ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ନୂଆଦିଲ୍ଲୀ : ଭାରତୀୟ ନୌସେନାକୁ ଏବେ ସ୍କର୍ପିନ ଶ୍ରେଶୀର ଆଉ ଏକ ବୁଡ଼ାଜାହାଜ ମିଳିବାକୁ ଯାଉଛି । ଚଳିତ ବର୍ଷ ଶେଷ ଭାଗ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ଏହି ବୁଡ଼ାଜାହାଜକୁ ନୌସେନାକୁ ହସ୍ତାନ୍ତର କରାଯିବ । ଏହାର ନାମ ଆଇଏନଏସ ଭାଗିର ରଖାଯାଇଛି । ଏହା ସ୍କର୍ପିନ ଶ୍ରେଣୀର ୫ମ ବୁଡ଼ାଜାହାଜ ହେବ । ମଜଗାଁଓ ଡକ୍‌ ସିପ୍‌ୟାଡ୍‌ରେ ଏହାର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ଏବଂ ତାହା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଫ୍ରାନ୍ସର ସହଯୋଗରେ ଭାରତରେ ସ୍କର୍ପିନ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରାଯାଉଛି । ୨୦୧୫ରେ ଏଇ ଶ୍ରେଣୀର ପ୍ରଥମ ବୁଡ଼ାଜାହାଜ ‘ ଆଇଏନ୍‌ଏସ୍‌ କଲାବରୀ’ର ଲଞ୍ଚ୍‌ କରାଯାଇଥିଲା ଏବଂ ୨୦୧୭ ଶେଷ ଭାଗରେ ଏହାକୁ ବିଧିବଦ୍ଧ ଭାବେ ନୌସେନାରେ ସାମିଲ କରାଯାଇଥିଲା ।

ଭାରତ ଏହି ଶ୍ରେଣୀର ୬ଟି ବୁଡ଼ାଜାହାଜ କ୍ରୟ କରିବାକୁ ଫ୍ରାନ୍ସ ସହିତ ଚୁକ୍ତି କରିଛି । ଏହି ବୁଡ଼ାଜାହାଜଗୁଡିକୁ ସାମିଲ କରାଯିବା ଦ୍ୱାରା ଭାରତୀୟ ନୌସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ଭାରତୀୟ ନୌସେନା ପାଖରେ ଏବେ ୧୭ଟି ବୁଡ଼ାଜାହାଜ ରହିଛି । ତା’ ଭିତରେ ଦୁଇଟି ବାଲିଷ୍ଟିକ୍‌ ମିସାଇଲ ରଖିବାର ବ୍ୟବସ୍ଥା ରହିଛି ।