ଆଇଏନଏକ୍ସ ଦୁର୍ନୀତି ମାମଲା: ଗିରଫ ହୋଇପାରନ୍ତି ଚିଦାମ୍ବରମ, ଅଗ୍ରୀମ ଜାମିନ୍ ଦେବାକୁ ମନା କଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୦।୮:​ ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ଜବରଦସ୍ତ ଝଟକା ଲାଗିଛି। ଚିଦମ୍ବରମଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି। ଏହି ମାମଲାରେ ଉଭୟ ଇଡି ଓ ସିବିଆଇ ତାଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। କିନ୍ତୁ  ଆଜି କୋର୍ଟ ତାଙ୍କର ଅନ୍ତରୀଣ ଜାମିନ୍‌ ଅବଧି ବଢ଼ାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ତେଣୁ ଉଭୟ ତଦନ୍ତକାରୀ ସଂସ୍ଥା ଯେ କୌଣସି ମୁହୂର୍ତ୍ତରେ ତାଙ୍କୁ ଗିରଫ କରିବାର ଆଶଙ୍କା ଏବେ ପ୍ରକାଶ ପାଇଛି। ଆବେଦନ ଖାରଜ ହେବାପରେ ଗିରଫ ହେବାଠାରୁ ବଞ୍ଚିବା ପାଇଁ ଚିଦମ୍ବରମ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି। ତାଙ୍କର ଲିଗାଲ୍ ଟିମ୍ ତୁରନ୍ତ ସୁପ୍ରିମକୋର୍ଟରେ ପହଁଞ୍ଚିଥିଲେ।

ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବରିଷ୍ଠ ଆଇନଜୀବି ଓ କଂଗ୍ରେସ ନେତା କପିଲ ସିବଲ ଓକିଲଙ୍କ ଏକ ଟିମ୍ ସହିତ ସେହି ସମ୍ଭାବନା ଉପରେ ଚର୍ଚ୍ଚା କରିଥିଲେ,ଯାହା ଅନୁସାରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇ ହେବ। ଏହାପରେ ସୁପ୍ରିମକୋର୍ଟରେ ସିବଲ ସୁପ୍ରିମକୋର୍ଟଙ୍କ ଅଧିକାରୀଙ୍କୁ ଚିଦମ୍ବରମଙ୍କ ଆବେଦନକୁ ରେଜିଷ୍ଟାରଙ୍କ ସାମନାରେ ହାଜର ରହିବାକୁ କହିଛନ୍ତି। ସିବଲ ସୁପ୍ରିମକୋର୍ଟର ରେଜିଷ୍ଟାର(ନ୍ୟାୟିକ) ସୂର୍ଯ୍ୟ ପ୍ରତାନ ସିଂଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ ଏବେ କ’ଣ କରିହେବ। ଏହା ମଧ୍ୟରେ କଂଗ୍ରେସର ଆଉ ଜଣେର ନେତା ଓ ଓକିଲ ଅଭିଷେକ ମନୁ ସିଙ୍ଘଭି ମଧ୍ୟ ସୁପ୍ରିମକୋର୍ଟ ପହଁଞ୍ଚି ଚିଦମ୍ବରମଙ୍କ ଓକିଲଙ୍କ ସହିତ ବିଚାର ବିମର୍ଷ କରିଥିଲେ। ଏହି ମାମଲା ଯଦିଓ ସୁପ୍ରିମକୋର୍ଟ ପହଁଞ୍ଚି ଯାଇଛି କିନ୍ତୁ ଏବେ ଆଜି ଏହାର ଶୁଣାଣି ହୋଇପାରିବନି। କାରଣ ମୁଖ୍ୟ ବିଚାରପତି ଜୁଡିସିଆଲ କାମରେ ବ୍ୟସ୍ତ ଅଛନ୍ତି। ଆବେଦନ କରିବା ପରେ ମୁଖ୍ୟ ବିଚାରପତି ଯେଉଁ ଦିନ ସମୟ ଦେବେ ସେ ଦିନ ଏହାର ଶୁଣାଣି ହେବ ବୋଲି ଜଏଣ୍ଟ ରେଜିଷ୍ଟାର କହିଛନ୍ତି।

ଆଜି ଶୁଣାଣି ବେଳେ  ସିବିଆଇ ଓ ଇଡି ପକ୍ଷରୁ ଚିଦାମ୍ବରମଙ୍କ ଜାମିନ୍‌ ଆବେଦନକୁ ବିରୋଧ କରିଥିଲେ। ସେ ତଦନ୍ତରେ ସହଯୋଗ କରୁ ନଥିବାରୁ ତାଙ୍କୁ ଉଭୟ ତଦନ୍ତକାରୀ ସଂସ୍ଥା ହେପାଜତକୁ ନେଇ ଜେରା କରିବାକୁ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାପରେ ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୧୮ ଜୁଲାଇ ୨୫ରେ ପ୍ରଥମଥର ପାଇଁ ହାଇକୋର୍ଟ ଚିଦାମ୍ବରମଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଏହାପରେ ଏହି ଜାମିନ ମିଆଦ ଅବଧି ବଢ଼ିବାରେ ଲାଗିଥିଲା।

ଉଲ୍ଲେଖନୀୟ ଯେ, ୨୦୦୭ରେ ଚିଦାମ୍ବରମ ୟୁପିଏ-୧ ସରକାରରେ ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଆଇଏନ୍‌ଏକ୍ସ ମିଡିଆ ଓ ଏୟାରସେଲ ମ୍ୟାକ୍ସିସକୁ ଫାଇଦା ଦେବା ପାଇଁ ଚିଦାମ୍ବରମ ନିଜ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।ବିଦେଶରୁ ଆଇଏନ୍‌ଏକ୍ସ ମିଡିଆ ୩୦୫ କୋଟି ଟଙ୍କା ଗ୍ରହଣ କରିଥିଲା। ବିଦେଶୀ ଅର୍ଥ ଗ୍ରହଣ ପାଇଁ ଗୋଟିଏ କମ୍ପାନୀକୁ ପ୍ରଥମେ ଫରେନ୍‌ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡ(ଏଫ୍‌ଆଇପିବି)ର ଅନୁମତି ନେବାକୁ ପଡ଼େ। ତେବେ ଆଇଏନ୍‌ଏକ୍ସ ମିଡିଆ ପାଇଁ ଏହି ନିୟମରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସିବିଆଇ ପ୍ରଥମେ ଏଫଆଇଆର ରୁଜୁ କରିଥିଲା। ଏହାପରେ ଇଡି ମଧ୍ୟ ମନିଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଦୁଇ ମାମଲାରେ ଚିଦାମ୍ବରମଙ୍କ ପୁଅ କାର୍ତ୍ତି ମଧ୍ୟ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ୨୦୧୮ ଫେବୃଆରୀ ୨୮ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଇଡି  ତାଙ୍କ ସମ୍ପତ୍ତିକୁ ଜବତ କରିଛି। ତେବେ ଏବେ ସେ ଜାମିନ୍‌ରେ ରହିଛନ୍ତି

   ସମ୍ବନ୍ଧିତ ଖବର


ପାର୍କିଂ ସ୍ପେସ୍ ନାହିଁ ଯଦି ୨୦୨୧ରେ ନୂଆ କାର କିଣି ପାରିବେନି, ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା Paytm, ଆପ୍ ହଟାଇବା ପଛରେ ରହିଛି ଏହି କାରଣ

ରୁଷର ଭ୍ୟାକସିନ ନେଉଥିବା ପ୍ରତି ୭ ଜଣରୁ ଜଣେ ବ୍ୟକ୍ତି ଅସୁସ୍ଥ, ଭାରତକୁ ମଧ୍ୟ ଆସିବ ଲକ୍ଷାଧିକ ଟିକା

ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ମୁକେଶ ଖାନ୍ନା, କହିଲେ-ବଲିଉଡ ଇଣ୍ଡଷ୍ଟ୍ରୀ କାହା ବାପାର ନୁହେଁ…

ପ୍ରଥମ ଥର ସ୍ବୀକାର କଲା ଡ୍ରାଗନ୍,ଗଲଓ୍ବାନ ଘାଟି ସଂଘର୍ଷରେ ନିହତ ହୋଇଥିଲେ ଚୀନ୍ ସୈନିକ

ଜାତୀୟ ସୁରକ୍ଷା ଉପରେ ବଡ଼ ବିପଦ! ଏନଆଇସି ଉପରେ ସାଇବର ଆଟାକ୍, ସମ୍ବେଦନଶୀଳ ତଥ୍ୟ ଚୋରିକଲେ ହ୍ୟାକର