ଜାତୀୟସ୍ତରରେ ଚମକିଲେ ଢ଼େଙ୍କାନାଳ ଝିଅ ‘ଜଗତଜିତା’: ମିସ୍ ଇଣ୍ଡିଆ ଦ୍ୱିତୀୟ ରନର୍ସଅପ୍ ମୁକୁଟ

ଢେଙ୍କାନାଳ,୧୮/୦୧: ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳ ଝିଅ । ମୁମ୍ବାଇରେ ଆୟୋଜିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅଁଳାବରେଣୀ ଗ୍ରାମର ଝିଅ ଜଗତଜିତା ଦାଶ ଓରଫ୍ ରିସ୍ନା । ଚିତ୍ତାକର୍ଷକ ନୃତ୍ୟ ଓ ଅଭିନୟ ମାଧ୍ୟମରେ ବିଚାରକଙ୍କ ମନ ଜିଣି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା ଓ ରାଜ୍ୟର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି ଅବସରରେ ଜଗତଜିତା ବିଜୟ ମୁକୁଟ ସହ ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତ କରି ପ୍ରତିଯୋଗିତା ଓ ସଫଳତା ଅନୁଭୁତି ବାଣ୍ଟିବା ସହ ଆଶୀର୍ବାଦ ଲୋଡ଼ିଛନ୍ତି ।
ଜଗତଜିତା କହିଛନ୍ତିଯେ, ମିଶନ୍ ଡ୍ରିମ୍ସ ତରଫରୁ ମୁମ୍ବାଇରେ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ବିଭିନ୍ନ ରାଉଣ୍ଡରେ ପ୍ରତିଯୋଗିତା ହୋଇଥିଲା । ଭାରତର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ । ବିଭିନ୍ନ ପର୍ଯ୍ୟାୟରୁ ଶ୍ରେଷ୍ଠ ୨୦ ଜଣ ଚୟନ ହୋଇଥିଲେ । ତନ୍ମଧ୍ୟରେ ଓଡ଼ିଶାରୁ ୫ ଜଣ ରହିଥିଲେ । ଫାଇନାଲ୍ ରାଉଣ୍ଡରେ ସେ ସାମିଲ୍ ହୋଇ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ଅପ୍ ହୋଇଥିଲେ । ସର୍ବଭାରତୀୟ ସ୍ତରରେ ଏକମାତ୍ର ଓଡ଼ିଆ ଝିଅ ଭାବେ ତାଙ୍କୁ ଏହି ସଫଳତା ମିଳିଛି । ଏହି ସଫଳତା ପାଇଁ ଜଗତଜିତାଙ୍କୁ ଜିଲ୍ଲପାଳ ଶୁଭେଚ୍ଛା ଜଣାଇଛନ୍ତି । ମିସ୍ ଇଣ୍ଡିଆରେ ଭାଗ ନେଇ ଓଡ଼ିଶାର ଚାଲିଚଳଣି, ସଂସ୍କୃତିକୁ ସର୍ବଭାରତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି । ଏହା ଆମ ଜିଲ୍ଲା ତଥା ରାଜ୍ୟର ଗର୍ବ ଓ ଗୌରବର ବିଷୟ । ଆଗାମୀ ଦିନରେ ତାଙ୍କୁ ଆମେ ବିଭିନ୍ନ ସ୍ତରରେ ପୁରସ୍କୃତ କରିବୁ ଓ ସେ ଚାହୁଁଥିବା ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ କହିବା ସହିତ ତାଙ୍କର ଉଜ୍ୱଳମୟ ଭବିଷ୍ୟତ କାମନା କରିଛନ୍ତି । ସୂଚନା ଯୋଗ୍ୟ ଯେ, କାମାକ୍ଷାନଗର ବ୍ଲକ୍ର ଅଁଳାବରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଂଜନ ଦାଶ ଓ ଶିକ୍ଷୟିତ୍ରୀ ମଞ୍ଜୁଲତା ପାଣିଙ୍କ ଏକମାତ୍ର ଝିଅ ଜଗତଜିତା ବାଲେଶ୍ୱରରେ ଇଞ୍ଜିନିୟରିଂ ପଢ଼ା ସାରିବା ପରେ ବାଙ୍ଗାଲୋରରେ ସଫ୍ଟୱେୟାର କ୍ଷେତ୍ରରେ କାର୍ଯ୍ୟରତ ଥିବା ଜଣାପଡ଼ିଛି ।