ନୂଆଦିଲ୍ଲୀ ୧୫/୦୫: ଦିଲ୍ଲୀ ହାଇକୋର୍ଟରେ ନିଜର ବ୍ୟକ୍ତିଗତ ଅଧିକାର ଦାବି କରିଛନ୍ତି ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍ । ନିଜର ନାଁ, ଫଟୋ ଓ କଣ୍ଠ ସ୍ୱରର ଦୁରୁପଯୋଗ ରୋକିବାକୁ ଏବଂ ବ୍ୟକ୍ତିଗତ ଅଧିକାରଗୁଡ଼ିକର ସୁରକ୍ଷା ପାଇଁ ସେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଯେଉଁ ସଂସ୍ଥା ବିନା ଅନୁମତିରେ ନିଜ ଫାଇଦା ପାଇଁ ଜ୍ୟାକି ଶ୍ରଫ୍ଙ୍କ ଫଟୋ ବ୍ୟବହାର କରୁଛନ୍ତି, ସେମାନଙ୍କ ବିରୋଧରେ ଏହି ମକଦ୍ଦମା ଦାୟର ହୋଇଛି ।
ସୋସିଆଲ ମିଡିଆ ହ୍ୟାଣ୍ଡେଲ୍, ଏଆଇ ପ୍ଲାଟ୍ଫର୍ମ ଓ ଜିଆଇଏଫ୍/ ମିମ୍ କରୁଥିବା ପ୍ଲାଟ୍ଫର୍ମଗୁଡ଼ିକ ତାଙ୍କ କଣ୍ଠ ସ୍ୱର ଓ ନାଁକୁ ବିନା ଅନୁମତିରେ ପ୍ରୟୋଗ କରୁଥିବାରୁ ଜ୍ୟାକି ଏହି ପଦକ୍ଷେପ ନେଇଛନ୍ତି । କିଛି ମାମଲାରେ ତାଙ୍କ ଫଟୋ ବ୍ୟବହାର କରି ଆପତ୍ତିଜନକ ମିମ୍ ପ୍ରସ୍ତୁତ ହୋଇଥିବା ଜ୍ୟାକିଙ୍କ ଓକିଲ କୋର୍ଟକୁ କହିଛନ୍ତି । ଗତ ମଙ୍ଗଳବାର କୋର୍ଟ ଜ୍ୟାକିଙ୍କ ମକଦ୍ଦମା ଉପରେ ସମନ ଜାରି କରି ମାମଲାର ବିଚାର ବୁଧବାର ଅର୍ଥାତ୍ ଆଜି କରିବାକୁ କହିଛନ୍ତି ।
ଭାରତରେ ବ୍ୟକ୍ତିଗତ ଅଧିକାରକୁ ନେଇ ଅନେକ ସେଲିବ୍ରିଟି ପୂର୍ବରୁ ସଚେତନ ହୋଇଛନ୍ତି । ଦିଲ୍ଲୀ ହାଇକୋର୍ଟ ଗତ ବର୍ଷ ଅମିତାଭ ବଚ୍ଚନଙ୍କ ନାଁ, କଣ୍ଠ ସ୍ୱର ଓ ଫଟୋ ଆଦିକୁ ତାଙ୍କ ଅନୁମତି ବିନା ଉପଯୋଗ ଉପରେ କଟକଣା ଲଗାଇଥିଲେ । ଅନେକ ଛୋଟବଡ଼ କମ୍ପାନି ଅମିତାଭଙ୍କ ଅନୁମତି ବିନା ତାଙ୍କ ଫଟୋ, ସ୍ୱର ଆଦିକୁ ବ୍ୟବହାର କରୁଥିଲେ । ଅନେକ ବିଜ୍ଞାପନରେ ତାଙ୍କ ଅନୁମତି ବିନା ତାଙ୍କ ଚେହେରା ପ୍ରଦର୍ଶିତ ହେଉଥିଲା । ଏହାକୁ ନେଇ ଅମିତାଭ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । କମର୍ସିଆଲ ଇଣ୍ଡଷ୍ଟ୍ରିରେ ଏହା ଉପରେ କଟକଣା ଲାଗୁ ହେବା ଉଚିତ୍ ବୋଲି ସେ ଅପିଲ କରିଥିଲେ । ଅନିଲ କପୁର ମଧ୍ୟ ବ୍ୟକ୍ତିଗତ ଅଧିକାରକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ତାଙ୍କ ଅନୁମତି ବିନା ତାଙ୍କ ସ୍ୱର, ଫଟୋର ଉପଯୋଗ ଉପରେ କୋର୍ଟ କଟକଣା ଲଗାଇଥିଲେ ।