ମେ’ ସୁଦ୍ଧା ସବୁ ପଞ୍ଚାୟତକୁ ଇଣ୍ଟରନେଟ୍‌ ସଂଯୋଗ: ପ୍ରଥମ ପର୍ଯ୍ୟାୟରେ ୩୭୭୦ ପଞ୍ଚାୟତ, ୧୭୫ ବ୍ଲକ ଇଣ୍ଟରନେଟ୍‌ରେ ଯୋଡ଼ି ହେଲାଣି

ଭୁବନେଶ୍ୱର,୧୪/୦୧: ଭିଡିଓ କନ୍‌ଫରେନ୍ସିଂରେ ଜିଲ୍ଲାପାଳଙ୍କ ଦପ୍ତରରୁ ନେଇ ଲୋକସେବା ଭବନ ପର୍ଯ୍ୟନ୍ତ ସରକାରୀ ବୈଠକରେ ସାମିଲ ହେବ ପଞ୍ଚାୟତ କାର୍ଯ୍ୟାଳୟ। ରାଜ୍ୟସ୍ତରରୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକ୍ରମ, ଯୋଜନାର ସମୀକ୍ଷା ହେବ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ। ଗ୍ରାମାଞ୍ଚଳକୁ ଇଣ୍ଟରନେଟରେ ଯୋଡ଼ି ସରକାରୀ ସେବାକୁ ତ୍ୱରିତ୍‌ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ପ୍ରତି ବ୍ଲକ ଓ ପଞ୍ଚାୟତକୁ ଇଣ୍ଟରନେଟ ସେବା ପାଇଁ ଆରମ୍ଭ ହୋଇଥିବା କାମକୁ ତ୍ୱରିତ୍‌ ବେଗରେ ଆଗେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ମେ’ ସୁଦ୍ଧା ଇଣ୍ଟରନେଟ ସଂଯୋଗ କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଶ୍ରୀ ମହାପାତ୍ର ।

ଭାରତ ନେଟ୍‌ ପ୍ରକଳ୍ପର ରାଜ୍ୟସ୍ତରୀୟ କାର୍ଯ୍ୟକାରିତା ନେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବୁଧବାର ସମୀକ୍ଷା ବୈଠକ କରିଥିଲେ। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ହୋଇଥିଲା ବୈଠକ । ଏଥିରେ ଶ୍ରୀ ମହାପାତ୍ର କହିଲେ, ପଞ୍ଚାୟତଗୁଡ଼ିକୁ ହାଇସ୍ପିଡ୍‌ ଇଣ୍ଟରନେଟ ସେବା ଯୋଗାଇବାକୁ ହେବ । ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଇଣ୍ଟରନେଟ ସବୁଠୁ ବଡ଼ ମାଧ୍ୟମ । ଏହା ଲୋକଙ୍କୁ ସଶକ୍ତ କରିବା ସହ ଦକ୍ଷତା ବୃଦ୍ଧିରେ ସହାୟକ ହେବ । ଏଥିଯୋଗୁ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ମିଳିପାରିବ । ହାଇସ୍ପିଡ୍‌ ଇଣ୍ଟରନେଟ ସେବା ମିଳିଲେ ଗାଁ ଗହଳିର ଲୋକେ ବି ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ସେବା ପାଇପାରିବେ । ଏପରିକି ଗ୍ରାମ ପଞ୍ଚାୟତଗୁଡ଼ିକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହେବ ।

ବୈଠକରେ ନିଷ୍ପତ୍ତି ହେଲା, ସ୍କୁଲ, ଡାକ୍ତରଖାନା, ବ୍ୟାଙ୍କ, ଜନସୁବିଧା କେନ୍ଦ୍ର ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଟେଲି ମେଡିସିନ୍‌ ସେଣ୍ଟର, କୃଷି କିଓକ୍ସକୁ ଇଣ୍ଟରନେଟ ସଂଯୋଗ ହେବ। ଏହା ସ୍ୱାସ୍ଥ୍ୟ ସେବା, ଇ-ଲର୍ଣ୍ଣିଂ, କୃଷି ବ୍ୟବସାୟିକ କାରବାର ପାଇଁ ସହାୟକ ହେବ।

ଆଇଟି ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର କହିଲେ, ଏବେ ସୁଦ୍ଧା ୩୭୭୦ଟି ପଞ୍ଚାୟତକୁ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ ସଂଯୋଗ କରାଯାଇଛି । ବାକି ବ୍ଲକ ଓ ପଞ୍ଚାୟତକୁ ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଓକାକ୍‌, ଓପିଟିସିଏଲ୍‌ ଏବଂ ଟାରାସଫ୍ଟ ମିଳିତ ଭାବେ କାମ କରୁଛନ୍ତି ଏଥିପାଇଁ।

ଦୁଇଟି ପର୍ଯ୍ୟାୟରେ ଗ୍ରାମାଞ୍ଚଳକୁ ଇଣ୍ଟରନେଟ ସଂଯୋଗ କରାଯାଉଛି। ପ୍ରଥମ ପର୍ଯାୟରେ ୩୮୧୦ଟି ପଞ୍ଚାୟତ, ୧୮୧ଟି ବ୍ଲକ ଓ ୧୮ଟି ଜିଲ୍ଲାକୁ ନିଆଯାଇଛି। ଏବେ ସୁଦ୍ଧା ୩୭୭୦ ପଞ୍ଚାୟତ, ୧୭୫ଟି ବ୍ଲକରେ କାମ ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୯୪୫ଟି ପଞ୍ଚାୟତ, ୧୩୩ଟି ବ୍ଲକ, ୧୨ଟି ଜିଲ୍ଲାରେ ଏ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ହଜାର କିଲୋମିଟର ଏରିଏଲ୍‌ ଅପ୍ଟିକାଲ୍‌ ଫାଇବର ନେଟୱର୍କ ହେବ । ଏଥିମଧ୍ୟରୁ ୧୩,୪୦୦ କିମି କେବୁଲ କାମ ସରିଲାଣି।

ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଗୃହ) ସଂଜୀବ ଚୋପ୍ରା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଓପିଟିସିଏଲ୍‌ ଚେୟାରମ୍ୟାନ ସୌରଭ ଗର୍ଗ, ପଞ୍ଚାୟତିରାଜ ପ୍ରମୁଖ ଶାସନ ସଚିବ ଦେଓ ରଞ୍ଜନ ସିଂହ ଉପସ୍ଥିତ ଥିଲେ ।