ପ୍ରଡକ୍ସନ ହାଉସ ବାହାରେ ଦେଖାଗଲେ ଇରଫାନ, ଏଥର ଲୁଚାଇଲେ ନାହିଁ ମୁହଁ

ଗତ ୧ ବର୍ଷ ହେବ ଲଣ୍ଡନରେ ନ୍ୟୁରେଇଣ୍ଡୋକ୍ରାଇନ୍ ଟ୍ୟୁମରର ଚିକିତ୍ସା କରୁଥିବା ଇରଫାନ୍ ଖାନ୍ଙ୍କୁ ଗତ ଶନିବାର ସକାଳେ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତେବେ ଇରଫାନ୍ ଏହି ସମୟରେ ନିଜ ମୁହଁକୁ ଲୁଚାଇ ରଖିଥିଲେ। ସେ ସମୟରେ ସେ ହ୍ବାଇଟ୍ କଲର ସାର୍ଟ, ପ୍ୟାଣ୍ଟ ଓ ପିଙ୍କ ଜ୍ୟାକେଟ ପିନ୍ଧିଥିଲେ। କିନ୍ତୁ ଏବେ ତାଙ୍କୁ ପୁଣିଥରେ ଦେଖିବାକୁ ମିଳିଥିଲା ପ୍ରଡକ୍ସନ ହାଉସ ମେଡୋକ ଫିଲ୍ମର ଅଫିସ ବାହାରେ। ତେବେ ଇରଫାନ ଏଥର ତାଙ୍କ ମୁହଁ ଲୁଚାଇ ନଥିଲେ। କାର ଭିତରେ ତାଙ୍କୁ ବସିଥିବାର ଦେଖିବାକୁ ମିଳିଥିଲା।

୫୨ ବର୍ଷୀୟ ଇରଫାନ ଗତ ବର୍ଷ ମାର୍ଚ୍ଚରେ ଏକ ଟ୍ବିଟ୍ କରି ଜଣାଇଥିଲେ ତାଙ୍କୁ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମର ହୋଇଛି। ଏହାପରେ ଇରଫାନ ଚିକିତ୍ସା ପାଇଁ ଲଣ୍ଡନ ଚାଲିଯାଇଥିଲେ। ବିଶାଳ ଭରଦ୍ବାଜଙ୍କ ଫିଲ୍ମ ‘ସପନା ଦିଦି’ ରେ ଇରଫାନ କାମ ଆରମ୍ଭ କରିବାର ଥିଲେ। ଯେଉଁଥିରେ ଦୀପିକା ପାଦୁକୋନ୍ ମଧ୍ୟ ଅଛନ୍ତି। କିନ୍ତୁ ଇରଫାନଙ୍କ ସ୍ବାସ୍ଥ୍ୟ ଖରାପ ଥିବା କାରଣରୁ ଫିଲ୍ମର କାମ ଆରମ୍ଭ ହୋଇପାରିନାହିଁ। ତେବେ ଇରଫାନ୍ କାମ ଆରମ୍ଭ କଲେ ଫିଲ୍ମ ଆରମ୍ଭ ହେବ ବୋଲି ବିଶାଳ ପୂର୍ବରୁ କହିସାରିଛନ୍ତି।