ଫୁଟବଲ୍‌ ଖେଳି କ’ଣ ଭୁଲ୍‌ କଲି? ୧୫ ବର୍ଷର ଖେଳ କ୍ୟାରିୟର ବରବାଦ…

କଟକ,୦୧/୧୦ : ୨୦୦୮ ମସିହାରେ ୧୪ବର୍ଷରୁ କମ୍‌ ଭାରତୀୟ ଫୁଟବଲ୍‌ ଦଳରେ ଇରାନ୍‌ ଯାଇଥିଲେ ଖେଳିବାକୁ । ସେ ସମୟରେ ପ୍ରତିପକ୍ଷର ଏକ କିକ୍‌ କାନରେ ବାଜିଥିଲା । ଏ ଘଟଣାକୁ ୧୨ ବର୍ଷ ପୂରିଥିଲେ ବି ଏବେ ପୁରୁଣା କାନ ଯନ୍ତ୍ରଣା ପୁଣି ବାହାରିଲା । ରୋଜଗାର ସେମିତି କିଛି ନଥିବାରୁ ପରିବାର ଉପରେ ନିର୍ଭର କଲେ । ବାପା, ଭାଇଙ୍କ ଯୋଗୁଁ କାନ ଅପରେସନ୍‌ କଲେ କଟକର ପ୍ରତିଭାବାନ୍‌ ଫୁଟବଲ୍‌ ଖେଳାଳି ସେକ୍‌ ଇମ୍‌ତିଆଜ୍‌ ଅଲ୍ଲୀ । ଓଡ଼ିଶା ପାଇଁ ଜାତୀୟ ଫୁଟବଲ୍‌କୁ ପ୍ରତିନିଧିତ୍ୱ କରିଥିବା ଏବଂ ଭାରତ ପାଇଁ ଅନ୍ତର୍ଜାତୀୟ ସ୍ତରୀୟ ଫୁଟବଲ୍‌ ଖେଳିଥିବା ଇମ୍‌ତିଆଜ୍‌ ଏବେ ନିଜ ସ୍ଥିତି ନେଇ ସଂଘର୍ଷ କରୁଛନ୍ତି । ଦୁଃଖ ଯେ, ଭାରତ ଜର୍ସିରେ ଆଘାତ ପାଇ ଫୁଟବଲ୍‌ ଖେଳ ଜାରି ରଖିଥିବା ଏହି ଖେଳାଳିଙ୍କୁ ଅପରେସନ୍‌ ପାଇଁ କୌଣସି ସହାୟତା, ସହଯୋଗ ମିଳିଲା ନାହିଁ । ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ଧରି ଫୁଟବଲ୍‌ ଖେଳି ଆସୁଥବା ଇମ୍‌ତିଆଜ୍‌ଙ୍କ ପାଇଁ ସ୍ଥାୟୀ ନିଯୁକ୍ତି ଏବେ ମୁଖ୍ୟ ସମସ୍ୟା ।


ସେମିନାରୀ ଛକ ନିକଟସ୍ଥ ନିମସାହି ବାସିନ୍ଦା ସେକ୍‌ ମନସୁର୍‌ ଅଲ୍ଲୀଙ୍କ ପୁଅ ଇମ୍‌ତିଆଜ୍‌ଙ୍କର ଛୋଟ ବେଳୁ ଫୁଟବଲ୍‌ ପ୍ରତି ରୁଚି ଥିଲା । ସାହିରେ ସଂଖ୍ୟାଧିକ ଜାତୀୟ, ଅନ୍ତର୍ଜାତୀୟ ଫୁଟବଲ୍‌ ତାରକା ରହୁଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସି ଇମ୍‌ତିଆଜ୍‌ ଫୁଟବଲ୍‌ ଖେଳ ଆରମ୍ଭ କରିଥିଲେ ।

ସେମିନାରୀ ସ୍କୁଲ୍‌ରେ ଦିନରୁ ରାତି ଫୁଟବଲ୍‌ ଗଡ଼ାଇ ଗଡ଼ାଇ ସେ ପାଲଟିଗଲେ ଜାତୀୟ ଖେଳାଳି । ୨୦୦୫ ମସିହାରେ ଏଆଇଏଫ୍‌ଏଫ୍‌ ୧୩ବର୍ଷରୁ କମ୍‌ ଫୁଟବଲ୍‌ ଫେଷ୍ଟିଭାଲ୍‌ରେ ପ୍ରଥମଥର ପାଇଁ ଓଡ଼ିଶା ସବ୍‌ଜୁନିୟର ଦଳକୁ ପ୍ରତିନିଧିତ୍ୱ କରିଥିଲେ ଇମ୍‌ତିଆଜ୍‌ । ପରେ ୨୦୦୬ରେ ଦିଲ୍ଲୀରେ ଅନୁଷ୍ଠିତ ସୁବ୍ରତ ମୁଖାର୍ଜୀ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ୍‌ ଆଣ୍ଡାମାନ୍‌ରେ ୫୨ତମ ଜାତୀୟ କ୍ରୀଡ଼ା, ୨୦୦୭ରେ ଉତ୍ତରାଖଣ୍ଡରେ ସବ୍‌ଜୁନିୟର ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଏହି ଆଧାରରେ ୨୦୦୮ ମେ’ରେ ଇରାନ୍‌ରେ ଆୟୋଜିତ ୧୪ବର୍ଷରୁ କମ୍‌ ଏସିଆନ୍‌ ଫୁଟବଲ୍‌ କନ୍‌ଫେଡେରେସନ୍‌ ଫୁଟବଲ୍‌ ଫେଷ୍ଟିଭାଲ୍‌ରେ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ମିଳିଥିଲା । ସେଠୁ ଫେରିବା ପରେ ସବ୍‌ଜୁନିୟର୍‌ ସ୍ତରରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଗଲେ ଇମ୍‌ତିଆଜ୍‌ । ୨୦୦୮ ରେ ପଞ୍ଜାବରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଫୁଟବଲ୍‌, ୨୦୦୯ରେ ଜାତୀୟ ସ୍କୁଲ୍‌ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌(୧୭ବର୍ଷରୁ କମ୍‌), ୨୦୧୦ରେ ଜୁନିୟର ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌, ୨୦୧୩ରେ ଜାତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ ଖେଳିଛନ୍ତି ଇମ୍‌ତିଆଜ୍‌ ।
ଏତେ ଲମ୍ବା ଫୁଟବଲ୍‌ କ୍ୟାରିୟର ଥାଇ ମଧ୍ୟ ତାଙ୍କୁ ସ୍ଥାୟୀ ନିଯୁକ୍ତିର ସୁଯୋଗ ମିଳିନାହିଁ । ଆଜକୁ ୮ବର୍ଷ ତଳେ ପାରାଦୀପ ପୋର୍ଟ ଟ୍ରଷ୍ଟ୍‌ରେ ଏକ ଅସ୍ଥାୟୀ ନିଯୁକ୍ତି ପାଇଥିଲେ ବି ଚୁକ୍ତି ଶେଷ ହୋଇସାରିଲାଣି ।

ପରିବାରକୁ ଆର୍ଥିକ ସହାୟତା ଦେବା ତ’ ଦୂରର କଥା ୭ ହଜାର ଟଙ୍କା ଦରମାରେ ସେ ନିଜେ ଚଳିବା ସେଠାରେ କଷ୍ଟ ହେଉଥିଲା । ଓଡ଼ିଶା ପୁଲିସ୍‌, ରେଲୱେ ଭଳି ବିଭିନ୍ନ ସରକାରୀ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କ ସ୍ୱପ୍ନ ସାକାର ହୋଇପାରିନାହିଁ । ଏଭଳି ପରିସ୍ଥିତିରେ ଅସ୍ଥାୟୀ ନିଯୁକ୍ତି ଚୁକ୍ତି ଶେଷ ହେବା ପରେ କାନ ସମସ୍ୟା ଦେଖାଯିବା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାବ୍ୟସ୍ତ ହୋଇଥିଲା । ଯଦିଓ ଧାର୍‌ ଉଧାର୍‌ କରି ଅପରେସନ୍‌ ଶେଷ ହୋଇଛି । କିନ୍ତୁ ତାଙ୍କ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟୁନାହିଁ । ଏନେଇ ଇମ୍‌ତିଆଜ୍‌ କହିଛନ୍ତି, ଫୁଟବଲ୍‌କୁ ୧୫ବର୍ଷରୁ ଅଧିକ ସମୟ ଦେଇଛି । ଦିନ ତମାମ୍‌ ଫୁଟବଲ୍‌ ଖେଳି ବିତାଇଛି । କିନ୍ତୁ ମୋ ପାଇଁ ନିଯୁକ୍ତି ନଥିବାରୁ ମନ ଦୁଃଖ ହୋଇଛି । ଆଉ କେତେ ଦିନ ପରିବାର ଉପରେ ନିର୍ଭର କରିବି? ଭାରତୀୟ ଟିମ୍‌ରେ ଖେଳୁଥିବା ବେଳେ କାନରେ ବଲ୍‌ ବାଜିଥିଲା³ ଏବେ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ କରି ଅପରେସନ୍‌ କରାଇଛି । ଏଭଳି ସ୍ଥିତିରେ ମୋ ପରିବାର ପାଇଁ ମୋ ନିଯୁକ୍ତି ଅତି ଜରୁରି ହୋଇପଡ଼ିଛି । ହେଲେ ସରକାରୀ କିମ୍ବା ବେସରକାରୀ ସ୍ତରରେ ମୋ ପାଇଁ ନିଯୁକ୍ତି ସୁଯୋଗ ମିଳୁନି । ମନେହେଉଛି, ଫୁଟବଲ୍‌ ଖେଳି ଯେମିତି ଭୁଲ୍‌ କରିଦେଇଛି । ଇମ୍‌ତିଆଜ୍‌ଙ୍କ ଏ କ୍ଷୋଭର ଉତ୍ତର ଦେବ କିଏ?

   ସମ୍ବନ୍ଧିତ ଖବର


ଭଦ୍ରକ: ବିକ୍ଷୋଭ ବେଳେ ପୋଲିସ ଓ ବ୍ଲକ କର୍ମଚାରୀଙ୍କ ଉପରେ ଆକ୍ରମଣ

ସାଲେପୁର: ଗ୍ୟାସ ଏଜେନ୍ସିରୁ ଚୋରି

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ

ପୁରୁଷ ଫୁଟବଲ୍‌ ଦଳର କୋଚ୍‌ ହେବାରେ ଫୈଜା ପ୍ରଥମ ମହିଳା

୫ ମାସ ଧରି ହେଉଥିଲେ ଦୁଷ୍କର୍ମର ଶିକାର, ସାହସ କରି ଖସି ଆସିଲେ ନାବାଳିକା, ଏବେ ଏସ୍‌ପିଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର : ମହିଳାଙ୍କ ପେଟରୁ ବାହାରିଲା ଏକ ବିରାଟ ଟ୍ୟୁମର