ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ନୂଆଦିଲ୍ଲୀ,୨୫।୧୧: କରୋନା ସଂକ୍ରମଣ କାରଣରୁ ଲାଗିଥିବା ଲକଡାଉନ୍ ଏବେ ରେଲଓ୍ବେ ବିଭାଗରେ ଆର୍ଥିକ ସଙ୍କଟ ସୃଷ୍ଟି କରିଛି। ଆର୍ଥିକ କ୍ଷତିକୁ ଦେଖି କେନ୍ଦ୍ର ସରକାର କିଛି ବଡ ଧରଣର ପଦକ୍ଷେପ ନେବାର ନିଷ୍ପତ୍ତି ନେଇଛନ୍ତି। କୁହାଯାଉଛି ଯେ, ରେଳ ମନ୍ତ୍ରଣାଳୟ ନିଜ କର୍ମଚାରୀଙ୍କ ଭତ୍ତାକୁ କମ୍ କରିବା ଉପରେ ବିଚାର କରୁଛି। ରେଲଓ୍ବେ କର୍ମଚାରୀଙ୍କୁ ଟ୍ରାଭେଲ ଆଲାଉନ୍ସ ଏବଂ ଓଭରଟାଇମ୍ ଡ୍ୟୁଟି ଆଲାଉନ୍ସ ପାଇଁ ଦିଆଯାଉଥିବା ଭତ୍ତାରେ ୫୦% କଟାଯାଇପାରେ। ଏହା ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ।

ଏକ ରିପୋର୍ଟ ଅନୁସାରେ, ରେଳ ମନ୍ତ୍ରଣାଳୟ ଏହା ଉପରେ କାମ କରିବା ଆରମ୍ଭ କରିଦେଇଛି। କର୍ମଚାରୀଙ୍କ ଓଭରଟାଇମ୍ ଓ ଟ୍ରାଭେଲ ଆଲାଉନ୍ସ କମ୍ କରିବା ଉପରେ ଖୁବ୍ ଶୀଘ୍ର ଅନ୍ତିମ ନିଷ୍ପତ୍ତି ନେଇପାରନ୍ତି। ଏହା ପୂର୍ବରୁ ଅଗଷ୍ଟରେ ମଧ୍ୟ ଏଭଳି ଚର୍ଚ୍ଚା ହେଉଥିଲା ଯେ, ଭାରତୀୟ ରେଲଓ୍ବେ ୨୦୨୦-୨୧ରେ କର୍ମଚାରୀଙ୍କ ବେତନ ଓ ପେନଶନ୍ ରୋକିବା ଉପରେ ବିଚାର କରୁଛି। ତେବେ ସରକାର ଏହି ଆଶଙ୍କାକୁ ଖାରଜ କରି ସୋସିଆଲ ସାଇଟରେ ଲେଖିଥିଲେ, ସରକାରଙ୍କ ପାଖରେ ଏଭଳି କୌଣସି ପ୍ରସ୍ତାବ ନାହିଁ।

ଉଲ୍ଲେଖନୀୟ ଯେ, ଭାରତୀୟ ରେଲଓ୍ବେରେ ୧୩ ଲକ୍ଷରୁ ଅଧିକ କର୍ମଚାରୀ କାମ କରୁଛନ୍ତି। ପ୍ରାୟ ୧୫ ଲକ୍ଷ ପେନଶନଭୋଗୀ ରହିଛନ୍ତି। ରିପୋର୍ଟ ଅନୁସାରେ, ମନ୍ତ୍ରଣାଳୟ ପୂର୍ବରୁ ଅର୍ଥ ମନ୍ତ୍ରଣାଳୟଠାରୁ ୨୦୨୦-୨୧ରେ ୫୩,୦୦୦ କୋଟି ଟଙ୍କାର ପେନଶନ୍ ଖର୍ଚ୍ଚ ପୂରଣ କରିବା ପାଇଁ ହସ୍ତକ୍ଷେପ କରିବାର ଦାବି କରିଥିଲା।