କୋଲକାତା,୨୬/୦୪: ଚଳିତ ଆଇପିଏଲର ୪୨ତମ ଲିଗ୍ ମୁକାବିଲାରେ ଘରୋଇ କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ । ୭ଟି ମ୍ୟାଚ୍ ଖେଳି ୧୦ ପଏଣ୍ଟ ହାସଲ କରିସାରିଥିବା ନାଇଟ୍ ରାଇଡର୍ସ ଘରୋଇ ଗ୍ରାଉଣ୍ଡ୍ରେ ଆଧିପତ୍ୟ ଜାରି ରଖି ଆଉ ୨ପଏଣ୍ଟ ହାତେଇବାକୁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ପଞ୍ଜାବ କିଙ୍ଗ୍ସ ଭାଗ୍ୟକୁ ଭରସା କରି ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିବାକୁ ଆଶା ରଖିଛି । ୮ଟି ମ୍ୟାଚ୍ ଖେଳି ପଞ୍ଜାବ କିଙ୍ଗ୍ସ ୨ଟି ବିଜୟ ସହ ମୋଟ୍ ୪ ପଏଣ୍ଟ ହାସଲ କରିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ଦଳକୁ ଅତି କମ୍ରେ ଆଉ ୫ଟି ମ୍ୟାଚ୍ ଜିତିବାକୁ ହେବ ।
ଚଳିତ ସିଜନରେ ଉଭୟ ଦଳ ପରସ୍ପରକୁ ପ୍ରଥମ କରି ଭେଟିବାକୁ ଯାଉଛନ୍ତି । ଗତ ବର୍ଷ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିଲେ । ପୂର୍ବ ରେକର୍ଡକୁ ଗଣନା କଲେ ଶୁକ୍ରବାର ନାଇଟ ରାଇଡର୍ସର ପଲା ଭାରି ରହିବ । ଉଭୟ ଦଳ ଗତ ୧୬ ବର୍ଷ ମଧ୍ୟରେ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ନାଇଟ ରାଇଡର୍ସ ୨୧ଟି ମ୍ୟାଚ୍ ଜିତିଛି ।
ଚଳିତ ସିଜନରେ ନାଇଟ୍ ରାଇଡର୍ସ ଚମତ୍କାର ଫର୍ମରେ ରହିଛି । ଶ୍ରେୟାସ ଆୟରଙ୍କ ପ୍ରତ୍ୟାବର୍ତ୍ତନ ସାଙ୍ଗକୁ ସୁନୀଲ ନାରାଏନ ଓପନ କରିବା ଫର୍ମୁଲା ଦଳ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଛି । ବ୍ୟାଟିଂ ବିଭାଗରେ ସନ୍ତୁଳନ ବଢି ଯାଇଛି । ପ୍ରତି ସ୍ଥାନ ପାଇଁ ଏକାଧିକ ବିକଳ୍ପ ରହିଥିବାରୁ ନାଇଟ୍ ରାଇଡର୍ସ ଆଧିପତ୍ୟ ଜାରି ରହିଛି ।
ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିଭାଗ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଶିଖର ଧାୱନ ଆହତ ଥିବାରୁ ଓପନିଂ ବିଭାଗ ଦୁର୍ବଳ ହୋଇଯାଇଛି । ଦଳରେ ରହିଥିବା ତାରକା ଖେଳାଳିମାନେ ଏପର୍ଯ୍ୟନ୍ତ ସଫଳ ହୋଇ ନାହାନ୍ତି ।ମାତ୍ର ନିମ୍ନ ଭାଗ ବ୍ୟାଟରମାନେ ଦମ୍ଦାର ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ନାଇଟ ରାଇଡର୍ସ ତୁଳନାରେ ପଞ୍ଜାବ କିଙ୍ଗ୍ସର ବୋଲିଂ ବିଭାଗ ଅଧିକ ସନ୍ତୁଳିତ । ପଞ୍ଜାବ କିଙ୍ଗ୍ସ ବୋଲିଂ ବିଭାଗ ବିପକ୍ଷରେ କୌଣସି ଦଳ ଏପର୍ଯ୍ୟନ୍ତ ୨୦୦ ରନ୍ ଅତିକ୍ରମ କରିପାରି ନାହାନ୍ତି । ନାଇଟ୍ ରାଇଡର୍ସ ଇମ୍ପାକ୍ଟ ପ୍ଲେୟାର ଉପଯୋଗ କରିବାରେ ସବୁଠୁ ଆଗରେ ରହିଛି । ପୂର୍ବରୁ ମଧ୍ୟ ଦଳର ସ୍ପିନ୍ ବିଭାଗ ଶକ୍ତିଶାଳୀ ରହିଥିଲା । ଏଥର ଘରୋଇ ପେସ୍ ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରୁଥିବାରୁ ବିଦେଶୀ ପେସ୍ ବୋଲରଙ୍କ ଆବଶ୍ୟକତା ପଡ଼ୁନାହିଁ । ଅବଶ୍ୟ ମିଚେଲ ଷ୍ଟାର୍କ ଲୟରେ ନାହାନ୍ତି । ମାତ୍ର ଏହା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିନାହିଁ ।
ଶୁକ୍ରବାର ଉଭୟ ଦଳ ଏକାଦଶ ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । ଧାୱନ ଫିଟ୍ ହୋଇ ନଥିବାରୁ ସାମ କରନ୍ ପଞ୍ଜାବ କିଙ୍ଗସ ଦଳର ନେତୃତ୍ୱ ନେବେ। ଟସ ଉପରେ ଦଳର ବ୍ୟାଟିଂ କ୍ରମ ନିର୍ଭର କରିବ । ପ୍ରଥମେ ବ୍ୟାଟିଂ ମିଳିଲେ ପ୍ରଭସିମରନ୍ ସିଂହଙ୍କ ସହ ଜନି ବେୟାରଷ୍ଟୋ କିମ୍ବା ରାଇଲି ରସୋଙ୍କ ମଧ୍ୟରୁ ଜଣେ ଓପନ କରିବେ ।
ଇଡେନ ଗାର୍ଡେନ୍ସର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିବାରୁ ଶୁକ୍ରବାର ବିଶାଳ ସ୍କୋର ଆଶା କରାଯାଉଛି । ଦ୍ୱିତୀୟ ଭାଗରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ନାଇଟ୍ ରାଇଡର୍ସ : ଫିଲ ସଲ୍ଟ, ସୁନିଲ ନାରାଏନ୍, ଅଙ୍ଗକ୍ରୀଶ ରଘୁବଂଶୀ, ଭେଙ୍କଟେଶ ଆୟର, ଶ୍ରେୟାସ ଆୟର(ଅଧିନାୟକ), ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମିଚେଲ ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା । (ଇମ୍ପାକ୍ଟ ପ୍ଲେୟାର: ସୂୟାଶ ଶର୍ମା) । ସମ୍ଭାବ୍ୟ
ପଞ୍ଜାବ କିଙ୍ଗ୍ସ : ପ୍ରଭସିମରନ ସିଂହ, ରାଇଲି ରସୋ/ଜନି ବେୟାରଷ୍ଟୋ, ସାମ କରନ(ଅଧିନାୟକ), ଜିତେଶ ଶର୍ମା, ଲାଏମ ଲିଭିଙ୍ଗଷ୍ଟୋନ, ଶଶାଙ୍କ ସିଂହ, ଆଶୁତୋଷ ଶର୍ମା, ହରପ୍ରୀତ ବ୍ରାର, ହର୍ଷଲ ପଟେଲ, କାଗିସୋ ରାବାଡା, ଅର୍ଶଦୀପ ସିଂହ । (ଇମ୍ପାକ୍ଟ ପ୍ଲେୟାର: ହରପ୍ରୀତ ସିଂହ) ।