍ତୁ ପ୍ରତ୍ୟାଖ୍ୟାନ କରିଦେଇଥିଲା । ଆମେରିକା କାହିଁକି, ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପକୁ ପ୍ରଶ୍ରୟ ଦେବନାହିଁ ବୋଲି ଭାରତ ସ୍ପଷ୍ଟ କରିଦେଇଥିଲା । ତେଣୁ ଶେଷ ଆଶା ଭାବେ ପାକିସ୍ତାନ ଜାତିସଂଘର ମଧ୍ୟସ୍ଥତା ପାଇଁ ନେହୁରା ହୋଇଥିଲା । କିନ୍ତୁ ଏହି ଦାବିକୁ ନାପସନ୍ଦ କରିଛି ଜାତିସଂଘ । ମଧ୍ୟସ୍ଥତା ପାଇଁ କାହା ପାଖରେ ହାତ ପତେଇବା ଅପେକ୍ଷା ଆଲୋଚନା କରିବାକୁ ଏହା କହିଛି ।

ଏ ବାବଦରେ ସୂଚନା ଦେଇ ଜାତିସଂଘ ମୁଖପାତ୍ର ଷ୍ଟିଫାନେ ଦୁଜାରିକ୍‌ କହିଛନ୍ତି, ସମ୍ପ୍ରତି ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ବିବାଦ ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚିନ୍ତାବ୍ୟକ୍ତ କରିଛନ୍ତି । ଦୁଇଦେଶ ଆପୋସ ଆଲୋଚନା କରି ସମସ୍ୟାର ପ୍ରତିକାର ପାଇଁ ସେ ଆହ୍ୱାନ ଦେଇଛନ୍ତି । କିନ୍ତୁ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ସେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ।

ତାଙ୍କ କହିବାନୁଯାୟୀ ଚଳିତମାସ ୯ ତାରିଖରେ ଜାତିସଂଘରେ ଅବସ୍ଥାପିତ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧି ଆଣ୍ଟୋନିଓଙ୍କୁ ସାକ୍ଷାତ କରିଥିଲେ । ଖାସ୍‌ କାଶ୍ମୀର ପ୍ରସଙ୍ଗ ଉପରେ ସେ ଜୋର ଦେଇଥିଲେ । ବର୍ତ୍ତମାନ ପରିସ୍ଥିତିରେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘ ହସ୍ତକ୍ଷେପ କରିବା ଆବଶ୍ୟକ । ଜାତିସଂଘର ମଧ୍ୟସ୍ଥତା ଅପରିହାର୍ଯ୍ୟ ବୋଲି ସେ ଅନୁରୋଧ କରିଥିଲେ । କିନ୍ତୁ ଆଣ୍ଟୋନିଓ ଏହାକୁ ଏଡ଼ାଇ ଯାଇଥିଲେ । ସେ ନିଜର ପୂର୍ବ ଆଭିମୁଖ୍ୟ ଦୋହରାଇଥିଲେ । ପରିସ୍ଥିତିର ମୁକାବିଲା ପାଇଁ ଆପୋସ ଆଲୋଚନା ହିଁ ଶ୍ରେୟସ୍କର ବୋଲି ସେ କହିଥିଲେ ।

କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆଣ୍ଟୋନିଓ ଯୋଜନା କରୁଛନ୍ତି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ମୁଖପାତ୍ର ଦୁଜାରିକ୍‌ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗରେ ଜାତିସଂଘ ମହାସଚିବ ପୂର୍ବରୁ ଯେଉଁ ଆଭିମୁଖ୍ୟ ରଖିଥିଲେ, ତାହା ଅପରିବର୍ତ୍ତିତ ରହିଛି । ଆଗକୁ ମଧ୍ୟ ଏହା ବଦଳିବ ନାହିଁ । ଦୁଇଦେଶ ମଧ୍ୟରେ ଦେଖାଦେଇଥିବା ସମସ୍ୟାର ପ୍ରତିକାର ପାଇଁ ପାକିସ୍ତାନର ମଧ୍ୟସ୍ଥତା ଦାବିକୁ ଜାତିସଂଘ ଅଗ୍ରାହ୍ୟ କରିଦେଇଥିବା ସେ ସ୍ପଷ୍ଟ କରିଛନ୍ତି ।
ସେ ଆହୁରି କହିଛନ୍ତି, ଗତମାସରେ ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଣ୍ଟୋନିଓ ଭେଟିଥିଲେ । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କ୍ୟୁରେଶିଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । ଏହି ସମୟରେ ଦୁଇ ନେତାଙ୍କୁ ସେ ପୃଥକ୍‌ ଭାବେ ସମାନ ପରାମର୍ଶ ଦେଇଥିଲେ । ତାହା ଥିଲା ଆପୋସ ଆଲୋଚନା ।

ଉଲ୍ଲେଖଯୋଗ୍ୟ, ଆମେରିକା, ଚୀନ୍‌ ସମେତ ଜାତିସଂଘ ପକ୍ଷରୁ କାଶ୍ମୀର ପ୍ରସଙ୍ଗରେ ଆପୋସ ଆଲୋଚନା ପାଇଁ ପରାମର୍ଶ ଦିଆଯାଉଥିଲେ ହେଁ ଏହା ଆଦୌ ସମ୍ଭବ ହେବନାହିଁ । କାରଣ ଭାରତ କୌଣସିମତେ ଭବିଷ୍ୟତରେ ପାକିସ୍ତାନ ସହିତ କାଶ୍ମୀର ବାବଦରେ ଆଲୋଚନା କରିବ ନାହିଁ । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା ହୋଇଥିବାରୁ ଏଥିରେ ଅନ୍ୟ କୌଣସି ରାଷ୍ଟ୍ରର ହସ୍ତକ୍ଷେପ କିମ୍ବା ମଧ୍ୟସ୍ଥତାକୁ ଗ୍ରହଣ କରାଯିବ ନାହିଁ ବୋଲି ମୋଦି ସରକାର କହିଛନ୍ତି । ତେଣୁ ଜାତିସଂଘର ଏହି ସଦ୍ୟ ପରାମର୍ଶ ପାକିସ୍ତାନ ପାଇଁ ମୂଲ୍ୟହୀନ ସାବ୍ୟସ୍ତ ହୋଇଛ।

ମଙ୍ଗଳବାର ମିଳିତ ଜାତିସଂଘ ମାନବାଧିକାର ପରିଷଦ ବୈଠକରେ ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପାକିସ୍ତାନ ଉଠାଇଥିବା ପ୍ରତ୍ୟେକଟି ଅଭିଯୋଗର କଡ଼ା ଜବାବ ଦେଇଥିଲା ଭାରତ । ପାକିସ୍ତାନର ସମସ୍ତ ମିଥ୍ୟାଭିଯୋଗର ପର୍ଦ୍ଦାଫାସ କରିଥିଲା । ଭାରତର ସଦ୍ୟ ପଦକ୍ଷେପ (୩୭୦ ଉଚ୍ଛେଦ) ପରେ ପାକିସ୍ତାନର ଆତଙ୍କୀ ଚାଲ୍‌ ଆଉ କୌଣସିମତେ ସଫଳ ହେବନାହିଁ । ଏହା ଇମ୍ରାନ୍‌ ସରକାର ହୃଦୟଙ୍ଗମ କରିସାରିଲେଣି ବୋଲି ବହିର୍ବ୍ୟାପାର ସଚିବ ବିଜୟ ଠାକୁର ସିଂହ କହିଥିଲେ । ଏହାସହ ଜମ୍ମୁ-କାଶ୍ମୀରରେ ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ସେ ପାକ୍‌କୁ ଦାୟୀ କରିଥିଲେ । ଭାରତର ଏହି ଜବାବ ପରେ ପାକିସ୍ତାନ ସାବାଡ୍‌ ହୋଇଥିଲା ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ