ସାଫ୍ ମହିଳା ଚାମ୍ପିଅନସିପ୍: ଭାରତର ଏକତରଫା ବିଜୟ

ନୂଆଦିଲ୍ଲୀ, ୧୩ ।୩ (ଏଜେନ୍ସି): ନେପାଳରେ ଚାଲିଥିବା ପଞ୍ଚମ ସାଫ୍ ମହିଳା ଚାମ୍ପିଅନସିପ୍ରେ ଆଜି ଭାରତ ବଡ଼ ବିଜୟ ହାସଲ କରିଛି । ଭାରତ ୬-୦ ଗୋଲ୍ରେ ମାଳଦ୍ୱୀପକୁ ହରାଇଛି । ବିଜୟ ସହ ଦଳ ପୂରା ୩ ପଏଣ୍ଟ ହାସଲ କରିଛି । ଆସନ୍ତା ୧୭ ତାରିଖରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ ।
ମାଳଦ୍ୱୀପ ବିପକ୍ଷରେ ଭାରତ ଆଜି ଅତି ଚମତ୍କାର ପ୍ରଦର୍ଶନ କରିଥିଲା । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖେଳକୁ ଭାରତୀୟ ଖେଳାଳି ପୂରା ନିୟନ୍ତ୍ରଣରେ ରଖି ଶେଷରେ ଏକତରଫା ବିଜୟ ହାସଲ କରିଥିଲେ । ମ୍ୟାଚ୍ର ଅଷ୍ଟମ ମିନିଟ୍ରେ ଦାଙ୍ଗମେଇ ଗ୍ରେସ ଭାରତର ଗୋଲ୍ ଖାତା ଖୋଲିଥିଲେ ।
୧୩ତମ ମିନିଟ୍ରେ ସୁଇଟି ଦେବୀ ଦ୍ୱିତୀୟ ଗୋଲ୍ ସ୍କୋର କରି ଦଳକୁ ୨-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ । ଗୋଲ୍ ପରିଶୋଧ କରିବା ନେଇ ମାଳଦ୍ୱୀପ ବହୁ ପ୍ର୍ରୟାସ କରିଥିଲା । ହେଲେ ସଫଳ ହୋଇ ପାରି ନଥିଲା । ବରଂ ବାରମ୍ବାର ଭାରତୀୟ ଖେଳାଳି ଗୋଲ୍ ସୁଯୋଗ ସୃଷ୍ଟି କରି ଗୋଲ୍ ସଂଖ୍ୟା ବୃଦ୍ଧି କରି ଚାଲିଥିଲେ । ୨୩ତମ ମିନିଟ୍ରେ ଇନ୍ଦୁମତୀ ତୃତୀୟ ଗୋଲ୍ ସ୍କୋର କରିଥିଲେ ।
ପୁଣି ଏହାର ୪ ମିନିଟ ପରେ ସଞ୍ଜୁ ଯାଦବ ଚତୁର୍ଥ ଗୋଲ୍ ସ୍କୋର କରିବା ଦ୍ୱାରା ଭାରତ ୪-୦ ଗୋଲ୍ରେ ଆଗୁଆ ରହି ମ୍ୟାଚ୍ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଜାହିର କରିଥିଲା । ପ୍ରଥମାର୍ଦ୍ଧର ଇନଜ୍ୟୁରୀ ଟାଇମିଂରେ ରତ୍ନବାଳା ଦେବୀ ଆଉ ଏକ ଗୋଲ୍ ସ୍କୋର କରିଥିଲେ । ଫଳରେ ଭାରତ ଏହି ଭାଗ ଖେଳ ଶେଷ ସୁଦ୍ଧା ୫ଟି ଗୋଲ୍ ସ୍କୋର କରିଥିବାବେଳେ ମାଳଦ୍ୱୀପ ଗୋଲ୍ ଖାତା ଖୋଲି ପାରି ନଥିଲା ।
ଦ୍ୱିତୀୟାର୍ଦ୍ଧ ଖେଳ ଅଧିକ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଗୋଲ୍ ଖାତା ଖୋଲିବା ନେଇ ମାଳଦ୍ୱୀପ ବହୁ ପ୍ର୍ରୟାସ କରିଥିଲା । ହେଲେ ଭାରତୀୟ ଖେଳାଳି କୌଣସି ସୁଯୋଗ ଦେଇ ନଥିଲେ । ଭାରତ ମଧ୍ୟ ଏହି ଭାଗରେ ଅଧିକ ଗୋଲ୍ ସ୍କୋର କରିବାର ସୁଯୋଗ ପାଇ ନଥିଲା । ୮୯ତମ ମିନିଟ୍ରେ ସଞ୍ଜୁ ବ୍ୟକ୍ତିଗତ ଦ୍ୱିତୀୟ ଏବଂ ଦଳ ପାଇଁ ଷଷ୍ଠ ଗୋଲ୍ ସ୍କୋର କରିଥିଲେ । ପରବର୍ତ୍ତୀ ସମୟରେ ଆଉ ଗୋଲ୍ ସମ୍ଭବ ହୋଇ ନଥିଲା । ଶେଷରେ ଭାରତ ୬-୦ ଗୋଲ୍ରେ ମ୍ୟାଚ୍ ବିଜୟୀ ହୋଇଥିଲା ।
ସାଫ୍ ଚାମ୍ପିଅନସିପ୍ର ଦୁଇଟି ଗ୍ରୁପ୍ରେ ମୋଟ୍ ୬ଟି ଦଳ ଅଂଶ ଗ୍ରହଣ କରିଛନ୍ତି । ଗ୍ରୁପ୍ ଏ’ରେ ନେପାଳ, ବାଂଲାଦେଶ ଓ ଭୁଟାନ ଏବଂ ଗ୍ରୁପ୍ ବି’ରେ ଭାରତ, ମାଳଦ୍ୱୀପ ଓ ଶ୍ରୀଲଙ୍କା ସାମିଲ ରହିଛନ୍ତି । ୨୦୧୦ରୁ ଆରମ୍ଭ ହୋଇଥିବା ଏହି ଚାମ୍ପିଅନସିପ୍ରେ ଏ ପର୍ଯ୍ୟନ୍ତ ଭାରତ ସବୁ ସଂସ୍କରଣରେ ବିଜୟୀ ହୋଇ ଆସିଛି । ନେପାଳ ୨୦୧୦, ୨୦୧୨ ଓ ୨୦୧୪ରେ ରନର୍ସଅପ୍ ହୋଇଥିବାବେଳେ ବାଂଲାଦେଶ ୨୦୧୬ରେ ଫାଇନାଲ୍ ଖେଳିଥିଲା ।