PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପାକ୍‌ ତୋପକୁ ବୋଫର୍ସ ଜବାବ

source:www.telegraphindia.com

ନୂଆଦିଲ୍ଲୀ,୨ ।୩(ଏଜେନ୍ସି): ନିୟନ୍ତ୍ରଣ ରେଖା ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ପ୍ରବଳ ସଂଘର୍ଷ ଚାଲିଛି । ଉଭୟ ପକ୍ଷ ସ୍ୱୟଂଚାଳିତ ଅସ୍ତ୍ରଶସ୍ତ୍ର ସହ ଶକ୍ତିଶାଳୀ ତୋପ ବ୍ୟବହାର କରି ପରସ୍ପର ଉପରେ ଗୁଳିଗୋଳା ବର୍ଷଣ କରୁଛି । ଗତ ୫ ଦିନ ଧରି ଏଭଳି ଜାରି ରହିଥିଲେ ହେଁ ଗତକାଲି ରାତି ଠାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇଛି ।
ବାଲାକୋଟ ଆକ୍ରମଣ ଯୋଗୁ କ୍ଷୁବ୍ଧ ପାକିସ୍ତାନ ଭାରତ ଉପରେ ରାଗ ସୁଝାଇବା ପାଇଁ ପୁଞ୍ଚ ଏବଂ ରାଜୌରି ଜିଲା ସଂଲଗ୍ନ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକ ଉପରେ ଭୟଙ୍କର ଆକ୍ରମଣ କରୁଛି । ପାକିସ୍ତାନ ଏଥିପାଇଁ ୧୦୫ ଏମଏମ ବିଶିଷ୍ଟ ତୋପ ବି ବ୍ୟବହାର କରୁଛି । ଏହାଯୋଗୁ ଦୁଇ ଦିନ ଭିତରେ ଭାରତର ଦୁଇ ଜଣ ମହିଳା ଏବଂ ଦୁଇ ଜଣ ଶିଶୁ ପ୍ରାଣ ହରାଇଲେଣି । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟ ଅଛନ୍ତି ।
ପାକିସ୍ତାନ ଉଦ୍ଦେଶ୍ୟମୂଳକ ଭାବେ ଭାରତର ବେସାମରିକ ଅଞ୍ଚଳଗୁଡ଼ିକ ଉପରେ ଆକ୍ରମଣ କରୁଛି । ଏହାଯୋଗୁ ଆଜି ଉଭୟ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏସବୁ ଅଞ୍ଚଳରେ ସମସ୍ତ ସ୍କୁଲ ବି ବନ୍ଦ ରଖାଯାଇଛି । ଭାରତ ସହିତ ଉତ୍ତେଜନା ଦେଖାଦେଇଥିବାରୁ ପାକ୍‌ ସେନା ଏବେ ଏଲଓସି ଏବଂ ଆନ୍ତର୍ଜାତିକ ସୀମା ନିକଟରେ ଅତିରିକ୍ତ ସଂଖ୍ୟକ ସୈନିକ ଏବଂ ଯୁଦ୍ଧାସ୍ତ୍ର ମୁତୟନ କରିଛି । ତେଣୁ ଏହାଯୋଗୁ ପାକ୍‌ ସେନା ଅଧିକ ଉତ୍ସାହିତ ହୋଇ ଭାରତର ଛାମୁଆ ପୋଷ୍ଟ ଏବଂ ବେସାମରିକ ଅଞ୍ଚଳଗୁଡିକୁ ଟାର୍ଗେଟ କରୁଛନ୍ତି ।
ତେବେ ଭାରତୀୟ ସେନା ବି ଏହାର କଡ଼ା ଜବାବ ଦେଉଛି । ଏହାଯୋଗୁ ପାକ୍‌ ଅଧିକୃତ କାଶ୍ମୀରରେ ଏକପ୍ରକାୟ ଭୟର ବାତାବରଣ ସୃଷ୍ଟି ହୋଇଛି । ପିଓକେର କୋଟଲି ଏବଂ ଅନ୍ୟ କେତେକ ଅଞ୍ଚଳରେ ବି ଘର, ଅନ୍ୟାନ୍ୟ କୋଠା କ୍ଷତିଗ୍ରସ୍ତ ହୋଇଛି । ପାକିସ୍ତାନ ପଟରୁ ଅଭିଯୋଗ କରାଯାଉଛି ଯେ ଭାରତ ୧୫୫ ଏମଏମ କ୍ଷମତା ବିଶିଷ୍ଟ ବୋଫର୍ସ ତୋପ ବ୍ୟବହାର କରୁଛି । ଏହାଯୋଗୁ ପିଓକେରେ ବିପୁଳ କ୍ଷୟକ୍ଷତି ହୋଇଛି । ଭାରତ ମଧ୍ୟ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଏବଂ ପିନାକ ମଲ୍ଟିବ୍ୟାରେଲ ରକେଟଲଞ୍ଚର ବ୍ୟବହାର କରୁଥିବାର କୁହାଯାଉଛି । ଭାରତୀୟ ସେନା ଦ୍ୱାରା ଏଭଳି ଭୟଙ୍କର ଆକ୍ରମଣ ପରେ ପିଓକେରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସେଠାରେ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।
ପାକ୍‌ ସେନା ଆଜି ସ୍ୱୀକାର କରିଛି, ଭାରତର ଆକ୍ରମଣରେ ନୀଲମ ଭ୍ୟାଲିରେ ଦୁଇ ଜଣ ସୈନିକ ଓ ଦୁଇ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ତେବେ ଅନ୍ୟ କେତେକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାକ୍‌ ସେନା ମୃତାହତଙ୍କ ପ୍ରକୃତ ସଂଖ୍ୟା ଲୁଚାଉଛି । ବାସ୍ତବରେ ଭାରତର ଆକ୍ରମଣ ଯୋଗୁ ପାକ୍‌ ସେନାର ୩୦ରୁ ଉଦ୍ଧ୍ୱର୍ ସୈନିକ ପ୍ରାଣ ହରାଇଛନ୍ତି । ସେହିପରି ୬ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲାବେଳେ ଶତାଧିକ ଆହତ ହୋଇଛନ୍ତି । ଏହି ସଂଖ୍ୟା କିନ୍ତୁ ବଢ଼ିବାରେ ଲାଗିଛି । ପାକିସ୍ତାନର ଅନେକ ରାଜନେତା, ସାଂସଦ ଆଜି ନିଜ ନିଜ ପ୍ରତିକ୍ରିୟାରେ ଭାରତର ବୋଫର୍ସ ତୋପ ବ୍ୟବହାରକୁ ସମାଲୋଚନା କରିଛନ୍ତି । ପାକିସ୍ତାନ ଭାରତର ପାଇଲଟଙ୍କୁ ମୁକ୍ତ କରିବା ପରେ ପରେ ଭାରତ ଦ୍ୱାରା ଏପରି ଆକ୍ରମଣ କରାଯିବାକୁ ସେମାନେ ଭାରତର ବେଇମାନୀ ବୋଲି ଆଖ୍ୟା ଦେଇଛନ୍ତି । କିନ୍ତୁ ସତକଥା ହେଉଛି ଯେ ପାକ୍‌ ସେନାର ଯେକୌଣସି ହରକତର ଦୃଢ଼ ଜବାବ ଦେବାକୁ ମୋଦି ସରକାର ସେନା କମାଣ୍ଡରମାନଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି । ତେଣୁ ଭାରତୀୟ ସେନା ଏବେ ତଦନୁଯାୟୀ ପାକ୍‌ ସେନାକୁ ଆଉ ଛାଡିବାକୁ ପ୍ରସ୍ତୁତ ନୁହେଁ ।