ଆଜି ତୃତୀୟ ଟି-ଟ୍ୱେଣ୍ଟ: ଭାରତର ଅପରାଜେୟ ଲକ୍ଷ୍ୟ,ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଦକ୍ଷିଣ ଆଫ୍ରିକା

ବେଙ୍ଗାଲୁରୁ ୨୨/୯: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆସନ୍ତା କାଲି ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି । ମୋହାଲିରେ ବିଜୟ ସହ ଭାରତ ୧-୦ରେ ସିରିଜ୍‌ ଅଗ୍ରଣୀ ରହିଛି । ଆସନ୍ତାକାଲି ବିଜୟ ସହ ସିରଜ ହାତେଇବାକୁ ଘରୋଇ ଦଳ ଲକ୍ଷ୍ୟ ରଖିଛି । ଦକ୍ଷିଣ ଆଫ୍ରିକା ମଧ୍ୟ ବିଜୟ ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ।

ଟିମ୍‌ ଇଣ୍ଡିଆ ସବୁ ବିଭାଗରେ ଶକ୍ତିଶାଳୀ । ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ଦଳରେ ରହିଥିବା ଯୁବ ଖେଳାଳିମାନେ ମଧ୍ୟ ଜିତାଇବାର କ୍ଷମତା ରଖିଛନ୍ତି । ତଥାପି ତିନି ଷ୍ଟାର୍‌ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା ଓ ଶିଖର ଧାୱନଙ୍କ ଉପରେ ଭାରତର ବ୍ୟାଟିଂ ବିଭାଗ ନିର୍ଭର କରିବ । ମୋହାଲିରେ ବିରାଟ କୋହଲିଙ୍କ ମ୍ୟାଚ୍‌ ବିଜୟୀ (୭୨) ଇନିଂସକୁ ଦକ୍ଷିଣ ଆଫ୍ରିକା ବୋଲରମାନେ ଏପର୍ଯ୍ୟନ୍ତ ଭୁଲି ନଥିବେ । ସେହିପରି ଶିଖର ଧାୱନ ମଧ୍ୟ ୪୦ ରନ୍‌ର ଇନିଂସ ଖେଳିଥିଲେ । ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟାସ ଆୟର ମଧ୍ୟଭାଗ ସମ୍ଭାଳିବେ । ଭାରତୀୟ ବୋଲିଂ ବିଭାଗରେ ବିଭିନ୍ନତା ରହିଛି । ତଥାପି ଆସନ୍ତାକାଲି କୃନାଲ୍‌ ପାଣ୍ଡ୍ୟାଙ୍କ ସ୍ଥାନରେ ଲେଗ୍‌ ସ୍ପିନର ରାହୁଲ ଚହର ଖେଳିବା ଏକ ପ୍ରକାର ନିଶ୍ଚିତ ।

ଦକ୍ଷିଣ ଆଫ୍ରିକା ଦଳରୁ ପ୍ରସିଦ୍ଧ ଖେଳାଳି ଏବି ଡି ଭିଲର୍ସ, ହାସିମ ଆମଲା, ଜେପି ଡ୍ୟୁମିନି ପ୍ରମୁଖ ଅବସର ନେଇ ସାରିଥିଲେ ହେଁ ଯୁବ ଖେଳାଳିମାନେ ବେଶ୍‌ ପ୍ରତିଭାବାନ୍‌ । ରାସି ଭାନ୍‌ ଡର୍‌ ଡୁସେନ ଛକା ନମାରି ମଧ୍ୟ ଦ୍ରୁତ ବେଗରେ ରନ୍‌ ସଂଗ୍ରହ କରିବାର କ୍ଷମତା ରଖିଛନ୍ତି । ସେହିପରି ରିଜା ହେଣ୍ଡରିକ୍ସ ଓ ତେମ୍ବା ବଭୁମା ଦଳର ଆବଶ୍ୟକତ ପୂରଣ କରିପାରିବେ । ଦଳର ବୋଲିଂ ବିଭାଗ ବେଶ୍‌ ସୁଦୃଢ । ଏକାଧିକ ଅଲ୍‌ରାଉଣ୍ଡର ଦକ୍ଷିଣ ଆଫ୍ରିକା ଦଳରେ ରହିଛନ୍ତି । ତଥାପି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସ୍ୱତନ୍ତ୍ର ରଣ କୌଶଳ ପ୍ରସ୍ତୁତ କରିବା ଜରୁରୀ ।

ଡି କକ୍‌ଙ୍କ ପ୍ରିୟ ଗ୍ରାଉଣ୍ଡ: ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ୱିଣ୍ଟନ ଡି କକ୍‌ ବର୍ତ୍ତମାନ ଫର୍ମରେ ରହିଛନ୍ତି । ମୋହାଲିରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ସେ ଅର୍ଦ୍ଧଶତକ(୫୨) ଅର୍ଜନ କରିଥିଲେ । ବେଙ୍ଗାଲୁରୁ ମଧ୍ୟ ତାଙ୍କ ପ୍ରଦର୍ଶନ ସର୍ବଦା ଉନ୍ନତ ରହି ଆସିଛି । ସେ ଏଠାରେ ୧୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳି ୩୮୪ ରନ୍‌ ସଂଗ୍ରହ କରି ସାରିଛନ୍ତି । ଦିଲ୍ଲୀ ଡେୟାରଡେଭିଲ୍ସ ପକ୍ଷରୁ ଆଇପିଏଲ୍‌ ଖେଳୁଥିବା ସମୟରେ ସେ ଏହି ଗ୍ରାଉଣ୍ଡରେ ଘରୋଇ ଆରସିବି ବିପକ୍ଷରେ ଶତକ ଅର୍ଜନ କରିଥିଲେ।

ଭାରତର ପନ୍ତ ଚିନ୍ତା: ବର୍ଷକ ତଳେ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ମାନ୍ୟତା ପାଇଥିବା ଯୁବ ୱିକେଟ୍‌ କିପର ରିଶଭ ପନ୍ତ ବେପରବାୟ ସଟ୍‌ ଚୟନକୁ ନେଇ ତୀବ୍ର ସମାଲୋଚିତ ହେଉଛନ୍ତି । ଫର୍ମ ହରାଇ ବସିଥିବା ପନ୍ତଙ୍କ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ତାଙ୍କ ଦକ୍ଷତା ବିଷୟରେ କାହାକୁ ଅଛପା ନାହିଁ । ହେଲେ ବାରମ୍ବାର ବିଫଳ ହୋଇ ସେ ଧିରେ ଧିରେ ଆସ୍ଥା ହରାଇ ବସିଛନ୍ତି । ଚୟନ କମିଟି ଅଧ୍ୟକ୍ଷ ଏମ୍‌ଏସ୍‌କେ ପ୍ରସାଦ ମଧ୍ୟ ତାଙ୍କୁ ଚେତାବନୀ ଶୁଣାଇ ସାରିଲେଣି । ଆସନ୍ତା କାଲି ବିସ୍ଫୋରକ ଇନିଂସ ଖେଳି ସମାଲୋଚକଙ୍କୁ ଚୁପ୍‌ କରାଇବାକୁ ପନ୍ତ ପ୍ରୟାସ କରିବେ ।

ଟସ୍‌ ଜିତିଲେ ବ୍ୟାଟିଂ: ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ର ପିଚ୍‌ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରି ଆସିଛି । ଏଠାକାର ଛୋଟ ବାଉଣ୍ଡାରୀ ସ୍ପିନରଙ୍କ ପାଇଁ ଚିନ୍ତାର କାରଣ ହେବା ସ୍ୱାଭାବିକ୍‌ । ବଲ୍‌ ପିଚ୍‌ରେ ଆବଶ୍ୟକତା ମୁତାବକ ସୁଇଂ କିମ୍ବା ଟର୍ଣ୍ଣ କରିବ ନାହିଁ । ଶକ୍ତ ଓ ମସୃଣ ପିଚ୍‌ରୁ ବ୍ୟାଟ୍ସମ୍ୟାନମାନେ ଯଥେଷ୍ଟ ଫାଇଦା ଉଠାଇ ପାରିବେ । ଗତ ଆଇପିଏଲ୍‌ରେ ଏଡି ଗ୍ରାଉଣ୍ଡରେ ହାରା ହାରି ଦଳଗତ ସ୍କୋର ୧୮୦ ରହିଥିଲା । ତେଣୁ ଆସନ୍ତାକାଲି ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।
ସମ୍ଭାବ୍ୟ ଦଳ

ଭାରତ: ରୋହିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି(ଅଧିନାୟକ),ଶ୍ରେୟାସ ଆୟର, ରିଶଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍‌ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର/ରାହୁଲ ଚହର, ଦୀପକ ଚହର, ନବଦୀପ ସାଇନି ।
ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି କକ୍‌(ଅଧିନାୟକ), ରିଜା ହେଣ୍ଡରିକ୍ସ, ତେମ୍ବା ବଭୁମା, ରାସି ଭାନ ଡର ଡୁସେନ, ଡେଭିଡ୍‌ ମିଲର, ଆଣ୍ଡିଲ ଫେଲୁକ୍ୱାୟୋ, ଡ୍ୱେନ ପ୍ରିଟୋରିୟସ, ଜର୍ନ ଫର୍ଟୁଇନ୍‌, କାଗିସୋ ରାବାଡା, ଜୁନିୟର ଡାଲା, ତାବ୍ରେଜ ସାମ୍‌ସି ।

   ସମ୍ବନ୍ଧିତ ଖବର


ମୁମ୍ବାଇ ଫୁଟବଲ୍‌ ଖେଳାଳିଙ୍କ ଅକାଳ ବିୟୋଗ, ମ୍ୟାଚ୍ ଖେଳୁଥିବା ବେଳେ ଟଳି ପଡଲେ

ରନ୍ ଆଉଟ୍ ହେଲେ ଇମାମ ଉଲ୍ ହକ୍, ଟ୍ୱିଟରରେ ହେଲେ ଟ୍ରୋଲ୍

କ୍ରିସ୍‌ ଗେଲଙ୍କ ଛକା ରେକର୍ଡ, ପ୍ରଥମ କ୍ରିକେଟର ଭାବେ ଟି-୨୦ରେ ୧୦୦୦ ଛକା ମାରିଲେ ବସ୍

ଶେଷ ବଲରେ ଛକା, ଆଇପିଏଲ ଇତିହାସର ସେହି ୫ ଭାରତୀୟ ବ୍ୟାଟସ୍‌ମ୍ୟାନ୍

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ଅଲଗା ଅଲଗା ନମ୍ବର ଥିବା ଜର୍ସି କାହିଁକି ପିନ୍ଧୁଥିଲେ ସେହଓ୍ବାଗ? ପ୍ରଥମ ଥର ଖୋଲିଲେ ରାଜ୍