ଭାରତ ପ୍ରଥମ ଇନିଂସ ୪୧୬ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟିଂ ବିପର୍ଯ୍ୟୟ: ବିହାରୀଙ୍କ ଶତକ, ବୁମ୍‌ରାଙ୍କ ହ୍ୟାଟ୍ରିକ୍‌

କିଙ୍ଗଷ୍ଟନ ୯/୧ : ଘରୋଇ ୱେଷ୍ଟ ଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭାରତ ଆଧିପତ୍ୟ ଜାରି ରଖିଛି । ହନୁମା ବିହାରୀଙ୍କ ପ୍ରଥମ ଟେଷ୍ଟ ଶତକ ପରେ ଜଶପ୍ରୀମ ବୁମରା ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି । ଭାରତର ପ୍ରଥମ ଇନିଂସ ୪୧୬ ରନ୍‌ ଜବାବରେ ଘରୋଇ ଦଳ ପ୍ରଥମ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୨ରନ୍‌ରେ ୫ଟି ୱିକେଟ୍‌ ହରାଇଛି ।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୭ ରନ୍‌ ପ୍ରଦାନ କରି ୫ଟି ୱିକେଟ୍‌ ଅକ୍ତିଆର କରିଥିବା ବୁମରା ଆଜି କିଙ୍ଗଷ୍ଟନ୍‌ରେ ମଧ୍ୟ ନିଜ ଘାତକ ବୋଲିଂର କମାଲ ଦେଖାଇଛନ୍ତି । ଭାରତର ତୃତୀୟ ବୋଲର ଭାବେ ଟେଷ୍ଟ କ୍ରିକେଟ୍‌ରେ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହ ସେ ୱେଷ୍ଟ ଇଣ୍ଡିଜ୍‌ର ପ୍ରଥମ ୫ଟି ଯାକ ୱିକେଟ୍‌ ଅକ୍ତିଆର କରିଛନ୍ତି ।
ଭାରତୀୟ ବୋଲିଂର ସପ୍ତମ ଓଭର(ବ୍ୟକ୍ତିଗତ ତୃତୀୟ)ରେ ସେ ଓପନର ଜନ କ୍ୟାମ୍ପବେଲ୍‌ଙ୍କୁ ଆଉଟ୍‌ କରିଥିଲେ । ଅଷ୍ଟମ ଓଭର(ବ୍ୟକ୍ତିଗତ ଚତୁର୍ଥ ଓଭର)ରେ ସେ ହ୍ୟାଟ୍ରିକ୍‌ ୱିକେଟ୍‌ ଅକ୍ତିଅ।।ର କରିଥିଲେ ।

ଏହି ଓଭରର ଦ୍ୱିତୀୟ ବଲ୍‌ରେ ସେ ଡାରେନ ବ୍ରାଭୋଙ୍କୁ ଆଉଟ୍‌ କରିଥିଲେ । ପରବଲ୍‌ରେ ସାମରା ବ୍ରୁକ୍ସ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ । ଅମ୍ପାୟାର ପ୍ରଥମେ ଆଉଟ୍‌ ଦେଇନଥିଲେ । ଡିଆରଏସ୍‌ ନେଇ ଭାରତ ସଫଳ ହୋଇଥିଲା । ପରବଲ୍‌ରେ ରଷ୍ଟନ ଚେଜ ମଧ୍ୟ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ । ଏଥର ବୁରାମ ଅପିଲ୍‌ କରି ନଥିଲେ । ଅମ୍ପାୟାର ମଧ୍ୟ ଚୁପ୍‌ ରହିଥିଲେ । ସ୍ଲିପ୍‌ରେ ଫିଲ୍ଡିଂ କରୁଥିବା କୋହଲି ଡିଆରଏସ୍‌ ନେଇଥିଲେ ଓ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ପଡ଼ିଥିଲା । ବୁମରାଙ୍କ ପୂର୍ବରୁ ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ହରଭଜନ ସିଂହ ଓ ୨୦୦୬ରେ ପାକିସ୍ତାନ ବିପକ୍ଷରେ ଇରଫାନ୍‌ ପଠାନ୍‌ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ ।
ସବିନା ପାର୍କ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ୍‌ର ଦ୍ୱିତୀୟ ଦିବସରେ ଭାରତ ଅସମାପ୍ତ ପ୍ରଥମ ଇନିଂସ ୫/୨୬୪ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ପୂର୍ବ ଦିନରୁ ଅପରାଜିତ ଥିବା ବିହାରୀ ଓ ରିଶଭ ପନ୍ତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ଦ୍ୱିତୀୟ ଦିବସର ପ୍ରଥମ ବଲ୍‌ରେ ଭାରତ ୱିକେଟ୍‌ ହରାଇଥିଲା । ପନ୍ତ ୨୭ ରନ୍‌ କରି (୨ଚୌକା, ୧ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ ।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ରବିନ୍ଦ୍ର ଜାଡେଜା ଅପରାଜିତ ବିହାରୀଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ବିହାରୀଙ୍କ ସହ ମିଶି ସେ ଷଷ୍ଠ ୱିକେଟ୍‌ରେ ସେ ୩୮ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୩୦୨ ବେଳେ ଜାଡେଜା ବ୍ୟକ୍ତିଗତ ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଈଶାନ୍ତ ଶର୍ମା ଓ ବିହାରୀଙ୍କ ମଧ୍ୟରେ ଆଉ ଏକ ସଫଳ ଭାଗିଦାରୀ ଗଠନ ହୋଇଥିଲା । ଉଭୟଙ୍କୁ ଆଉଟ୍‌ କରିବାରେ ବିଫଳ ହୋଇଥିଲେ ଘରୋଇ ବୋଲର । ୬ଜଣ ବୋଲରଙ୍କୁ ନିୟୋଜିତ କରାଯାଇଥିଲା । ତଥାପି ଯୋଡି ଭାଙ୍ଗି ନଥିଲା । ପ୍ରଥମ ଟେଷ୍ଟରେ ମାତ୍ର ୮ ରନ୍‌ ପାଇଁ ଶତକ ଅର୍ଜନ କରିପାରି ନଥିବା ବିହାରୀ ଏଥର ସୁଯୋଗ ହାତଛଡ଼ା କରି ନଥିଲେ । ଧୈର୍ଯ୍ୟର ସହ ବ୍ୟାଟିଂ ଜାରି ରଖି ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟ ଶତକ ଅର୍ଜନ କରିଥିଲେ ।

ଈଶାନ୍ତ ତାଙ୍କ ସହ ତାଳ ଦେଇ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଅଷ୍ଟମ ୱିକେଟ୍‌ରେ ଉଭୟ ୧୧୨ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୪୧୪ ବେଳେ ଈଶାନ୍ତ ବ୍ୟକ୍ତିଗତ ୫୭ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହା ତାଙ୍କ କ୍ୟାରିୟର୍‌ର ସର୍ବାଧିକ ସ୍କୋର ରହିଥିଲା । ବିହାରୀ ୧୧୧(୧୬ଚୌକା) ରନ୍‌ କରି ଆଉଟ୍‌ ହେବା ସହ ଭାରତର ସ୍କୋର ୪୧୬ରେ ଅଟକି ଯାଇଥିଲା । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ଜାସନ ହୋଲ୍ଡର ୫ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ପ୍ରଥମ ଟେଷ୍ଟ ଖେଳୁଥିବା ରଖିମ କର୍ଣ୍ଣୱାଲ୍‌ ୩ଟି ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


IPL-2020: ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ଟକ୍କର

ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା, ଆଇପିଏଲରୁ ବାଦ ପଡ଼ିଲେ ଆହତ ବ୍ରାଭୋ

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ଜାନୁୟାରୀରେ ଭାରତ ଆସିବ ଇଂଲଣ୍ଡ ଟିମ୍, ଅହମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ …