ଯୁଦ୍ଧ ପ୍ରସ୍ତୁତି, କାଶ୍ମୀରକୁ ପଠାଗଲା ୧୦ ହଜାର ଯବାନ୍‌

ନୂଆଦିଲ୍ଲୀ/ଶ୍ରୀନଗର,୨୩ ।୨(ଏଜେନ୍ସି): ଭାରତ-ପାକ୍‌ ସୀମାରେ ବଢ଼ୁଛି ଉତ୍ତେଜନା । ସୀମାବର୍ତ୍ତୀ ଗ୍ରାମକୁ ଆବଶ୍ୟକ ପଡ଼ିଲେ ଜରୁରି ଭିତ୍ତିରେ ଖାଲି କରିବା ପାଇଁ ଭାରତ ପ୍ରସ୍ତୁତି ଆରମ୍ଭ କରିଛି । ବିଚ୍ଛିନ୍ନତାବାଦୀ ନେତାଙ୍କ ଉପରେ ଳଗାମ ଆରମ୍ଭ ହୋଇଯାଇଛି । ପରିସ୍ଥିତିର ମୁକାବିଲା ପାଇଁ କାଶ୍ମୀରରେ ପହଞ୍ଚିଛନ୍ତି ହଜାରେ ବିଏସ୍‌ଏଫ୍‌ ଯବାନ । ଅପରପକ୍ଷେ ପାକିସ୍ତାନ ମଧ୍ୟ ସୀମାରେ ସୈନ୍ୟ ଠୁଳ କରିବା ସହ ଗ୍ରାମ ଗୁଡ଼ିକର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି ।
ଭାରତୀୟ ସେନାର ଅଧିକାରୀମାନେ ଜମ୍ମୁ-କାଶ୍ମୀର ସଂଲଗ୍ନ ସୀମାବର୍ତ୍ତୀ ଗ୍ରାମଗୁଡ଼ିକରୁ ଯେକୌଣସି ମୁହୂର୍ତ୍ତରେ ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତ ରହିବାକୁ ସ୍ଥାନୀୟ ପ୍ରଶାସନକୁ ପରାମର୍ଶ ଦେଇଛି । ସେନା ଓ ପ୍ରଶାସନର ଅଧିକାରୀମାନେ ସାଧାରଣ ଲୋକଙ୍କୁ କେଉଁ କେଉଁ ସ୍ଥାନକୁ ନିଆଯିବ ସେ ବିଷୟରେ ଆଲୋଚନା କରିବା ସହିତ ତାହାର ନିରୀକ୍ଷଣ ବି କରିଛନ୍ତି । ସୀମାବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ବି ଜରୁରୀକାଳୀନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଅନେକଥର ଏନେଇ ଇଙ୍ଗିତ ଦେଇସାରିଛନ୍ତି । ଏମିତିକି ଆମେରିକାର ରାଷ୍ଟ୍ରପତିି ଡୋନାଲ୍ଡ ଟ୍ରମ୍ପ ବି ଆଜି କହିଛନ୍ତି ଯେ ଭାରତ କିଛି କଡ଼ା ପଦକ୍ଷେପ ନେବାକୁ ଯାଉଛି ।
ସେହିପରି ପାକିସ୍ତାନ ପୂର୍ବରୁ କହିସାରିଛି ଯେ ସିଏ ଭାରତ ଆକ୍ରମଣର କଡ଼ା ଜବାବ ଦେବ । ଗତକାଲି ପାକ୍‌ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏଲଓସି ନିକଟରେ ଥିବା ଫରୱାର୍ଡ ପୋଷ୍ଟଗୁଡିକ ପରିଦର୍ଶନ କରିବା ସହିତ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କରିଥିଲେ । ପାକ୍‌ ସେନା ମଧ୍ୟ ଏଲଓସି ନିକଟରେ ଥିବା ଗ୍ରାମଗୁଡ଼ିକରୁ ଲୋକଙ୍କୁ ପୂର୍ବରୁ ଖାଲି କରିସାରିଛି । ସେହିପରି ପାକ୍‌ ସେନା ଦେଶର ସମସ୍ତ ବେସାମରିକ ହସ୍ପିଟାଲଗୁଡିକରେ ୨୫% ବେଡ୍‌ ଆହତ ସୈନିକମାନଙ୍କ ପାଇଁ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛି । ଦୁଇ ଦିନ ପୂର୍ବରୁ ପାକ୍‌ ବାୟୁସେନା ବି ଭାରତର ସୀମା ନିକଟରେ ଉଡାଣ ଭରି ନିଜର ପ୍ରସ୍ତୁତି ପରଖିଥିଲା । ଏସବୁଥିରୁ ଭାରତ ଓ ପାକିସ୍ତାନ ବିରୋଧରେ ଯୁଦ୍ଧ ଲାଗିବା ଥୟ ବୋଲି ମନେ କରାଯାଉଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଏବଂ ଗୁଇନ୍ଦା ସଂସ୍ଥାଗୁଡିକର ମୁଖ୍ୟମାନଙ୍କ ସହ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି । କିନ୍ତୁ ବୈଠକରେ ଆଲୋଚନାର ବିଷୟବସ୍ତୁ ସମ୍ପର୍କରେ କିଛି ତଥ୍ୟ ସାର୍ବଜନୀନ କରାଯାଇନାହିଁ । ହେଲେ ପୁଲୱାମା ବିସ୍ଫୋରଣ ପରେ ଦେଖାଦେଇଥିବା ପରିସ୍ଥିତି ଉପରେ ଏଥିରେ ଆଲୋଚନା କରାଯାଇଛି ବୋଲି ମନେ କରାଯାଉଛି ।
ଅନ୍ୟପଟରେ ପୁଲୱାମା ବିସ୍ଫୋରଣ ପରେ ଏବେ କେନ୍ଦ୍ର ସରକାର କାଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରିଛନ୍ତି । ସରକାର ପୂର୍ବରୁ ଅନେକ ହୁରିୟାତ୍‌ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରିନେଇଥିଲେ । ଏବେ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଅଟକ ରଖାଯିବା ଅଭିଯାନ ଆରମ୍ଭ ହୋଇଛି । ଶୁକ୍ରବାର ରାତିରେ ଜେକେଏଲଏଫ ନେତା ୟାସିନ ମଲ୍ଲିକକୁ ଅଟକ ରଖାଯାଇଥିଲାବେଳେ ମଧ୍ୟରାତ୍ରି ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୌଳବାଦୀ ସଂଗଠନ ଜମାତ -ଇ-ଇସଲାମୀର ୧୫୦ ନେତାଙ୍କୁ ବି ଅଟକ ରଖାଯାଇଛି ।
ଶୁକ୍ରବାର ମଧ୍ୟରାତ୍ରିରେ ପୁଲିସ ହଠାତ କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଜମାତ ନେତାମାନଙ୍କୁ ଅଟକ ରଖିବା ଆରମ୍ଭ କରିଥିଲା । ଜମାତର ଅଧ୍ୟକ୍ଷ ଅବଦୁଲ ହମିଦ ଫୟାଜ ଏବଂ ପ୍ରବକ୍ତା ଜାହିଦ ଅଲ୍ଲୀଙ୍କୁ ଅଟକ ରଖାଯାଇଥିଲା । କିନ୍ତୁ ପୁଲିସ ଏହାର କିଛି କାରଣ ଦର୍ଶାଇନଥିଲା । ଜଣେ ପୁଲିସ ଅଧିକାରୀ କହିଥିଲେ କି କାଶ୍ମୀର ଘାଟିରେ ବିଚ୍ଛିନ୍ନତାବାଦୀମାନଙ୍କୁ ଅଟକ ରଖାଯିବା ନିୟମିତ ଘଟଣା । ତେବେ ସେ ସ୍ୱୀକାର କରିଥିଲେ କି ହୁରିୟାତ ମେଣ୍ଟରେ ସାମିଲ ଥିବା ଜମାତ ଇ ଇସଲାମୀ ସଂଗଠନ ଉପରେ ପ୍ରଥମ ଥର ପାଇଁ ଏପରି ଚଢ଼ାଉ କରାଯାଇଛି ।

ଜମାତର ଅଧ୍ୟକ୍ଷ ଫୟାଜ ଓ ଅନ୍ୟ ନେତାମାନେ କହିଛନ୍ତି କି ‘ସେମାନଙ୍କର ଜିଲା ଓ ରାଜ୍ୟ ସ୍ତରୀୟ ନେତାମାନଙ୍କୁ ଅଟକ ରଖାଯାଇଛି । ଏହାର କାରଣ କ’ଣ? ସୋମବାର ସୁପ୍ରିମକୋର୍ଟରେ ଧାରା ୩୫(କ)କୁ ରଦ୍ଦ କରଯିବା ମାମଲା ଉପରେ ଶୁଣାଣି ହେବାର ଅଛି । ଏହାକୁ ବିରୋଧ କରି ଘାଟିରେ ଅସନ୍ତୋଷର ଦାନା ବାନ୍ଧୁଥିଲାବେଳେ ତାହାକୁ ଦମନ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଉଥିବାର ମନେ ହେଉଛି । ଏଥିରୁ ଲାଗୁଛି ସରକାର ଧାରା ୩୫(କ)କୁ ରଦ୍ଦ କରିବା ସପକ୍ଷରେ ଅଛନ୍ତି । ସରକାରଙ୍କ ଏଭଳି ଦମନଲୀଳା ଯୋଗୁ ପରସ୍ଥିତି ଆହୁରି ବିଗିଡ଼ିବ’ । ଏହି ଘଟଣା ଉପରେ ଅସନ୍ତୋଷ ବ୍ୟକ୍ତ କରି ପିଡିପି ନେତ୍ରୀ ମେହବୁବା ମୁଫତି କହିଛନ୍ତି ଯେ ଏଭଳି ପଦକ୍ଷେପର ଯଥାର୍ଥତା କ’ଣ? ଏହାଯୋଗୁ ପରିସ୍ଥିତିରେ ଆହୁରି ଅବନତି ହେବ । ସରକାର ଜଣେ ବ୍ୟକ୍ତିକୁ ଜେଲରେ ରଖିପାରିବେ, ତା’ର ଚିନ୍ତାଧାରାକୁ ନୁହେଁ ।

୧୦,୦୦୦ ଯବାନଙ୍କୁ କାଶ୍ମୀର ପଠାଗଲା
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତୁରନ୍ତ ଅର୍ଦ୍ଧ-ସାମରିକ ବାହିନୀର ୧୦,୦୦୦ ଯବାନଙ୍କୁ କାଶ୍ମୀର ଯିବାକୁ ନିର୍ଦ୍ଦେଶ ଦେଇଛି । ତେଣୁ ଆଜି ସକାଳୁ ଯବାନମାନେ ପହଞ୍ଚିବା ଆରମ୍ଭ ହୋଇଯାଇଛି । କିଛି ବିଏସ୍‌ଏଫ୍‌ ଯବାନ ଆଜି କାଶ୍ମୀରରେ ପହଞ୍ଚିଛନ୍ତି । ୧୪ ବର୍ଷର ବ୍ୟବଧାନ ପରେ ବିଏସ୍‌ଏଫ୍‌ ଯବାନମାନଙ୍କୁ ପୁଣି ଥରେ କାଶ୍ମୀରରେ ମୁତୟନ କରାଯାଇଛି । ହଠାତ୍‌ ଏତେ ସଂଖ୍ୟକ ଯବାନଙ୍କୁ ସେଠାକୁ ପ୍ରେରଣ କରାଯିବାର କାରଣ ସମ୍ପର୍କରେ କିଛି କୁହାଯାଇନାହିଁ । ତେଣୁ ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଉଛି । କିଛି ଲୋକ ମତ ଦେଉଛନ୍ତି କି ଏହା ରାଜ୍ୟରେ ଧାରା ୩୫(କ) ଏବଂ ଧାରା ୩୭୦କୁ ରଦ୍ଦ କରାଯିବାର ପ୍ରସ୍ତୁତି । କେନ୍ଦ୍ର ସରକାର ଏହି ଦୁଇ ଧାରାକୁ ରଦ୍ଦ କରିବା ପାଇଁ ସ୍ଥିର କରିସାରିଛନ୍ତି । କିନ୍ତୁ ଏହାଯୋଗୁ କାଶ୍ମୀରରେ ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସେହିପରି ପୁଲୱାମା ବିସ୍ଫୋରଣ ପରେ ସରକାର ବିଚ୍ଛିନ୍ନତାବାଦୀଙ୍କ ଉପରେ ଚଢ଼ାଉ ଆରମ୍ଭ କରିଥିବାରୁ ତାହାଯୋଗୁ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିପାରେ । ତେଣୁ ଏତେସଂଖ୍ୟକ ଯବାନଙ୍କୁ ପ୍ରେରଣ କରାଯାଉଛି ବୋଲି ମଧ୍ୟ ମତ ପ୍ରକାଶ ପାଇଛି । କିନ୍ତୁ ଆଜି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି କି ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଅତିରିକ୍ତ ଯବାନଙ୍କୁ ସେଠାକୁ ପଠାଯାଇଛି । ଏହାକୁ ନେଇ କରାଯାଉଥିବା କଳ୍ପନାଜଳ୍ପନା ଯୋଗୁ କାଶ୍ମୀର ଘାଟିରେ ସାଧାରଣ ଲୋକେ ଆତଙ୍କିତ ହୋଇପଡିଛନ୍ତି ଏବଂ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ଠୁଳ କରୁଛନ୍ତି । ତେଣୁ ତେଜରାତି ଓ ଅନ୍ୟ କିଛି ଦୋକାନରେ ପ୍ରବଳ ଭିଡ଼ ଲାଗିଥିଲା । ସେହିପରି ପେଟ୍ରୋଲ ପମ୍ପଗୁଡିକରେ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଧାରା ୩୫(କ) ଉପରେ ସୋମବାର ଶୁଣାଣି
ଜମ୍ମୁ-କାଶ୍ମୀରର ଲୋକଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ସମ୍ବିଧାନର ଧାରା ୩୫(କ) ଉପରେ ସୁପ୍ରିମକୋର୍ଟରେ ସୋମବାର ଶୁଣାଣି ହେବାର ଅଛି । ଏହି ଧାରା ଯୋଗୁ ଭାରତର ଅନ୍ୟ ଭାଗର ଲୋକେ ଜମ୍ମୁ-କାଶ୍ମୀରରେ ସମ୍ପତ୍ତି କ୍ରୟ କରିପାରିବେ ନାହିଁ କି ସେଠାରେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ପାଇପାରିବେ ନାହିଁ । ଏହାକୁ ରଦ୍ଦ କରିବା ପାଇଁ ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ସରକାର ଧାରା ୩୫(କ) ସହିତ ଧାରା ୩୭୦କୁ ରଦ୍ଦ କରିବାକୁ ପଦକ୍ଷେପ ନେଇପାରନ୍ତି । ଏହି ଦୁଇ ଧାରା ଯୋଗୁ ରାଜ୍ୟରେ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦ ମୁଣ୍ଡ ଟେକିଛି ବୋଲି ଅଧିକାଂଶ ମତ ଦେଉଛନ୍ତି । ତେଣୁ ମୋଦି ସରକାର ଏଗୁଡିକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ମତ ଦେଇପାରନ୍ତି ବୋଲି କୁହାଯାଉଛି ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି