ଭାରତ ସହ ବାଣିଜ୍ୟ ଯୁଦ୍ଧ କରି ନିଜ ଗୋଡ଼ରେ କୁରାଢ଼ି ମାରିଛି ପାକ୍‌

ନୂଆଦିଲ୍ଲୀ ୨୪/୮ : ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ଭାରତ ବିରୋଧରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି ପାକିସ୍ତାନ । ଅଗଷ୍ଟ ୯ ତାରିଖରୁ ଭାରତ ସହ ସମସ୍ତ ଦ୍ୱିପାକ୍ଷିକ କାରବାର ରଦ୍ଦ କରିଛି । ଆବେଗରେ ଆସି ନେଇଥିବା ଏହି ନିଷ୍ପତ୍ତିରେ କିନ୍ତୁ ନିଜେ ଛନ୍ଦି ହୋଇଯାଇଛି ପାକିସ୍ତାନ ।

ଯଦିଓ ବାଣିଜ୍ୟ ଯୁଦ୍ଧ ଭାରତକୁ କିଛି ମାତ୍ରାରେ ପ୍ରଭାବିତ କରିବ, ଭାରତ ଉପରେ ଅଧିକ ନିର୍ଭରଶୀଳ ଥିବାରୁ ଇସ୍‌ଲାମାବାଦ ଢେର୍‌ କ୍ଷତି ସହିବ । ଏଭଳି ନିଷ୍ପତ୍ତି ନେଇ ପାକିସ୍ତାନ ନିଜ ରାଷ୍ଟ୍ରର ବ୍ୟବସାୟୀ, ରପ୍ତାନିକାରୀଙ୍କ ଚିନ୍ତା ବି ବଢ଼ାଇ ଦେଇଛି ।

୨୦୧୮ରେ ଜାତିସଂଘ ବାଣିଜ୍ୟ ଓ ଉନ୍ନୟନ ସମ୍ମିଳନୀରୁ ସଂଗୃହୀତ ତଥ୍ୟ ଅନୁସାରେ, ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ କାରବାର ୨୮୦ କୋଟି ଡଲାରର । ଏହି ବାଣିଜ୍ୟ କାରବାରରେ ପାକିସ୍ତାନକୁ ଭାରତ ୨୩୦ କୋଟି ଡଲାରର ସାମଗ୍ରୀ ରପ୍ତାନି ଥିବା ବେଳେ ପାକିସ୍ତାନରୁ ଭାରତକୁ ଆମଦାନି ମାତ୍ର ୫୦ କୋଟି ଡଲାର ଥିଲା । ଆସନ୍ତୁ, ନଜର ପକାଇବା କେଉଁ ସବୁ କାରଣରୁ ଏ ବାଣିଜ୍ୟ ଯୁଦ୍ଧ ପାକିସ୍ତାନକୁ ଅଧିକ ମହଙ୍ଗା ପଡ଼ିବ…

ରପ୍ତାନି ପାଇଁ ଭାରତ ଉପରେ ଅଧିକ ନିର୍ଭରଶୀଳ ପାକିସ୍ତାନ
ରପ୍ତାନି କ୍ଷେତ୍ରରେ ଭାରତ ଉପରେ ପାକିସ୍ତାନର ନିର୍ଭରଶୀଳତା ସାମାନ୍ୟ ଅଧିକ । ଭାରତର ମୋଟ ରପ୍ତାନିରେ ପାକିସ୍ତାନ ୦.୭୩% ଅଂଶୀଦାର, ଅର୍ଥାତ ଭାରତ ବିଦେଶକୁ ରପ୍ତାନି କରୁଥିବା ସାମଗ୍ରୀ ଓ ସେବା ମଧ୍ୟରୁ ଏହି ପରିମାଣର ପାକିସ୍ତାନକୁ ପଠାଇଥାଏ । କିନ୍ତୁ ପାକିସ୍ତାନର ରପ୍ତାନିରେ ଭାରତ ୧.୬୨% ଅଂଶୀଦାର ।

ପାକିସ୍ତାନରୁ ଭାରତର ଆମଦାନି ତୁଳନାରେ ଭାରତରୁ ପାକିସ୍ତାନର ଆମଦାନି ୫ ଗୁଣା:- ଆମଦାନି କ୍ଷେତ୍ରରେ ମଧ୍ୟ ଭାରତ ପାକିସ୍ତାନ ଉପରେ ଖୁବ୍‌ କମ୍‌ ନିର୍ଭରଶୀଳ । ୨୦୧୮ରେ ଭାରତର ମୋଟ ଆମଦାନିରେ ପାକିସ୍ତାନ ୦.୦୯% ଅଂଶୀଦାର ଥିଲା । ପାକିସ୍ତାନର ମୋଟ୍‌ ଆମଦାନିରେ ଭାରତର ଅଂଶ ୩.୯% ରହିଥିଲା । ମୂଲ୍ୟ ଆକାରରେ ଭାରତରୁ ପାକିସ୍ତାନର ଆମଦାନି ତୁଳନାରେ ପାକିସ୍ତାନରୁ ଭାରତର ଆମଦାନି ପ୍ରାୟ ୫ ଗୁଣା ।

ପାକିସ୍ତାନ ସିମେଣ୍ଟର ସର୍ବବୃହତ ଆମଦାନିକାରୀ ଭାରତ:- ଭାରତ ଆମଦାନି କରୁଥିବା ସାମଗ୍ରୀ ମଧ୍ୟରୁ ସିମେଣ୍ଟ ପାଇଁ ସର୍ବାଧିକ ପାକିସ୍ତାନ ଉପରେ ନିର୍ଭର କରିଥାଏ । ଦେଶର ମୋଟ ସିମେଣ୍ଟ ଆମଦାନିରେ ପାକିସ୍ତାନ ଏକାକୀ ୨୧.୩% ଅଂଶୀଦାର । ଏହାବ୍ୟତୀତ ଭାରତର ଅନ୍ୟ କୌଣସି ସାମଗ୍ରୀ ଆମଦାନିରେ ପାକିସ୍ତାନ ଅଂଶ ୧୦% ଛୁଇଁନି ।

୪୦ ସାମଗ୍ରୀ ପାଇଁ ଭାରତ ଉପରେ ନିର୍ଭରଶୀଳ ପାକିସ୍ତାନ:- ପାକିସ୍ତାନର ୪୦ଟି ପ୍ରମୁଖ ସାମଗ୍ରୀର ଆମଦାନିରେ ଭାରତ ଏକାକୀ ୧୦%ରୁ ଅଧିକ ଅଂଶୀଦାର ରହିଥାଏ । ସେଥିମଧ୍ୟରୁ ୧୭ଟି ସାମଗ୍ରୀର ଆମଦାନିରେ ଭାରତ ଏକାକୀ ୨୫% ଯୋଗାଇଥାଏ । ଭାରତ ସହ ବାଣିଜ୍ୟିକ କାରବାର ରଦ୍ଦ ଯୋଗୁ ପାକିସ୍ତାନରେ ଏ ସାମଗ୍ରୀ ମହଙ୍ଗା ହେବ ।

ଉଭୟ ରାଷ୍ଟ୍ରର ରପ୍ତାନିକାରୀଙ୍କୁ ପ୍ରଭାବିତ କରିବ ବାଣିଜ୍ୟ ଯୁଦ୍ଧ:- ଆମଦାନି ବ୍ୟାନ୍‌ ଦ୍ୱାରା ଘରୋଇ ସାମଗ୍ରୀ ମୂଲ୍ୟ ବଢ଼ିବ । କିନ୍ତୁ ରପ୍ତାନି ବ୍ୟାନ୍‌ ସାମଗ୍ରୀ ମୂଲ୍ୟ ଶସ୍ତା ହେବ । ଫଳରେ ସାମଗ୍ରୀ ଉତ୍ପାଦନକାରୀ ପ୍ରଭାବିତ ହେବେ । ଏପରିକି ନୂଆ ବଜାର ପାଇବା ପାଇଁ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ । ଭାରତର ପଶୁ ତୈଳ ଓ ତୁଳା ପାଇଁ ପାକିସ୍ତାନ ଏକ ବୃହତ ବଜାର ।

ପାକିସ୍ତାନର ୨୬ଟି ସାମଗ୍ରୀର ରପ୍ତାନିରେ ଭାରତ ୧୦%ରୁ ଅଧିକ ଅଂଶୀଦାର:- ପାକିସ୍ତାନ ବିଦେଶକୁ ରପ୍ତାନି କରୁଥିବା ସାମଗ୍ରୀ ମଧ୍ୟରୁ ୨୬ଟିର ୧୦%ରୁ ଅଧିକ ଭାରତକୁ ଆସିଥାଏ । କିନ୍ତୁ ବାଣିଜ୍ୟ ବ୍ୟାନ୍‌ ପରେ ସେଠାକାର ଏସବୁ ସାମଗ୍ରୀ ଉତ୍ପାଦନକାରୀ ବହୁଳ ଭାବେ ପ୍ରଭାବିତ ହେବେ ।

   ସମ୍ବନ୍ଧିତ ଖବର


ବିପଦ ବଢ଼ାଉଛି ‘କ୍ୟାଟ୍‌ କ୍ୟୁ’ ଭୂତାଣୁ,ମାଡ଼ିଲେ ଅନେକ ଲୋକଙ୍କ ଜୀବନ ଯିବ

ଡିସେମ୍ବରରେ ପାକିସ୍ତାନର ନ୍ୟୁଜିଲାଣ୍ଡ ଗସ୍ତ

ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଆଡଭାନୀ, ଯୋଶୀ ଓ ଉମାଭାରତୀଙ୍କ ସହ ସମସ୍ତ ୩୨ ଅଭିଯୁକ୍ତ ଦୋଷ ମୁକ୍ତ

ଆଜି ରୟାଲ୍ସ ବନାମ ନାଇଟ୍‌ ରାଇଡର୍ସର ହେବ ଲଢେଇ

କରୋନାରେ ହୋଇଥିବା ପ୍ରକୃତ ମୃତ୍ୟୁ ସଂଖ୍ୟା ଭାରତ, ରୁଷ ଓ ଚୀନ୍ ଲୁଚାଉଛନ୍ତି: ଟ୍ରମ୍ପ

ଉତ୍ତରପ୍ରଦେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କୁ ଗୁଳି କରି ହତ୍ୟା