ଅନ୍ତର୍ଜାତୀୟ ମ୍ୟାଚ୍‌ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରସ୍ତୁତି ଜୋର୍‌ଦାର: ଗ୍ୟାଲେରୀ ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ୧୪/୧୧: ଡିସେମ୍ୱର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି । ଭାଙ୍ଗିପଡ଼ିଥିବା ଫ୍ଲଡ୍‌ଲାଇଟ୍‌ ଗୁଡ଼ିକର ମରାମତି କାମ ଆରମ୍ଭ ହୋଇଛି । ଏନେଇ ଗତ ସୋମବାର ସନ୍ଧ୍ୟାରେ ଏଲ୍‌ଇଡି ଲାଇଟ୍‌ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଛି । ଅନ୍ୟପକ୍ଷରେ ୭ନମ୍ବର ଗ୍ୟାଲେରୀ ମରାମତି କରିବାକୁ ଏକ ସରକାରୀ ଏଜେନ୍ସି ମଙ୍ଗଳବାର ଷ୍ଟାଡିୟମ୍‌ ଆସି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି । ଗୁରୁବାର ଆଉ ଏକ ସରକାରୀ ଏଜେନ୍ସି ଏହି ଗ୍ୟାଲେରୀ ଅନୁଧ୍ୟାନ କରିବାକୁ ଆସିବ ।

ମେ’ ୩ ଦିନରେ ହୋଇଥିବା ଫୋନି ବାତ୍ୟାରେ ବାରବାଟୀ ଷ୍ଟାଡିୟମ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଷ୍ଟାଡିୟମ୍‌ର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଫ୍ଲଡ୍‌ ଲାଇଟ୍‌ର ଅବସ୍ଥା ବେହାଲ୍‌ ହୋଇପଡ଼ିଥିଲା । ବାତ୍ୟା ପ୍ରଭାବରେ ୬୦ରୁ ଅଧିକ ଲାଇଟ୍‌ ଭାଙ୍ଗି ତଳେ ପଡ଼ିଥିଲା । ଅନ୍ୟ ଲାଇଟ୍‌ ବଲ୍‌ବ ଗୁଡିକ ବର୍ଷା ଓ ପବନ ସଂସ୍ପର୍ଶରେ ଆସି ଫ୍ୟୁଜ୍‌ ହୋଇଯାଇଥିଲା । ସେହିପରି ପବନର ବେଗରେ ସମସ୍ତ ୮ଟି ଯାକ ଫ୍ଲଡ୍‌ଲାଇଟ୍‌ ପୋଷ୍ଟ୍‌ ଗୁଡ଼ିକ ହୋଇଯାଇଥିଲା ହୁଗୁଳା । ଷ୍ଟାଡିୟମ୍‌ ପରିସରରେ ଥିବା ପ୍ରେସ୍‌ ବକ୍ସ, ଅପର୍‌ ପ୍ରେସ୍‌ବକ୍ସ ଓ କମେଣ୍ଟ୍ରି ରୁମ୍‌ର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ନ୍ୟୁ ପ୍ୟାଭିଲିୟନ୍‌, ୫ ନମ୍ବର ଗ୍ୟାଲେରୀର ଛାତ ଉଡ଼ିଯାଇଥିବା ବେଳେ ଡିଜିଟାଲ୍‌ ସ୍କୋର ବୋର୍ଡ ଫ୍ରେମ୍‌ ଭାଙ୍ଗିଯାଇଥିଲା । ଏ ସବୁର କ୍ଷୟକ୍ଷତି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବିସିସିଆଇକୁ ୧୫ କୋଟି ଟଙ୍କା ଅନୁଦାନ ମାଗିଥିଲା ଓସିଏ ।

କିନ୍ତୁ ନିର୍ବାଚନ ନସରିବା ପର୍ଯ୍ୟନ୍ତ ଏବଂ ସମ୍ବିଧାନ ଚୂଡ଼ାନ୍ତ ନହେବା ଯାଏଁ ଟଙ୍କାଟିଏ ଅନୁଦାନ ଦେବାକୁ ମନା କରିଦେଇଥିଲା ବିସିସିଆଇ । ତେବେ ଏହା ପରେ ଓସିଏ ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ଯୋଜନା କରାଯାଇଥିଲେ ବି ସମ୍ବିଧାନ ଚୂଡ଼ାନ୍ତ ହୋଇପାରିନଥିଲା । ଓସିଏର ନିର୍ବାଚନ ଶେଷ ହୋଇଥିଲେ ବି ଏ ପର୍ଯ୍ୟନ୍ତ ଅନୁଦାନ ମିଳିପାରିଲା ନାହିଁ । ବିସିସିଆଇରୁ ଅର୍ଥ ନମିଳିବା ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ନିଜସ୍ୱ ପ୍ରଚେଷ୍ଟାରେ କାମ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


୨୦୨୩ ବିଶ୍ବକପ୍‌କୁ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ

ସଫଳତାର ଶୀର୍ଷରେ ସ୍ବାତୀ

ଆଳୁ ଅସମ୍ଭାଳ: କେଜି ୫୨ ଛୁଇଁଲା, ପଶ୍ଚିମବଙ୍ଗରେ ବି ଅଣାୟତ୍ତ