ଜଗା ଫିଟ୍‌: ଆଇସିୟୁରେ କାଳିଆ ଚିକିତ୍ସା ପାଇଁ ହେବ ଦୀର୍ଘ ମିଆଦି ଯୋଜନା

କଟକ ୯/୯: ଜଗା ଏବେ ପୂରା ଫିଟ୍‌ । ସ୍ୱାଭାବିକ ଭାବେ ସେ ଚଲାବୁଲା କରୁଛି । ବାପାଙ୍କ ହାତ ଧରି ପାହାଚରେ ତଳକୁ ଓହ୍ଲାଉଛି । ତଳ ମହଲାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଭାଇ କାଳିଆକୁ ଭେଟି ପୁଣି ସେ ସିଡିରେ ଉଠି ଉପରକୁ ଆସୁଛି । ଖାଇବା ପିଇବାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଜଗା ସ୍ୱାଭାବିକ ଅବସ୍ଥାରେ ଅଛି । କାଳିଆ କିନ୍ତୁ ଏବେ ବି ଅସୁସ୍ଥ । ଡାକ୍ତରୀ ଟିମ୍‌ର ଯାଞ୍ଚ ଅନୁସାରେ ଆଇସିୟୁରେ ତାର ଚିକିତ୍ସା ଚାଲିଛି ।

କାଳିଆର ସୁରକ୍ଷା ଦୃଷ୍ଟିରୁ ଆଇସିୟୁ ଭିତରକୁ ଅନ୍ୟ ବାହାର ଲୋକଙ୍କୁ ଛଡ଼ା ଯାଉନାହିଁ । ଏମ୍‌ସ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ କାଳିଆର ଚିକିତ୍ସା ଚାଲିଛି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ କହିଛନ୍ତି । କାଳିଆକୁ ଆଜି ୨ଟି ଆଣ୍ଟିବାୟୋଟିକ୍‌ ଇଞ୍ଜେକସନ୍‌ ଦିଆଯାଇଛି । ସେହିପରି ଏମ୍‌ସରୁ ପ୍ରସ୍ତୁତ ହୋଇଆସିଥିବା ଖାଦ୍ୟ ତାଲିକା ଅନୁସାରେ କାଳିଆକୁ ଖାଦ୍ୟ ପ୍ରଦାନ କରାଯାଉଥିବା ଜଣାଯାଇଛି । ପାଟି ପଟେ ଖାଦ୍ୟ ଖାଇଲେ ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ କାଳିଆର ପେଟ ପଟେ ଡ୍ରେନ୍‌ ହୋଇଥିବା ପାଇପ୍‌ ଦ୍ୱାରା ଖାଦ୍ୟ ଦିଆଯାଉଥିବା ଜଣାଯାଇଛି ।

ଅନ୍ୟପକ୍ଷରେ କାଳିଆର ଅବସ୍ଥା ସମ୍ପର୍କରେ ଟିକିନିଖି ଜାଣିବା ପାଇଁ ଡାକ୍ତରୀ ବୋର୍ଡର ନିଷ୍ପତ୍ତିକ୍ରମେ ତାର ଶରୀରରୁ କିଛି ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବାର ଯୋଜନା ରହିଛି । ଏନେଇ ଆସନ୍ତାକାଲି ଡାକ୍ତରୀ ଟିମ୍‌ର ବୈଠକ ବସିବ । ସେଠାରେ ପରବର୍ତ୍ତୀ ଚିକିତ୍ସା ବାବଦରେ ଯାହା ନିଷ୍ପତ୍ତି ନିଆଯିବ ବୋଲି ଜଣେ ବରିଷ୍ଠ ବିଶେଷଜ୍ଞ କହିଛନ୍ତି ।

ଜଗାର ସେମିତି ବିଶେଷ କିଛି ଚିକିତ୍ସା ଦରକାର ପଡୁନଥିବା ବେଳେ କାଳିଆର ଚିକିତ୍ସା ପାଇଁ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିବାକୁ ହେବ ବୋଲି ଡାକ୍ତରୀ ଟିମ୍‌ ମୁଖ୍ୟ ପ୍ରଫେସର ସୁଧାଂଶୁ ମିଶ୍ର କହିଛନ୍ତି । କାଳିଆର ବ୍ରେନ୍‌ ବିକଶିତ ହୋଇପାରିନଥିବାରୁ ଏ ବାବଦରେ ଆଉ କିଛି ପରୀକ୍ଷା କରାଯିବ ବୋଲି ଜଣେ ଡାକ୍ତର କହିଛନ୍ତି । ଇଇଜି, ଫଣ୍ଡୋସ୍କୋପି ଓ ନ୍ୟୁରୋ ଅପ୍‌ଥାମୋଲୋଜି ଆଦି ପରୀକ୍ଷା କରିବା ପାଇଁ ବିଶେଷଜ୍ଞ ଟିମ୍‌ ଯୋଜନା କରୁଥିବା ସୂଚନା ମିଳିଛି ।

ଅନ୍ୟପକ୍ଷରେ ଦୁଇ ଭାଇଙ୍କ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ସମ୍ପର୍କିତ ଯାହା କିଛି ଯୋଜନା କରାଯିବ ତାହା ଚିକିତ୍ସା ପାଇଁ ଗଠିତ ବୋର୍ଡର ନିଷ୍ପତ୍ତିକ୍ରମେ ହିଁ ନିଷ୍ପତ୍ତି ନିଆଯିବ ବୋଲି ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜଗା କ୍ୟାବିନ୍‌ରୁ ବାହାରି ସିଡି ପାହାଚ ଆଡ଼କୁ ବାହାରି ପଳାଇ ଯାଉଥିବାରୁ ତାର ବାପା ଏବଂ ଆଉ ଜଣେ ସହଯୋଗୀ ତାକୁ ଗୋଡେଗୋଡେ ଜଗିଛନ୍ତି । ଜଗାର ଖୁସିକୁ ଦେଖି ଅନ୍ୟ ୱାର୍ଡରେ ଥିବା ରୋଗୀ ସମ୍ପର୍କୀୟମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ବିବାହକୁ ଅକ୍ଷୁଣ୍ଣ, ସ୍ଥାୟୀ କରିବାକୁ ବର୍ଷାଙ୍କ ପିଟିସନ୍‌; ଅନୁଭବଙ୍କୁ ପରିବାର ଅଦାଲତରୁ ନୋଟିସ୍‌

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ରାସ୍ତାରେ ଝାଡୁମାରି ଚର୍ଚ୍ଚାରେ ଥିବା ଟ୍ରାଫିକ୍ କନେଷ୍ଟବଳଙ୍କୁ ସମ୍ବର୍ଦ୍ଦିତ କଲେ କମିଶନର…