ଏୟାରପୋର୍ଟରେ ଜମିଥିବା ବରଫରେ ମାଡ଼ ହେଲା ବିମାନ, ଅଳ୍ପକେ ବର୍ତ୍ତିଗଲେ ୨୩୩ ଜଣ ଯାତ୍ରୀ

ଶ୍ରୀନଗର,୧୩।୧: ଜମ୍ମୁ-କଶ୍ମୀର ଶ୍ରୀନଗର ବିମାନବନ୍ଦରରେ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।  ୨୩୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଏୟାରପୋର୍ଟରେ ଜମିଥିବା ବରଫ ସହିତ ମାଡ ହୋଇଯାଇଥିଲା। ଏହି ଦୁର୍ଘଟଣା କାରଣରୁ ଶ୍ରୀନଗର ବିମାନବନ୍ଦରରେ ଧାଁ ଦଉଡ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କର ଅସୁବିଧା ହୋଇନଥିବା ଜଣାପଡିଛି।

ବର୍ତ୍ତମାନ ସମୟରେ କଶ୍ମୀର ଅଧିକାଂଶ ଅଞ୍ଚଳରେ ପ୍ରବଳ ବରଫପାତ ହେଉଛି। ଏହି କାରଣରୁ ଅଧିକାଂଶ ରାସ୍ତା ବନ୍ଦ ଥିବା ବେଳେ ବିମାନବନ୍ଦରରେ ଉଡାଣ ବିଳମ୍ବ ହେଉଛି। ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋର 6E-2559 ନମ୍ବର ବିମାନ ଶ୍ରୀନଗରରୁ ଦିଲ୍ଲୀ ଉଡାଣ ଭରିବାକୁ ଥିଲା। ସେତେବେଳେ ଇଞ୍ଜିନର ଡାହଣ ଭାଗ ବରଫରେ ଫଶି ଯାଇଥିଲା। ଏହାପରେ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା ଓ ବିମାନର ଯାଞ୍ଚ କରାଯାଇଥିଲା। ତେବେ ଏହାପରେ ବିମାନଟି ଦିଲ୍ଳୀ ଅଭିମୁଖେ ଯାତ୍ରା କରିଥିଲା।