ରାଜ୍ୟପାଳ ମଲିକ୍‌ଙ୍କ ବଡ଼ ଘୋଷଣା: କାଶ୍ମୀର ପାଇଁ ୫୦ ହଜାର ଚାକିରି, ୨-୩ ମାସ ମଧ୍ୟରେ ନିଯୁକ୍ତି

ଶ୍ରୀନଗର ୨୯/୮: ଜମ୍ମୁ-କାଶ୍ମୀର ପାଇଁ ୫୦,୦୦୦ ସରକାରୀ ଚାକିରି ସୃଷ୍ଟି ହେବ । ଆଗାମୀ ୨-୩ ମାସ ମଧ୍ୟରେ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ ହେବ । ଖୁବ୍‌ଶୀଘ୍ର ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ । ଜମ୍ମୁ-କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ବୁଧବାର ଏଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି, ଧାରା ୩୭୦ ହଟାଇବା ପରେ କେନ୍ଦ୍ର ସରକାର ଜମ୍ମୁ-କାଶ୍ମୀର ପାଇଁ ଖୁବ୍‌ଶୀଘ୍ର ଆହୁରି ବଡ଼ ଘୋଷଣା କରିବେ । ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯିବ ।

ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ମଲିକ୍‌ କହିଛନ୍ତି, ଜମ୍ମୁ-କାଶ୍ମୀରରେ ୫୦ଟି ଡିଗ୍ରୀ କଲେଜ ନିର୍ମାଣ କରାଯିବ । ଏଥିସହ ୫ଟି ମେଡିକାଲ କଲେଜ ବି ଖୋଲିବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଇଟିଆଇ ଖୋଲାଯିବ । ଫଳରେ ଏଠାକାର ପିଲାମାନଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କରାଯିବ । ଜମ୍ମୁ-କାଶ୍ମୀରରେ ହିଁ ସେମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ସରକାର ସେମାନଙ୍କର ସବୁ ସମସ୍ୟାର ପ୍ରତିକାର ବ୍ୟବସ୍ଥା କରିବେ । ଜମ୍ମୁ-କାଶ୍ମୀରର ଝିଅମାନଙ୍କ ପାଇଁ ପୃଥକ୍‌ କଲେଜ ଖୋଲାଯିବ ।

ମଲିକ୍‌ ଆହୁରି କହିଛନ୍ତି, ଜମ୍ମୁ-କାଶ୍ମୀରର ୭ ଲକ୍ଷ ସେଓ ଉତ୍ପାଦନକାରୀଙ୍କ ସମସ୍ୟା ସଂକ୍ରାନ୍ତରେ ସରକାରଙ୍କୁ ଭଲ ଭାବେ ଜଣା ଅଛି । ତେଣୁ ସେହି ସମସ୍ୟାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ । କାଶ୍ମୀରର ବିକାଶ ପାଇଁ କ’ଣ ସବୁ ପଦକ୍ଷେପ ନିଆଯିବା ଆବଶ୍ୟକ, ସେଥିପାଇଁ ତାଲିକା ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କୌଣସି କ୍ଷେତ୍ରରେ ଜମ୍ମୁ-କାଶ୍ମୀର ଲୋକଙ୍କ ସ୍ୱାର୍ଥ ପ୍ରତି କାଣିଚାଏ ଆଞ୍ଚ ଆସିବ ନାହିଁ । ଜମ୍ମୁ-କାଶ୍ମୀର ସ୍ଥିତି ଏଭଳି ବଦଳିବ, ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ରହୁଥିବା ଲୋକମାନେ ବି କାଶ୍ମୀର ଭଳି ସୁବିଧା ପାଇଁ ଡହଳବିକଳ ହେବେ । ରାଜ୍ୟପାଳ ମଲିକ୍‌ ଦର୍ଶାଇଛନ୍ତି ଯେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ନିବେଶ ଆସୁନଥିଲା । ଫଳରେ ବିକାଶ କାର୍ଯ୍ୟ ବେଶ୍‌ ମନ୍ଥର ଥିଲା । କିନ୍ତୁ ଆଗାମୀ ୬ ମାସ ମଧ୍ୟରେ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଏତେ କାମ ଆସିବ, ଯାହାକୁ ଦେଖି ପିଓକେବାସୀ ସହ୍ୟ କରିପାରିବେ ନାହିଁ ।

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟପାଳ ମଲିକ୍‌ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାହୁଲ ଗାନ୍ଧୀ ସବୁବେଳେ ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କରୁଛନ୍ତି । ଦେଶ ପାଇଁ ତାଙ୍କୁ ବେଳେବେଳେ ଚିନ୍ତା କରିବା ଆବଶ୍ୟକ । ସଂସଦରେ ତାଙ୍କ ନେତା (ଅଧୀର ରଞ୍ଜନ ଚୌଧୁରୀ) କାଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ ବୋଲି କହିଥିଲେ । ତାଙ୍କୁ ସେଠାରେ ତାଙ୍କ ନେତା ରାହୁଲ ଅଟକାଇବା ଆବଶ୍ୟକ ଥିଲା । କିନ୍ତୁ ସେ କିଛି କହିଲେ ନାହିଁ ।

ରାହୁଲ ଗତ ସପ୍ତାହରେ ବିରୋଧୀ ଦଳ ନେତାଙ୍କୁ ନେଇ ଜମ୍ମୁ-କାଶ୍ମୀର ଗସ୍ତ କରିଥିଲେ । କିନ୍ତୁ ଶ୍ରୀନଗର ବିମାନବନ୍ଦରରୁ ସେମାନଙ୍କୁ ଫେରାଇ ଦିଆଯାଇଥିଲା । ଏହାପରେ ସରକାର ସତ ଲୁଚାଉଛନ୍ତି ବୋଲି ରାହୁଲ କହିଥିଲେ । ରାହୁଲଙ୍କ ଏଭଳି ବୟାନ ପରେ ପାକିସ୍ତାନକୁ ସୁଯୋଗ ମିଳିଥିଲା । ପାକିସ୍ତାନ ସଙ୍ଗେ ସଙ୍ଗେ କାଶ୍ମୀର ପ୍ରସଙ୍ଗରେ ଭାରତକୁ ହମ୍‌ଲା କରିଥିଲା । କାଶ୍ମୀରରେ ନରସଂହାର ହେଉଛି ବୋଲି ପାକିସ୍ତାନ ମିଛ ପ୍ରଚାର କରିଥିଲା । ରାହୁଲଙ୍କ ଏଭଳି ବୟାନ ଦୁର୍ଭାଗ୍ୟଜନକ ବୋଲି ମଲିକ୍‌ କହିଛନ୍ତି ।
ରାଜ୍ୟପାଳଙ୍କ କହିବାନୁଯାୟୀ ଜମ୍ମୁ-କାଶ୍ମୀରକୁ ନେଇ ଭାରତ ଓ ପଡ଼ୋଶୀ ଦେଶରେ ସୃଷ୍ଟି ହେଉଥିବା ଗୁଜବକୁ ଲୋକମାନେ ଆଦୌ ବିଶ୍ୱାସ କରିବା ଉଚିତ ନୁହେଁ । ପରିସ୍ଥିତି ଧୀରେ ଧୀରେ ସୁଧୁରିବ ଏବଂ ସବୁ କଟକଣା ହଟିଯିବ । ଏବେ ୧୧୧ ଥାନା ମଧ୍ୟରୁ ୮୧ଟିରେ କଟକଣା କୋହଳ କରାଯାଇଛି । ଅନେକ ସ୍ଥାନରେ ଦିନ କଟକଣା ହଟାଇ ଦିଆଯାଇଛି । କିଛି ସ୍ଥାନରେ ଲ୍ୟାଣ୍ଡଲାଇନ୍‌ ଟେଲିଫୋନ୍‌ ସେବା ସ୍ୱାଭାବିକ ହୋଇଛି । ଇଣ୍ଟରନେଟ୍‌ ସେବା ଆଉ କିଛିଦିନ ମଧ୍ୟରେ ସ୍ୱାଭାବିକ ହୋଇଯିବ । ୧୦ଟି ଜିଲ୍ଲାରେ ଇତିମଧ୍ୟରେ ମୋବାଇଲ୍‌ ସେବା ଆରମ୍ଭ ହୋଇଛି ।

ଜମ୍ମୁ-କାଶ୍ମୀର ଲୋକଙ୍କୁ ରାଜ୍ୟପାଳ କହିଛନ୍ତି, ପୂର୍ବରୁ ଏଠାରେ ପରିସ୍ଥିତି ଭଲ ନଥିଲା । ଏବେ ସ୍ଥିତିରେ ସ୍ଥାୟୀ ସୁଧାର ଆଣିବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଆଉ ମାତ୍ର ୧୦-୧୨ ଦିନ ଧୈର୍ଯ୍ୟ ଧରିବାକୁ ହେବ । ଆମ ପାଇଁ କାଶ୍ମୀରର ପ୍ରତ୍ୟେକ ଲୋକଙ୍କ ଜୀବନ ମୂଲ୍ୟବାନ । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଟକଣା ଲାଗୁ କରାଯାଇଛି । ସୀମାଞ୍ଚଳରେ ୪୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଗୁଜବ ସୃଷ୍ଟି କରାଯାଉଛି । ଏହା ସମ୍ପୂର୍ଣ୍ଣ ମିଛ । ଏ ପର୍ଯ୍ୟନ୍ତ ଗୋଟିଏ ବି ଅଘଟଣ ଘଟିନାହିଁ । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ।

   ସମ୍ବନ୍ଧିତ ଖବର


କୋଟିପତି ଏବଂ ବଡ ବଡ ଉଦ୍ୟୋଗପତି ନେଇଛନ୍ତି ରୁଷ୍‌ର କରୋନା ଟିକା !

ସେନାର ଯବାନ ଖାଇବେ ଲ୍ୟାବ୍‌ର ପରିବା – ବଙ୍କରରେ ତିଆରି ହେବ

ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ଡେଲିଭରୀ ଫିସ୍‌ ଦେଇ ପାରିଲେନି ମହିଳା– ୩ ହଜାର ଟଙ୍କାରେ ନବଜାତ ଶିଶୁକୁ ରଖିଲେ ଡାକ୍ତର

ଟିକଟକ୍ ଭିଡିଓ କରିବା ବାହାନାରେ ସାଙ୍ଗକୁ ହତ୍ୟାକଲା ନାବାଳକ,ଗୋଟିଏ ଝିଅକୁ ଦୁହେଁ ଭଲ ପାଉଥିଲେ

ବଡ଼ ଷ୍ଟାର ହେବାକୁ ଚାହୁଁଥିଲେ ଏହି ମଡେଲ୍‌ – ଆଖିରେ କରିଥିଲେ ଟାଟୁ , ହୋଇଗଲେ ଅନ୍ଧ