ଭାରତ-ଚୀନ ସୀମାର ଏଲଏସିରେ ଚୀନ୍ ଗୁପ୍ତଚରଙ୍କ ସୂଚନା ଦେଲା ଗୁଇନ୍ଦା, ହାଇଆଲର୍ଟରେ ଭାରତୀୟ ସେନା…

ଲଦାଖ: ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଖୁଲାସା କରିଛି କି ଭାରତ ଓ ଚୀନ୍ ସୀମାରେ ଚୀନ୍ ଗୁପ୍ତଚରଙ୍କ ସକ୍ରିୟତା ବୃଦ୍ଧି ପାଇଛି । ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ମୁତାବକ ଏବେ ସିକ୍କିମ ଓ ଅରୁଣାଞ୍ଚଳ ପ୍ରଦେଶ ସୀମାର ଏଲଏସିରେ ଚୀନ୍ର କିଛି ଗୁପ୍ତଚର ଦେଖିବାକୁ ମିଳୁଛନ୍ତି । ଏହା ଭାରତ ପାଇଁ ଏକ ଚିନ୍ତାର ବିଷୟ ।
ସୂଚନାନୁସାରେ, ଲଦାଖର ଦୌଲତ ବେଗ ଓଲଡି ସେକ୍ଟରର କାରାକୋରାମ ନିକଟରେ ଚୀନ୍ର ଗୁପ୍ତଚରମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ଭାରତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କହିନାହିଁ । ହିନ୍ଦୁସ୍ତାନ ଟାଇମ୍ସ ଅନୁଯାୟୀ, ଲଦାଖ ବ୍ୟତୀତ ସିକ୍କିମ ଏବଂ ଅରୁଣାଚଳ ପ୍ରଦେଶର ସୀମା ନିକଟରେ ଚୀନ୍ ଗୁପ୍ତଚରମାନଙ୍କୁ ଦେଖିବାକୁ ମିଳିଛି ।
ଉଲ୍ଲେଖନୀୟ ବିଷୟ ହେଉଛି, ଗତ ପ୍ରାୟ ୮ ମାସ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ଏଲଏସିରେ (LAC) ରେ ତିକ୍ତତା ଜାରି ରହିଛି । ଦୁଇ ଦେଶ ମଧ୍ୟରେ ନିଜର ସୈନ୍ୟ ପ୍ରତ୍ୟାହାର ପାଇଁ ୮ ରାଉଣ୍ଡ ଆଲୋଚନା ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ ।
ଏଠାରେ ସୂଚନା ଥାଉକି ୮ ଜାନୁୟାରୀ ୨୦୨୧ରେ, ଚୀନ୍ ସୈନିକଙ୍କୁ ଭାରତୀୟ ସେନା ପୂର୍ବ ଲଦାଖରେ ଗିରଫ କରିଥିଲା । ଯାହା ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରି ଭାରତ ସୀମାରେ ପ୍ରବେଶ କରିଥିଲେ । ତେବେ ପରେ ଚୀନ୍ ସୈନିକଙ୍କୁ ମୁକ୍ତ କରାଯାଇଥିଲା । ସେହି ସମୟରେ ଚୀନ୍ ସେନାର ପିପୁଲ୍ସ ଲିବରେସନ୍ ଆର୍ମି ଦ୍ବାରା ଏହି ବିବୃତ୍ତି ଜାରି କରାଯାଇଥିଲା ଯେ ଅନ୍ଧକାର ହେତୁ ଆମର ସୈନିକ ମାନେ ସୀମା ପାର କରି ଭାରତ ଯାଇଥିଲେ । ଭାରତୀୟ ସେନା ଆମ ସୈନିକଙ୍କୁ ଫେରାଇ ଦେଇଛି ।