ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ବିଜୟ: ୱେଷ୍ଟଇଣ୍ଡିଜ୍‌ ୯/୯୫ରେ ଅଟକିଲା

ଫ୍ଲାରିଡା,୦୪/୦୮: ୱେଷ୍ଟଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୪ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ୱେଷ୍ଟ ଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍‌ରେ ୯୫ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୧୭.୨ ଓଭରରେ ୬ ୱିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ।

ପଦାର୍ପଣରେ ୩ଟି ୱିକେଟ୍‌ ହାସଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନବଦୀପ ସୈନି ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ମ୍ୟାଚ୍‌ ବେଶ ରୋମାଞ୍ଚକର ହୋଇଥିଲା । ଉଭୟ ଇନିଂସରେ ୧୫ଟି ୱିକେଟ୍‌ର ପତନ ଘଟିଥିଲା । ଆସନ୍ତାକାଲି ସିରିଜର ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଏଠାରେ ଖେଳାଯିବ ।

ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ୱେଷ୍ଟ ଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଅଧିନାୟକଙ୍କ ନିଷ୍ପତ୍ତିକୁ ଭାରତୀୟ ବୋଲରମାନେ ସଠିକ୍‌ ପ୍ରମାଣିତ କରିଥିଲେ । ପ୍ରଥମ ଓଭରର ଦ୍ୱିତୀୟ ବଲ୍‌ରେ ସ୍ପିନର ୱାସିଂଟନ ସୁନ୍ଦର ଓପନର ଜନ କ୍ୟାମ୍ପବେଲ୍‌ଙ୍କୁ ଆଉଟ୍‌ କରିଥିଲେ । ପର ଓଭରରେ ଭୁବନେଶ୍ୱର କୁମାର ଅନ୍ୟ ଓପନର ଏଭିନ ଲୁଇସ୍‌ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ମଧ୍ୟଭାଗ ଯୁବ ବ୍ୟାଟ୍ସମ୍ୟାନମାନେ ମଧ୍ୟ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । ନିକୋଲାସ ପୂରାନ ୨ଟି ବିଶାଳ ଛକା ମାରିଥିଲେ ହେଁ ବ୍ୟକ୍ତିଗତ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ । ସିମରନ ହେତମେୟାର ଖାତା ଖୋଲି ପାରି ନଥିଲେ । ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ପେସ୍‌ ବୋଲର ନବଦୀପ ସୈନି ଉଭୟଙ୍କୁ ଆଉଟ୍‌ କରିଥିଲେ । ସେହିପରି ରୋଭମାନ ପାୱେଲ୍‌ ୪ରନ୍‌ କରିଥିବାବେଳେ ଖଲିଲ ଅହମ୍ମଦଙ୍କ ଶୀକାର ସାଜିଥିଲେ । ୩୩ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌ ୫ଟି ୱିକେଟ୍‌ ହରାଇ ସଂକଟରେ ପଡ଼ି ଯାଇଥିଲା ।

ଦ୍ୱିତୀୟ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା କିରେନ ପୋଲାର୍ଡ ଗୋଟିଏ ପଟେ ଦୃଢ ବ୍ୟାଟିଂ କରିଥିଲେ । ଅଧିନାୟକ କାର୍ଲୋସ ବ୍ରାଥ୍‌ୱେଟ୍‌ଙ୍କ ସହ ମିଶି ସେ ଷଷ୍ଠ ୱିକେଟ୍‌ରେ ୩୪ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୬୭ରେ ପହଞ୍ଚିଥିଲା । ୧୫ତମ ଓଭରରେ କୃନାଲ ପାଣ୍ଡ୍ୟାଙ୍କ ବଲ୍‌କୁ ଛକା ମାରିବାକୁ ଯାଇ ବ୍ରାଥ୍‌ୱେଟ୍‌(୯) କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଅନ୍ତିମ ଭାଗ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଭାରତୀୟ ବୋଲରଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ । ସୁନିଲ ନାରାଏନ ୨, କିମୋ ପଲ୍‌ ୩ ରନ୍‌ କରି ଆଉଟ୍‌ ହୋଇଥିଲେ । ପୋଲାର୍ଡ ଗୋଟିଏ ପଟେ ଦୃଢ ବ୍ୟାଟିଂ ଜାରି ରଖି ଦଳୀୟ ସ୍କୋରକୁ ୯୫ରେ ପହଞ୍ଚାଇଥିଲେ । ସେ ୨ଟି ଚୌକା ଓ ୪ଟି ଛକା ବଳରେ ୪୯ ରନ୍‌ କରି ଆଉଟ୍‌ ହେବା ସହ ୱେଷ୍ଟ ଇଣ୍ଡିଜ୍‌ର ସ୍କୋର ଅଟକି ଯାଇଥିଲା । ଶେଷ ୩ଟି ବଲ୍‌ରେ ଓସେନ ଥୋମାସ ରନ୍‌ ଖାତା ଖୋଲିବାରେ ବିଫଳ ହୋଇଥିଲେ । ଇଣ୍ଡିଜ୍‌ ସ୍କୋର ୯/୯୫ରେ ଅଟକି ଯାଇଥିଲା ।

ଭାରତ ପକ୍ଷରୁ ସୈନି ସର୍ବାଧିକ ୩ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ଭୁବନେଶ୍ୱର କୁମାର ୨ଟି ୱିକେଟ୍‌ ନେଇଥିଲେ ।୯୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ୪ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା । ଫିଟ୍‌ ହୋଇ ଦଳକୁ ଫେରିଥିବା ଶିଖର ଧାୱନ ମାତ୍ର ୧ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଅପରାଜିତ ରୋହିତଙ୍କ ସହ ମିଶି ସ୍ଥିତି ସୁଧାରିବାକୁ ପ୍ରୟାସ କରିଥିଲେ । ରୋହିତ ଆକ୍ରମଣାତ୍ମକ ସଟ୍‌ ମାନ ଖେଳି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ସପ୍ତମ ଓଭରରେ ସୁନିଲ ନାରାଏନ୍‌ ବିପର୍ଯ୍ୟୟ ଘଟାଇଥିଲେ । ଏହି ଓଭର୍‌ର ତୃତୀୟ ବଲ୍‌ରେ ରୋହିତ ଓ ଚତୁର୍ଥ ବଲ୍‌ରେ ରିଶବ ପନ୍ତଙ୍କୁ ଆଉଟ୍‌ କରିଥିଲେ ।

ରୋହିତ ବ୍ୟକ୍ତିଗତ ୨୪(୨ଚୌକା, ୨ଛକା)ରନ୍‌ କରିଥିବାବେଳେ ପନ୍ତ ଖାତା ଖୋଲି ପାରି ନଥିଲେ । ୩୨ ରନ୍‌ରେ ଦଳ ୩ଟି ୱିକେଟ୍‌ ହରାଇଥିଲା । କୋହଲି ଓ ମନୀଷ ପାଣ୍ଡେ ଧୈର୍ଯ୍ୟର ସହ ବ୍ୟାଟଇଂ କରି ଦଳୀୟ ସ୍କୋରକୁ୬୪ରେ ପହଞ୍ଚାଇଥିଲେ । ପାଣ୍ଡେ ୧୯ ରନ୍‌ କରି ଆଉଟ୍‌ ହେବା ପରେ ଭାରତ ଆଉ ୨ଟି ୱିକେଟ୍‌ ହରାଇଥିଲା । କୋହଲି ୧୯ ଓ କୃନାଲ ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ । ରବିନ୍ଦ୍ର ଜାଡେଜା ଓ ୱାସିଂଟନ ସୁନ୍ଦର ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ଜାଡେଜା ଅପରାଜିତ ୧୦ ଓ ଅପରାଜିତ ୮ ରନ୍‌ କରିଥିଲେ । ୱେଷ୍ଟ ଇଣ୍ଡିଜ ପକ୍ଷରୁ ସେଲଡନ କଟରେଲ୍‌, ସୁନିଲ ନାରାଏନ ଓ କିମୋ ପଲ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

ବସ୍‌ ତୁମକୁ କେବେ ୧୦୦ କରିବାକୁ ଦେବିନି, ୭ ବର୍ଷ ତଳେ ଏମିତି ପ୍ରତିଜ୍ଞା କରିଥିଲେ ଜୋଫ୍ରା ଆର୍ଚର; ଆଉ ଆଇପିଏଲରେ ତାହା କରି ଦେଖାଇଲେ

ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ମଧ୍ୟରେ କଡ଼ା ଟକ୍କର

ISL‌-7 ପାଇଁ କ୍ରୀଡ଼ାସୂଚୀ ଘୋଷଣା: ଉଦ୍‌ଘାଟନୀ ମ୍ୟାଚ୍‌ରେ ହାଇଦ୍ରାବାଦକୁ ଭେଟିବ ଓଡ଼ିଶା, ଏଥର ସିଜନରେ ୧୧୫ଟି ମ୍ୟାଚ୍‌ ଖେଳାଯିବ

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

IPL-2020: ଆଜି ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା, ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବାକୁ ଶକ୍ତି ଖଟାଇବ ‘କ୍ୟାପିଟାଲ୍ସ ‘