ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା: ଚିଦାମ୍ବରମଙ୍କ ରିମାଣ୍ଡ ଗୋଟିଏ ଦିନ ବୃଦ୍ଧି

ନୂଆଦିଲ୍ଲୀ ୩/୯ : ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟ ଆଜି ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅଧିକ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ଅଗଷ୍ଟ ୩୦ରେ ମିଳିଥିବା ୩ ଦିନର ରିମାଣ୍ଡ ଅବଧି ଶେଷ ହେବା ପରେ ସିବିଆଇ ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଅଧିକ ଦିନଟିଏ ରିମାଣ୍ଡରେ ନେବାକୁ ଦାବି କରିଥିଲା । ସ୍ୱତନ୍ତ୍ର କୋର୍ଟର ବିଚାରପତି ଅଜୟ କୁମାର କୁହର ସିବିଆଇର ଦାବିକୁ ଗ୍ରହଣ କରି ଗୋଟିଏ ଦିନ ରିମାଣ୍ଡ ଅବଧି ବଢ଼ାଇଛନ୍ତି ।

କୋର୍ଟରେ ଆଜି ମାମଲାର ଶୁଣାଣି ବେଳେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଅନ୍ତରୀଣ ଜାମିନ ଆବେଦନ ଦାଖଲ କରିଥିଲେ । ଏଥିସହିତ ଏହା ଉପରେ ପକ୍ଷ ରଖିବାକୁ ମଧ୍ୟ ଚାହିଁଥିଲେ । ମାତ୍ର ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଆଜି ତା ଉପରେ ଶୁଣାଣିକୁ ବିରୋଧ କରିଥିଲେ । କହିଥିଲେ ଏହା ଉପରେ ସିବିଆଇ ନିଜର ଜବାବ ଦାଖଲ କରିବା ଲାଗି ସମୟ ଦରକାର । ତେଣୁ ସିବିଆଇକୁ ୧୦ ଦିନ ସମୟ ଦେବାକୁ ସେ ଦାବି କରିିଥିଲେ ।

ମାତ୍ର କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଆସନ୍ତାକାଲି (ମଙ୍ଗଳବାର) ଅପରାହ୍ନ ୩ଟା ୩୦ରେ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି । ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୦ ତାରିଖରେ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ ୨୧ ତାରିଖ ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା । ସେହି ଦିନଠାରୁ ଦୀର୍ଘ ୧୧ ଦିନ ହେଲା ସେ ସିବିଆଇ ହାଜତରେ ଅଛନ୍ତି ଓ ତଦନ୍ତକାରୀ ସଂସ୍ଥା ତାଙ୍କୁ ପଚରାଉଚୁରା କରୁଛି ।

ସେପଟେ ସୁପ୍ରିମକୋର୍ଟ ମଧ୍ୟ ଆଜି ଚିଦାମ୍ବରମଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ତଳକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ତାଙ୍କୁ ତିହାର ଜେଲ୍‌ ନ ପଠାଇବାକୁ କହିଛନ୍ତି । ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ଦର୍ଶାଇଥିଲେ ଯେ ଚିଦାମ୍ବରମଙ୍କୁ ୭୪ ବର୍ଷ ବୟସ ହେଲାଣି । ତେଣୁ ବୟସାଧିକ୍ୟ କାରଣରୁ ତାଙ୍କୁ ତିହାର ପଠାନ ଯାଉ । ବରଂ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଉ ନଚେତ ଗୃହବନ୍ଦୀ କରି ରଖାଯାଉ ।

ସୂଚନାଯୋଗ୍ୟ ଯେ ୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲା ବେଳେ ଆଇଏନ୍‌ଏକ୍ସ ମିଡିଆକୁ ବିଦେଶରୁ ୩୦୫ କୋଟି ଟଙ୍କା ପାଇବା ଲାଗି ଆଇନ ଉଲ୍ଲଂଘନ କରି ଏଫଆଇପିବି (ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ)ଅନୁମତି ଦେଇଥିଲେ । ପ୍ରତିବଦଳରେ ଆର୍ଥିକ ଫାଇଦା ପାଇଥିଲେ ବୋଲି ସିବିଆଇ ଅଭିଯୋଗ କରିଛି । ୨୦୧୭ ମେ ୧୫ରେ ସିବିଆଇ ଏହା ଉପରେ ଏଫଆଇଆର ରୁଜୁ କରିଥିଲା । ସେହିବର୍ଷ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା