ଆଜି ସିରିଜ ନିର୍ଣ୍ଣାୟକ ମୁକାବିଲା

ନୁଆଦିଲ୍ଲୀ,୧୨ା୩(ଏଜେନ୍ସି): ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲି ଖେଳାଯିବ ଗୁରୁତ୍ୱପୂର୍ଣ୍ଣ ପଞ୍ଚମ ଦିନିକିଆ । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତି ସାରିଥିବାରୁ ଆସନ୍ତାକାଲିର ମ୍ୟାଚ୍ ସିରିଜ୍ ଫଳାଫଳ ନିର୍ଣ୍ଣୟ କରିବ । କ୍ରମାଗତ ୨ଟି ମ୍ୟାଚ୍ ଜିତି ସ୍ଥିତି ବରାବର କରିଥିବା ଅଷ୍ଟ୍ରେଲିଆ ସବୁ ପରିସ୍ଥିତିରେ ଜିତିବାର କ୍ଷମତା ରଖିଥିବା ପ୍ରମାଣ କରି ଦେଇଛି । ଅନ୍ୟ ପଟରେ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିଲେ ହେଁ ଭାରତୀୟ ଦଳ ନିକଟରେ ରଣ କୌଶଳ ଓ ବିଭିନ୍ନତାର ଅଭାବ ଥିବା ସ୍ପଷ୍ଟ ହୋଇ ଯାଇଛି । ଆଗାମୀ ବିଶ୍ୱକପ୍ର ଟାଇଟଲ ଦାବିଦାର ବୋଲାଉଥିଲେ ହେଁ ଭାରତ ଏପର୍ଯ୍ୟନ୍ତ ଉପଯୁକ୍ତ ଦଳ ପ୍ରସ୍ତୁତ କରିପାରିନଥିବା ଏହି ସିରିଜ୍ର ପ୍ରଦର୍ଶନରୁ ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି ।
ଭାରତ ଗତ ଜାନୁଆରୀ ମାସରେ ଅଷ୍ଟ୍ରେଲିଆରେ ଦିନିକିଆ ସିରିଜ୍ ଖେଳିଥିଲା । ମାସେ ଭିତରେ ଉଭୟ ଦଳ ମଧ୍ୟରେ ଆଉ ଏକ ଦିନିକିଆ ସିରିଜକୁ ନେଇ ଅନେକ ସମାଲୋଚନା କରାଯାଇଥିଲା । ମାତ୍ରାଧିକ କ୍ରିକେଟ୍ ଲୋକପ୍ରିୟତା ହରାଇବ ବୋଲି ମତ ପ୍ରକାଶ ପାଇଥିଲା । ହେଲେ ଅନଭିଜ୍ଞ ଯୁବ ଅଷ୍ଟ୍ରେଲିଆ ଦଳର ପ୍ରଦର୍ଶନ ସିରିଜ୍କୁ ଚର୍ଚ୍ଚାର ଶିଖରରେ ପହଞ୍ଚାଇ ଦେଇଛି । ଶକ୍ତିଶାଳୀ ଭାରତୀୟ ଦଳକୁ ସେମାନଙ୍କ ଘରୋଇ ମାଟିରେ ହରାଇ ଅଷ୍ଟ୍ରେଲିଆ ଆଗାମୀ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇସାରିଥିବା ଦର୍ଶାଇ ଦେଇଛି ।
ସମାଲୋଚନାର ଜବାବ ଦେବେ ପନ୍ତ: ଅବିଶ୍ୱସନୀୟ ବ୍ୟାଟିଂ ଦକ୍ଷତାକୁ ନେଇ ଚର୍ଚ୍ଚାରେ ରହିଥିବା ରିଶବ ପନ୍ତ ଦୁର୍ବଳ ୱିକେଟ୍ କିପିଙ୍ଗ୍କୁ ନେଇ ପୁଣି ଥରେ ସମାଲୋଚିତ ହୋଇଛନ୍ତି । ଚତୁର୍ଥ ଦିନିକିଆରେ ଆଷ୍ଟନ ଟର୍ଣ୍ଣରଙ୍କ ଷ୍ଟମ୍ପିଂ ହାତଛଡ଼ା କରିବା ପରେ ପନ୍ତଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି । ସର୍ବୋଚ୍ଚ ସ୍ତରରେ ଖେଳିବା ପାଇଁ ଏପର୍ଯ୍ୟନ୍ତ ସେ ପ୍ରସ୍ତୁତ ହୋଇନଥିବା କ୍ରିକେଟ୍ ପଣ୍ଡିତମାନେ ମତ ଦେଇଛନ୍ତି । ତେଣୁ ଆସନ୍ତାକାଲିର ମ୍ୟାଚ୍ ପନ୍ତଙ୍କ ପାଇଁ କଡ଼ା ପରୀକ୍ଷା ହେବ । ବିଶ୍ୱକପ୍ ଖେଳିବାକୁ ସେ କେତେଦୂର ପ୍ରସ୍ତୁତ, ଆସନ୍ତାକାଲି ପ୍ରମାଣ କରିବେ ।
ଟର୍ଣ୍ଣରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି: ଚତୁର୍ଥ ଦିନିକିଆରେ ବିସ୍ଫୋରକ ବ୍ୟାଟିଂ କରି ବିଜୟ ଛଡ଼ାଇ ନେଇଥିବା ଆଷ୍ଟନ ଟର୍ଣ୍ଣରଙ୍କୁ ନେଇ ଭାରତୀୟ ଶିବିର ଚିନ୍ତାରେ ରହିବା ସ୍ୱାଭାବିକ୍ । ସେ ଏହି ମ୍ୟାଚ୍ରେ ୪୩ଟି ବଲ୍ରୁ ଅପରାଜିତ ୮୪(୫ଚୌକା, ୬ଛକା) ରନ୍ କରିଥିଲେ । ଭାରତର କୌଣସି ବୋଲର ତାଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ ।
ବର୍ତ୍ତମାନ ଟର୍ଣ୍ଣରଙ୍କୁ ଅଟକାଇବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ । କେବଳ ସେତିକି ନୁହେଁ, ଫିଲ୍ଡିଂରେ ଉନ୍ନତି ନଆଣିଲେ ବିଜୟ ଅସମ୍ଭବ ହୋଇଯିବ । ମୋହାଲିରେ ଭାରତୀୟ ଖେଳାଳିମାନେ ଏକାଧିକ କ୍ୟାଚ୍ ହାତଛଡ଼ା କରିଥିଲେ ।
କମିନ୍ସ ପ୍ରସ୍ତୁତ: ଚତୁର୍ଥ ଦିନିକିଆରେ ୫ଟି ୱିକେଟ୍ ନେଇ ପ୍ୟାଟ୍ରିକ୍ କମିନ୍ସ ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଉଭୟ ପଟେ ବଲ୍ ସୁଇଂ କରାଇବାର କ୍ଷମତା ରଖିଥିବା କମିନ୍ସ ଭାରତୀୟ ପିଚ୍ରେ ଘାତକ ସାବ୍ୟସ୍ତ ହେବେ ବୋଲି ସହଜରେ ଗ୍ରହଣ କରିହେଉ ନାହିଁ । ହେଲେ ସେ ସବୁ ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଦେଇଛନ୍ତି ।
ଟସ୍ ଗୁରୁତ୍ୱପୂର୍ଣ୍ଣ: ଫିରୋଜ ଶାହ କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରିବା ନିଶ୍ଚିତ । ଆସନ୍ତାକାଲି ପାଗ କୋହଲା ରହିବ । ତେଣୁ ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ
ଭାରତ: ଶିଖର ଧାୱନ,ରୋହିତ ଶର୍ମା, ବିରାଟ କୋହଲି(ଅଧିନାୟକ), ଲୋକେଶ ରାହୁଲ/ଅମ୍ବାତି ରାୟୁଡୁ, ରିଶବ ପନ୍ତ, କେଦାର ଯାଦବ, ବିଜୟ ଶଙ୍କର, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ, ଜଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ: ଉସମାନ ଖୱାଜା, ଆରୋନ ଫିଞ୍ଚ (ଅଧିନାୟକ), ସନ ମାର୍ଶ, ପିଟର ହ୍ୟାଣ୍ଡ୍ସକମ୍ବ, ଗ୍ଲେନ୍ ମ୍ୟାକ୍ସୱେଲ୍, ଆଷ୍ଟନ ଟର୍ଣ୍ଣର, ଆଲେକ୍ସ କ୍ୟାରୀ, ପ୍ୟାଟ୍ରିକ୍ କମିନ୍ସ, ନାଥାନ ଲିୟନ, ଝେୟ ରିଚାର୍ଡସନ, ଆଡାମ ଜାମ୍ପା ।