କର୍ମଚାରୀଙ୍କୁ ଜ୍ୟାକ୍ ମା’ଙ୍କ ତାଗିଦ, ଦିନକୁ ୧୨ ଘଣ୍ଟା କାମ କର

ହଂକଂ,୧୩ା୪(ଏଜେନ୍ସି): ଯଦି ଆଲିବାବା ଗ୍ରୁପ୍ ହୋଲଡିଙ୍ଗ୍ ଲିମିଟେଡ୍ରେ ଯୋଗ ଦେବାକୁ ଚାହାନ୍ତି ତା’ହେଲେ ପାରମ୍ପରିକ ୮ ଘଣ୍ଟିଆ କାର୍ଯ୍ୟ ସମୟକୁ ଭୁଲିଯାଆନ୍ତୁ । ଦିନକୁ ୧୨ ଘଣ୍ଟା ନ ଦେଲେ ଏଠାରେ ଯୋଗ ଦେବାର କୌଣସି ଆବଶ୍ୟକତା ନାହିଁ । ଏଭଳି କର୍ମଚାରୀଙ୍କୁ କମ୍ପାନି ଚାହୁଁନାହିଁ । ଏହା ସହିତ ସପ୍ତାହକୁ ୬ ଦିନ କାମ କରିବା ଅନିବାର୍ଯ୍ୟ ବୋଲି କହିଛନ୍ତି ଆଲିବାବା ଗ୍ରୁପ୍ ମୁଖ୍ୟ ତଥା ବିଲିୟନେୟାର ଜ୍ୟାକ୍ ମା’ । କର୍ମଚାରୀଙ୍କ ପାଇଁ ଏଭଳି କଡ଼ା ନୀତି ଆଣି ଏବେ ବିବାଦ ମଧ୍ୟରେ ଅଛନ୍ତି ଜ୍ୟାକ୍ ମା’ ।
କମ୍ପାନିର ଏକ ଆଭ୍ୟନ୍ତରୀଣ ବୈଠକରେ ସେ ଷ୍ଟାଫ୍ମାନଙ୍କୁ କହିଛନ୍ତି ଯେ, କମ୍ପାନି ଏଭଳି କର୍ମଚାରୀ ଚାହେଁନାହିଁ ଯେଉଁମାନେ ଚିରାଚରିତ ୮ ଘଣ୍ଟା କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ସପ୍ତାହରେ ୬ ଦିନ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସେ ଷ୍ଟାଫମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୯୯୬ କାର୍ଯ୍ୟ ପରମ୍ପରାକୁ ଆଦରିବା ପାଇଁ ଚୀନ୍ର ସବୁଠାରୁ ଧନୀ ବ୍ୟକ୍ତି ଆଲିବାବାର କର୍ମଚାରୀମାନଙ୍କୁ କହିଛନ୍ତି । ଯଦି ଏହା କରିବା ପାଇଁ ଚାହୁଁନାହାନ୍ତି ତା’ହେଲେ ଆଲିବାବାରେ ଯୋଗ ଦେବା କଥା ଆଦୌ ବିଚାରକୁ ନିଅନ୍ତୁ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ଆଲିବାବାର ଅଫିସିଆଲ ଆକାଉଣ୍ଟରେ ଏହା ଉଲ୍ଲେଖ ହୋଇଛି । ଖାଲି ଆଲିବାବା ନୁହେଁ ଚୀନ୍ର ଟେକ୍ନୋଲୋଜି କ୍ଷେତ୍ରରେ ଏବେ କର୍ମଚାରୀମାନେ ବର୍ଦ୍ଧିତ କାର୍ଯ୍ୟ ସମୟକୁ ନେଇ ଚିନ୍ତା ମଧ୍ୟରେ ଅଛନ୍ତି । ତେବେ ଜ୍ୟାକ୍ ମା’ଙ୍କ ନୂଆ ନୀତିକୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି । ଜଣେ ଆଲୋଚକ ଏହାକୁ ନେଇ ପ୍ରଶ୍ନ କରିଛନ୍ତି, ୯୯୬ ଓଭର୍ଟାଇମ୍ ପାଇଁ କମ୍ପାନି ଅତିରିକ୍ତ ପାରିଶ୍ରମିକ ଦେବ କି? କର୍ମଚାରୀମାନେ କାର୍ଯ୍ୟ ସମୟକୁ ଥିବା ଆଇନକୁ ନେଇ ଅଟଳ ରହିବା ଦରକାର ବୋଲି ସେ କହିଛନ୍ତି । ଅନ୍ୟ ଜଣେ ଆଲୋଚକ କହିଛନ୍ତି ଯେ, ୯୯୬ କାର୍ଯ୍ୟ ସୂଚୀର ଅର୍ଥ ହେଉଛି ଆଇସିୟୁ (ଇଣ୍ଟେନ୍ସିଭ୍ କେୟାର ୟୁନିଟ୍)ରେ ଭର୍ତ୍ତି ହେବା । କର୍ମଚାରୀଙ୍କୁ ଶୋଷଣ କରୁଥିବା କମ୍ପାନିଗୁଡିକ ବିରୋଧରେ ଷ୍ଟାଫ୍ଗୁଡିକ ଏକ୍ଜୁଟ ହେବା ଦରକାର ବୋଲି ସେ କହିଛନ୍ତି ।