ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ: ସଶକ୍ତ ଓଡ଼ିଶା ପାଇଁ ମହିଳା ଅଧିକାର ଜରୁରି

ଭୁବନେଶ୍ୱର, ୮ ।୩(ବ୍ୟୁରୋ): ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ଶୁକ୍ରବାର ଜୟଦେବ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ଆନ୍ତର୍ଜାତିକ ମହିଳା ଦିବସ ।
ଏଥିରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ଯୋଗଦେଇ କହିଥିଲେ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ନାରୀମାନଙ୍କ ସଫଳତାର ଜୟଗାନ କରି ସେମାନଙ୍କୁ ନ୍ୟାଯ୍ୟ ଅଧିକାର ଦେବା ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର କମିଶନର ଚିତ୍ର ଅରୁମୁଗମ , ମିଶନ ଶକ୍ତିର କମିଶନର ତଥା ନିର୍ଦ୍ଦେଶିକା ସୁଜାତା ଆର୍ କାର୍ତ୍ତିକେୟନ୍ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ସମବାୟ ବିକାଶ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ଶ୍ୱେତାସ୍ନିଗ୍ଧା ମିଶ୍ର, ଶିଶୁ ସୁରକ୍ଷା ଅଧିକାର କମିଶନର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଶା ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିିକା ପ୍ରଧାନ ପ୍ରମୁଖ ଯୋଗ ଦେଇଥିେଲେ । ସମନ୍ୱିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦ୍ଦେଶକ ରେଘୁ ଜି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଉତ୍ତମ ପ୍ରଦର୍ଶନ କରିଥିବା ୩ଟି ଜିଲ୍ଲା ଯଥା ଗଞ୍ଜାମ, ଗଜପତି ଓ ବାଲେଶ୍ୱର ଜିଲ୍ଲାକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଉତ୍ତମ ପ୍ରଦର୍ଶନକାରୀ ଭାବେ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ଯଥା ଢ଼େଙ୍କାନାଳର ମହର୍ଷି ଦୟାନନ୍ଦ ସର୍ଭିସେସ୍ ମିଶନ, ପାଟଳିପଙ୍କା, କେନ୍ଦ୍ରାପଡାର ଲୁଥେରାନ୍ ମହିଳା ସମିତି, କନ୍ଧମାଳ ଜିଲ୍ଲାର ବନବାସୀ ସେବା ସମିତିକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଭାବେ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଶିଶୁ ଯତ୍ନ ଅନୁଷ୍ଠାନ ବର୍ଗରେ ସମ୍ବଲପୁରର ଧନକଉଡା ସ୍ଥିତ ଶିଶୁ ଗୃହ, ଭୁବନେଶ୍ୱରର ଏସ୍ଓଏସ୍ ଚିଲ୍ଡ୍ରେନ୍ସ ଭିଲେଜ, ଭଦ୍ରକର ଯୋଗୀଋଷୀ ଲକ୍ଷ୍ମଣ ଦାସ ଶିଶୁ ଆଶ୍ରମକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଭାବେ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ସେହିପରି ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ତିନୋଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଯଥା ବରଗଡ଼ ଜିଲ୍ଲା ବନ୍ଧପାଲ୍ଲୀ ସ୍ଥିତ ଜଗଦମ୍ବା ସ୍ୱୟଂସହାୟକ ଗୋଷ୍ଠୀ, ଗଞ୍ଜାମର ଯୋଗେନ୍ଦ୍ର ପ୍ରସାଦ ସ୍ଥିତ ସତ୍ୟସାଇ ସ୍ୱୟଂ ସହାୟକ ଗୋଷ୍ଠୀ, ଭଦ୍ରକ ଜିଲ୍ଲା ଗେଲଟୁଆ ସ୍ଥିତ ଜୟ ମା’ ଦୁର୍ଗା ହସ୍ତଶିଳ୍ପ ସ୍ୱୟଂ ସହାୟକ ଗୋଷ୍ଠୀକୁ ୫୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା ।