ଭାରତର ପ୍ରତିଆକ୍ରମଣ ଯୋଜନା ! ମିସାଇଲ ମାଡ଼, ବିମାନ ହମ୍ଲା

ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସବୁଠି କ୍ରୋଧ ଆଉ କୋହ । ସହିଦ ଅମର ରହେ…ପାକିସ୍ତାନ ମୁର୍ଦ୍ଦାବାଦ ନାରାରେ ସମଗ୍ର ଦେଶ ସହିଦମାନଙ୍କୁ ଦେଇଛି ଅଶ୍ରୁଳ ବିଦାୟ । ଲୋକଙ୍କ ଭାବନାକୁ ଦେଖି ସବୁ ଦଳର ନେତା ଏକାଠି ହୋଇଛନ୍ତି ସର୍ବଦଳୀୟ ବୈଠକରେ । ନିର୍ଯାସ ଯାହା ହେଉ ନା କାହିଁକି ସମସ୍ତଙ୍କ ମତ ଗୋଟିଏ…ନା’ ଆଉ ହେବନି, ଏବେ ନିର୍ଣ୍ଣାୟକ ପଦକ୍ଷେପ ଜରୁରି ।
ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଆଜି ପରବର୍ତ୍ତୀ ପଦକ୍ଷେପ ପାଇଁ ଏକ ରୁଦ୍ଧଦ୍ୱାରା ବୈଠକରେ ଘଣ୍ଟାଧିକ କାଳ ବୈଠକ କରିଥିଲେ । ବୈଠକରେ ଥିଲେ ର’, ଆଇବି, ଏନଏସଜିର ବରିଷ୍ଠ ଅଧିକାରୀ । ସାମିଲ ହୋଇଥିଲେ ବି ସେନାର ତିନି ମୁଖ୍ୟ । କୁହାଯାଉଛି କିଛି ଜଣାଶୁଣା ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ ବି ନିଆଯାଇଛି । ପ୍ରତିଶୋଧର ସମସ୍ତ ବିକଳ୍ପ ବାବଦରେ ଆଲୋଚନା କରାଯାଇଛି ।
ବିଶେଷଜ୍ଞ ଓ ରଣନୀତିକାରଙ୍କ ମତରେ ପାକିସ୍ତାନ ପରମାଣୁ ରାଷ୍ଟ୍ର ହୋଇଥିବାରୁ ସିଧାସଳଖ ଯୁଦ୍ଧ ଘାତକ ହେବ । ପାକିସ୍ତାନ ସତର୍କ ଥିବାରୁ ସର୍ଜିକାଲ ଷ୍ଟ୍ରାଇକ ବର୍ତ୍ତମାନ ପାଇଁ ବିକଳ୍ପ ନୁହେଁ । ଏହା ବ୍ୟତୀତ ମିସାଇଲ ମାଡ଼ ଓ ବିମାନ ଆକ୍ରମଣ ହିଁ ଉଚିତ ବିକଳ୍ପ । ପାକ୍ ପ୍ରାୟୋଜିତ ଆତଙ୍କବାଦର ମେରୁଦଣ୍ଡ ପାକ୍ ଅଧିକୃତ କାଶ୍ମୀର (ପିଓକେ) । ପିଓକେକୁ ଭାରତ ନିଜର ଅଂଶ ବୋଲି ଆନ୍ତର୍ଜାତିକ ଫୋରମରେ ଦାବି କରି ଆସୁଛି । ଯଦି ପିଓକେରେ ଥିବା ଆତଙ୍କବାଦୀଙ୍କ ଲଞ୍ଚ୍ ପ୍ୟାଡ ଉପରେ ଆମ ସେନା କ୍ଷେପଣାସ୍ତ୍ର ମାଡ଼ କରେ ତେବେ ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇପାରିବ । ଏହା ବଦଳରେ ପାକିସ୍ତାନ କେବଳ କାଶ୍ମୀରକୁ ଟାର୍ଗେଟ କରିବ (କାରଣ କାଶ୍ମୀରକୁ ସେ ନିଜ ଅଂଶ ବୋଲି ଦାବି କରୁଛି) । ଏହା ହେଲେ ଆକ୍ରମଣ-ପ୍ରତିଆକ୍ରମଣ କେବଳ ପିଓକେ ଓ କାଶ୍ମୀର ମଧ୍ୟରେ ସୀମିତ ରହିବ ଏବଂ ଏହାକୁ ଆନ୍ତର୍ଜାତିକ ଶକ୍ତି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବୋଲି ବିବେଚନା କରି ପାରିବେ ନାହିଁ ।
ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କୁ ସେନାର ବରିଷ୍ଠ ଅଧିକାରୀମାନେ ମତ ଦେଇଛନ୍ତି କି କେବଳ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ, ଯଥେଷ୍ଟ ହେବ ନାହିଁ । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ସେନାକୁ ବି ସମୁଚିତ ଶିକ୍ଷା ଦେବାକୁ ପଡ଼ିବ । ପାକ୍ ସେନାର ଏଭଳି କ୍ଷତି କରିବାକୁ ହେବ ଯଦ୍ଦ୍ୱାରା ସିଏ ଆତଙ୍କବାଦକୁ ପ୍ରଶୟ ଦେବା ଉପରେ ପୁନର୍ବିଚାର କରିବ । ଏଥିପାଇଁ ସେନା ତରଫରୁ ସମସ୍ତ ପ୍ରକାର ବିକଳ୍ପ ଖୋଲାରହିଛି ।
କିଛି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି କି ପିଓକେରେ ଭାରତ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ ମାଡ଼ କରି ଆତଙ୍କୀ ଶିବିର ଏବଂ ଆତଙ୍କବାଦୀଙ୍କ ଲୁଚିଥିବା ସ୍ଥାନକୁ ନଷ୍ଟ କରିପାରିବ । ଭାରତ ମଧ୍ୟ ବାୟୁସେନାର ଯୁଦ୍ଧବିମାନକୁ ବ୍ୟବହାର କରି ଆକ୍ରମଣ କରିପାରେ । ଅଧିକାଂଶ ବିଶେଷଜ୍ଞ ଭାରତ ଦ୍ୱାରା ଯୁଦ୍ଧବିମାନ ଯୋଗେ ଆକ୍ରମଣ କରାଯିବା ସବୁଠାରୁ ଭଲ ବିକଳ୍ପ ବୋଲି ମତ ଦେଇଛନ୍ତି ।
ଏଭଳି ବିକଳ୍ପ ନେଇ ଇସ୍ରାଏଲ ଓ ରୁଷ ଭଳି ବନ୍ଧୁ ରାଷ୍ଟ୍ରଙ୍କ ମତ ପରାମର୍ଶ ଲୋଡ଼ା ଯାଇଥିବା କୁହାଯାଉଛି । ସେହିପରି ପ୍ରାୟ ୨୦ ପ୍ରଭାବୀ ରାଷ୍ଟ୍ରଙ୍କୁ ଭାରତ ନିଜ ମନୋଭାବ ନେଇ ଅବଗତ କରାଇ ସମର୍ଥନ ସଂଗ୍ରହ କରୁଛି । ଯଦ୍ୱାରାକି ଭାରତର ଯେକୌଣସି ପଦକ୍ଷେପକୁ ବିଶ୍ୱ ସମୁଦାୟ ଯେପରି ସମର୍ଥନ କରିବେ । ଏହାର ଫଳସ୍ୱରୂପ ଗତକାଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନିଜ ସୁରକ୍ଷା ପାଇଁ ଯେକୌଣସି କାର୍ଯ୍ୟାନୁଷ୍ଠାନ କରିବାର ଅଧିକାର ଭାରତର ରହିଛି ।
ସଂଯୋଗବଶତଃ ଭାରତୀୟ ବାୟୁସେନା ଏବେ ରାଜସ୍ଥାନର ପୋଖରାନରେ ‘ ବାୟୁଶକ୍ତି-୨୦୧୯’ ନାମରେ ଏକ ଯୁଦ୍ଧାଭ୍ୟାସ କରୁଛି । ଏହି ଯୁଦ୍ଧାଭ୍ୟାସ ଆଜି ଠାରୁ ଆରମ୍ଭ ହୋଇଛି । ସେଠାରେ ଭାରତର ସୁଖୋଇ ୩୦- ଏମକେଆଇ, ମିରେଜ-୨୦୦୦ ଏବଂ ଜାଗୁଆର ଡିପ୍ ପେନିଟ୍ରେସନ ଏୟାରକ୍ରାଫ୍ଟ ଭଳି ପ୍ରାୟ ୧୫୦ ଯୁଦ୍ଧବିମାନ, ଡ୍ରୋନ, ଆୱାକ୍ସ ଆଦି ମୁତୟନ କରାଯାଇଛି । ସେଗୁଡିକୁ ଯୁଦ୍ଧ ପାଇଁ ତତ୍କ୍ଷଣାତ ବ୍ୟବହାର କରାଯାଇପାରିବ ।
ଭାରତ ପାଖରେ ଅନ୍ୟ ଏକ ବିକଳ୍ପ ହେଉଛି ଏଲଓସି ନିକଟରେ ପାକ୍ ସେନାକୁ କଡ଼ା ଜବାବ ଦେବା ପାଇଁ ଅଧିକ ଦୂର ଯାଏଁ ଲକ୍ଷ୍ୟଭେଦ କରିପାରୁଥିବା ତୋପ ଏବଂ ରୁଷ ନିର୍ମିତ ସ୍ମର୍ଚ୍ଚ ରକେଟ ଲଞ୍ଚର (୯୦ କିମି ଦୂର ଯାଏଁ ରେଞ୍ଜ) ବ୍ୟବହାର କରି ପିଓକେରେ ଥିବା ଆତଙ୍କୀ ଶିବିରକୁ ନଷ୍ଟ କରିପାରିବ ।
ଏହା ଫଳରେ ଭାରତ ଏଲଓସି ଓ ଆନ୍ତର୍ଜାତିକ ସୀମା ନିକଟରେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ପୋଷ୍ଟକୁ ନିଜ କବ୍ଜାକୁ ଆଣିପାରେ । ଭିମ୍ବେର ଗଲି ସେକ୍ଟରରେ ଥିବା ପୋଷ୍ଟ, ହାଜିପୀର ପୋଷ୍ଟଗୁଡିକୁ ଭାରତ ନିଜ ଅଧୀନକୁ ଆଣିପାରିବ । କାରଣ ଏହି ଅଞ୍ଚଳର ଭୌଗୋଳିକ ସ୍ଥିତିର ଫାଇଦା ଉଠାଇ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତକୁ ଅନୁପ୍ରବେଶ କରାଉଛି । ୧୯୬୫ରେ ଭାରତ ହାଜିପୀର ପାସ୍ ଉପରେ କବ୍ଜା କରିଥିଲା । କିନ୍ତୁ ଯୁଦ୍ଧ ପରେ ଭାରତ ସରକାର ତା’କୁ ପାକିସ୍ତାନକୁ ଫେରାଇ ଦେଇଥିଲେ । ତେବେ ଭାରତ ଏଭଳି ଉଦ୍ୟମ କଲେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆହୁରି ବଢ଼ିଯିବାର ଆଶଙ୍କା ରହିଛି । ସେହିପରି ଗୁଇନ୍ଦ ସଂସ୍ଥାଙ୍କୁ ବ୍ୟବହାର କରି ଅତି ଗୋପନୀୟ ଭାବେ ଅପରେସନ ଚଳାଇ ପାକିସ୍ତାନ ଭିତରେ ଆତଙ୍କବାଦୀ ଏବଂ ପାକ୍ ସେନା ଅଧିକାରୀଙ୍କୁ ହତ୍ୟା କରିପାରିବ ।
ଅପରପକ୍ଷରେ, ୪୦ ସହିଦ ଯବାନଙ୍କର ଆଜି ନିଜ ନିଜର ପୈତୃକ ଗ୍ରାମରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯାଇଛି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ସେମାନଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଗତକାଲି ସେମାନଙ୍କ ପାର୍ôଥବ ଶରୀର ଶ୍ରୀନଗରରୁ ନୂଆଦିଲ୍ଲୀ ଅଣାଯିବା ପରେ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ବହୁ ନେତା ଓ ୩ ବାହିନୀର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପାର୍ଥିବ ଶରୀରକୁ ବିଭିନ୍ନ ରାଜ୍ୟରେ ଥିବା ସହିଦଙ୍କ ପୈତୃକ ଗାଁକୁ ପଠାଇ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଗୁରୁବାର ପୁଲୱାମା ଜିଲ୍ଲାର ଅବନ୍ତିପୁରା ନିକଟରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଜଣେ ଜୈସ୍-ଇ-ମହମ୍ମଦ ଆତଙ୍କବାଦୀର ଆତ୍ମଘାତୀ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହେବା ସହ ଅନ୍ୟ ୪୦ ଜଣ ଆହତ ହୋଇଥିଲେ ।