ଭାରତ ୩୧୮ ରନ୍‌ରେ ବିଜୟୀ: ରାହାଣେଙ୍କ ଦଶମ ଟେଷ୍ଟ ଶତକ, ବୁମରାଙ୍କ ୫ ୱିକେଟ୍‌

ନର୍ଥ ସାଉଣ୍ଡ ୨୬/୮ : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ୩୧୮ ରନ୍‌ରେ ବିଜୟ ହାସଲ କରିଛି । ଅଜିଙ୍କ୍ୟ ରାହାଣେଙ୍କ ଦଶମ ଟେଷ୍ଟ ଶତକ ସହ ବିରାଟ କୋହଲି ଓ ହନୁମା ବିହାରୀଙ୍କ ଅର୍ଦ୍ଧଶତକ ବଳରେ ଭାରତ ଦ୍ୱିତୀୟ ଇନିଂସରେ ୭/୩୪୩ ରନ୍‌ କରି ପାଳି ଘୋଷଣା କରିଥିଲା । ଜବାବରେ ୪୧୯ ରନ୍‌ର ଲକ୍ଷ୍ୟର ପିଛା କରି ୱେଷ୍ଟ ଇଣ୍ଡିଜ୍‌ ଦ୍ୱିତୀୟ ଇନିଂସରେ ମାତ୍ର ୧୦୦ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା । ଦଳ ପକ୍ଷରୁ କିମାର ରୋଚ ସର୍ବାଧିକ ୩୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ଜଶପ୍ରୀତ ୭ ରନ୍‌ ପ୍ରଦାନ କରି ୫ଟି ୱିକେଟ୍‌ ନେଇଥିଲେ ।

ଚତୁର୍ଥ ଦିବସରେ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ ୩/୧୮୫ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା କୋହଲି ଓ ରାହାଣେ ଦଳୀୟ ସ୍କୋରରେ ମାତ୍ର ୨ ରନ୍‌ ଯୋଗ କରିଥିଲେ । କୋହଲି ୫୧ ରନ୍‌ କରି ରଷ୍ଟନ ଚେଜ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିହାରୀ ରାହାଣେଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ୱେଷ୍ଟ ଇଣ୍ଡିଜ୍‌ ବୋଲରମାନେ ବହୁ ପ୍ରୟାସ କରିଥିଲେ ହେଁ ଯୋଡି ଭାଙ୍ଗି ପାରି ନଥିଲେ । ବିହାରୀ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ପଞ୍ଚମ ୱିକେଟ୍‌ରେ ୧୨୯ ସଂଗୃହୀତ ହୋଇଥିଲା । ଦୀର୍ଘ ୨ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ରାହାଣେ ଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୩୨୨ ବେଳେ ବ୍ୟକ୍ତିଗତ ୧୦୨ ରନ୍‌ କରି ସେ ଆଉଟ୍‌ ହୋଇଥିଲେ ।

ବିହାରୀ ଆକର୍ଷଣୀୟ ବ୍ୟାଟିଂ ଜାରି ରଖି ଶତକ ନିକଟତର ହୋଉଥିବାବେଳେ ଧୈର୍ଯ୍ୟ ହରାଇ ବସିଥିଲେ । ଦଳୀୟ ସ୍କୋର ୩୪୩ ବେଳେ ସେ ବ୍ୟକ୍ତିଗତ ୯୩ ରନ୍‌ କରି ଆଉଟ୍‌ ହୋଇଥିଲେ । ଭାରତ ସଙ୍ଗେ ସଙ୍ଗେ ପାଳି ଘୋଷଣା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ରିଶଭ ପନ୍ତ ୭ ରନ୍‌ କରିଥିଲେ । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ରଷ୍ଟନ ଚେଜ ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ । କିମାର ରୋଚ, ସାନନ ଗାବ୍ରିଏଲ୍‌ ଓ ଜାସନ ହୋଲ୍ଡର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୪୧୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ୱେଷ୍ଟ ଇଣ୍ଡିଜ୍‌ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲା । ଜଶପ୍ରୀତ ବୁମରାଙ୍କ ଘାତକ ସୁଇଂ ବୋଲିଂର ମୁକାବିଲା କରିବା ଘରୋଇ ଦଳର ବ୍ୟାଟ୍ସମ୍ୟାନଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ୧ ରନ୍‌ କରି କ୍ରେଗ୍‌ ବ୍ରାଥ୍‌ୱେଟ୍‌ ପ୍ରଥମେ ଆଉଟ୍‌ ହୋଇଥିଲେ । ଏହାପରେ ଆରମ୍ଭ ହୋଇ ଯାଇଥିଲା ବିପର୍ଯ୍ୟୟ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । ତାସ୍‌ ଘର ପରି ୱେଷ୍ଟ ଇଣ୍ଡିଜ୍‌ର ବ୍ୟାଟିଂ ବିଭାଗ ଭୁଷୁଡ଼ି ପଡ଼ିଥିଲା । ଜନ କ୍ୟାମ୍ପବେଲ୍‌ ୭, ସାମରା ବ୍ରୁକ୍ସ ୨, ଡାରେନ ବ୍ରାଭୋ ୨, ସିମରନ ହେତମେୟାର ୧, ସାଇ ହୋପ୍‌ ୨, ଜାସନ ହୋଲ୍ଡର ୮ ରନ୍‌ କରି ପାଭିଲିୟନ ଫେରିଥିଲେ । ରଷ୍ଟନ ଚେଜ(୧୨) ଦୁଇ ଅଙ୍କ ଛୁଇଁ ଥିଲେ ।

ଏକଦା ୫୦ ରନ୍‌ରେ ଘରୋଇ ଦଳ ୯ଟି ୱିକେଟ୍‌ ହରାଇ ସାରିଥିବା ବେଳେ କିମାର ରୋଚ ଓ ମିଗ୍ୱେଲ କମିନ୍ସ ଦଶମ ୱିକେଟ୍‌ରେ ୫୦ ରନ୍‌ ଯୋଗ କରିଥିଲେ । ୩୧ଟି ବଲ୍‌ରୁ ଗୋଟିଏ ଚୌକା ଓ ୫ଟି ବିଶାଳ ଛକା ବଳରେ ୩୮ ରନ୍‌ କରି ରୋଚ ଅନ୍ତିମ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ । କମିନ୍ସ ୧୯ ରନ୍‌ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଈଶାନ୍ତ ୩ଟି ଓ ସାମି ୨ଟି ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


୫୧ଟି ଗାଈ, ତିନି ଆରବୀ ଘୋଡା ଓ ୧୩ ବନ୍ଧୁକ… ଯଶଓ୍ବନ୍ତ ସିଂଙ୍କ ୨୦୧୪ ସମ୍ପତ୍ତି ତାଲିକାରେ ରହିଥିଲା ଆହୁରି ଏସବୁ

ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ କରୋନା, ଏବେ କ୍ବାରେଣ୍ଟାଇନ୍‌ରେ

ଏନସିବିର ପ୍ରଶ୍ନରେ ୩ ଥର କାନ୍ଦି ପକାଇଥିଲେ ଦୀପିକା, ହାତ ଯୋଡି ଅଧିକାରୀ କହିଥିଲେ- ଇମୋସନାଲ କାର୍ଡ ଖେଳନ୍ତୁ ନାହିଁ

ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଯଶଓ୍ବନ୍ତ ସିଂହଙ୍କ ପରଲୋକ, ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ

କରୋନା ରୋଗୀଙ୍କ ଠାରେ ଭିଟାମିନ୍‌—ଡି କେତେ ଜରୁରୀ ଜାଣନ୍ତୁ

ଆଉ କେତେ ଦିନ ଯାଏ ଅପେକ୍ଷା କରିବ ଭାରତ- ୟୁଏନ୍‌ରେ ପିଏମ୍‌ ମୋଦିଙ୍କ ଦମ୍ଭୋକ୍ତି