୭ରେ ପହଞ୍ଚିବେ ଜଗା-କାଳିଆ; ଏମ୍‌ସକୁ ଆସି ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୫ା୯(ସ୍ୱପ୍ର): ଦୀର୍ଘ ୨ ବର୍ଷ ୪୫ ଦିନ ରାଜଧାନୀ ଦିଲ୍ଲୀର ଏମ୍‌ସରେ ରହିବା ପରେ ଜଗା-କାଳିଆ ଆସନ୍ତାକାଲି (ଶୁକ୍ରବାର) ଓଡ଼ିଶା ବାହାରିବେ । ହସ୍‌ପିଟାଲରୁ ଛାଡ଼ିବା ପାଇଁ ସେମାନଙ୍କ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ସଫଳତାର ସହ ଅପରେସନ ପରେ ସେମାନଙ୍କୁ ନେବା ପାଇଁ ରାଜ୍ୟ ଏସ୍‌ସିବି ମେଡିକାଲ କଲେଜର ଡାକ୍ତର ବିଭୁ ପ୍ରସାଦ ନାୟକ ଓ ଡାକ୍ତର ଶଙ୍କର ବରିହା ଆସି ଏମ୍‌ସରେ ପହଞ୍ଚିଛନ୍ତି । ସେମାନେ ଏମ୍‌ସର କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଷ କରିଛନ୍ତି । ଆସନ୍ତାକାଲି ରାଜଧାନୀ ଏକ୍ସପ୍ରେସରେ ସେମାନେ ଓଡ଼ିଶା ଫେରିବେ ।

ଜଗା-କାଳିଆଙ୍କ ସହ ଏମ୍‌ସରୁ ଡାକ୍ତର ଦୀପକ ଗୁପ୍ତା ଓ ଦୁଇ ଜଣ ନର୍ସ ଯିବାର ମଧ୍ୟ ରହିଛି । ଏମ୍‌ସ ପକ୍ଷରୁ ଆସନ୍ତାକାଲି ଅପରାହ୍‌ଣରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଆସନ୍ତାକାଲି ଜଗା-କାଳିଆ ଓଡ଼ିଶା ଫେରିଯିବା ପୂର୍ବରୁ ଗୁରୁବାର ସନ୍ଧ୍ୟାରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏମ୍‌ସ ଆସି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହାଛଡ଼ା ସେମାନଙ୍କୁ ମଧ୍ୟ ସେ ସେମାନଙ୍କ ଭବିଷ୍ୟତ ସକାଶେ ଶୁଭେଚ୍ଛା ଜଣାଇଥିଲେ । ଜଗା-କାଳିଆ ଏସ୍‌ସିବି ମେଡିକାଲ କଲେଜରେ ପ୍ରଥମେ ରହିବେ ବୋଲି ଜଣାପଡ଼ିଛି । ଏଥିସକାଶେ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଦୁଇ ବର୍ଷରୁ ଅଧିକ ସମୟ ପୂର୍ବରୁ ଜଗା-କାଳିଆଙ୍କୁ ସେମାନଙ୍କ ବାପା-ମା ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁର ରାଜଧାନୀ ଦିଲ୍ଲୀର ଏମ୍‌ସକୁ ନେଇ ଆସିଥିଲେ । ସେତେବେଳେ ଜଗା-କାଳିଆ ଯୋଡ଼ା ମୁଣ୍ଡ ଅବସ୍ଥାରେ ଥିଲେ । ଅପରେସନ ସଫଳ ହେବ କି ନାହିଁ ସେନେଇ ସେମାନଙ୍କ ବାପା-ମା’ଙ୍କ ମନରେ ଥିଲା ଅନେକ ଆଶଙ୍କା । କାରଣ ସାରା ବିଶ୍ୱରେ ଏଭଳି ଅପରେସନ ସଫଳ ହେବାର କାହାଣୀ ଥିଲା ବିରଳ । ଏହା ସତ୍ତେ୍ୱ ସେମାନଙ୍କ ମନରେ ଆଶଙ୍କା ସହ ଭବିଷ୍ୟତର ସ୍ୱପ୍ନ ମଧ୍ୟ ଥିଲା । ଏଭଳି ଏକ ବିରଳ ଅପରେସନ ଦାୟିତ୍ୱ ନେଇଥିଲେ ଏମ୍‌ସର ନ୍ୟୁରୋଲୋଜି ବିଭାଗର ତତ୍କାଳୀନ ସୁପ୍ରସିଦ୍ଧ ଓଡ଼ିଆ ଡାକ୍ତର ଅଶୋକ ମହାପାତ୍ର । ତାଙ୍କ ତତ୍ତ୍ୱାବଧାନରେ ଉଭୟ ଶିଶୁଙ୍କ ଚିକିତ୍ସା କରାଯାଇଥିଲା । ଅପରେସନ ସଫଳ ହୋଇଥିଲା । ଏହାର ଶ୍ରେୟ ଯାଇଥିଲା ଅଶୋକ ମହାପାତ୍ର ଏବଂ ତାଙ୍କ ଟିମ୍‌ର ଅନ୍ୟ ଡାକ୍ତରମାନଙ୍କୁ । ଓଡ଼ିଶା ସରକାର ମଧ୍ୟ ଦୁଇ ଶିଶୁଙ୍କ ଚିକିତ୍ସା ପାଇଁ କୋଟିଏ ଟଙ୍କା ଯୋଗାଇ ଦେଇଥିଲେ ।

ଡାକ୍ତର ମହାପାତ୍ର ଏବେ ଏମ୍‌ସରୁ ଅବସର ନେଇ ଭୁବନେଶ୍ୱରର ସମ୍‌ ହସପିଟାଲରେ ଯୋଗ ଦେଇଛନ୍ତି । ଜଗା-କାଳିଆଙ୍କୁ ନୂତନ ଜୀବନ ଦେବାରେ ତାଙ୍କ ଅବଦାନ ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇଯାଇଛି । ବିଶ୍ୱର ଏଭଳି ବିରଳ ଅପରେସନକୁ ସଫଳ କରିବାରେ ସେ ସୁନାମ ଅର୍ଜନ କରିପାରିଛନ୍ତି ।

   ସମ୍ବନ୍ଧିତ ଖବର


ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଲାଗିପାରେ NSA

ଏଥର ପାର୍ବଣକୁ ଭିଜାଇବ ବର୍ଷା ! ଆସନ୍ତା ୨୮ ଯାଏଁ ବର୍ଷା ଆଶଙ୍କା

ଉଠିଲା କଟକଣା : ଏଣିକି ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ, ଭକ୍ତ ଦେଇପାରିବେ ବରାଦ

ଏମିତି ବି ଆସେ ମୃତ୍ୟୁ: ଟେଲର ମାଷ୍ଟରଙ୍କ ଦୋକାନ ସାମ୍ନରେ ସ୍ତ୍ରୀ ଓ ପୁଅ ଉପରେ ଚଢିଗଲା ଟ୍ରକ୍

ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଗୁରୁପଦ ନନ୍ଦଙ୍କ ପରଲୋକ

ରଙ୍ଗ ନମ୍ବର କେଳେଙ୍କାରୀ: ପୋଲିସ ବାବୁଙ୍କ ଲଭ୍-ସେକ୍ସ- ଧୋକ୍କା, ଯୁବତୀ ଆଣିଲେ ସାଙ୍ଘାତିକ ଅଭିଯୋଗ