୩ ଏକର ଜମିରେ ପ୍ରତିଷ୍ଠିତ ବାହାବଳପୁର ଜୈସ୍ ମୁଖ୍ୟାଳୟ

ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ବାହାବଳପୁରରେ ରହିଛି ଜୈସ୍-ଇ-ମହମ୍ମଦ ଆତଙ୍କୀ ସଙ୍ଗଠନର ମୁଖ୍ୟାଳୟ ‘ମାର୍କଜ ସୁଭାନଲ୍ଲା’ । ଲାହୋର ଠାରୁ ୪୦୦ କି.ମି. ଦୂରରେ ପ୍ରାୟ ୩ ଏକର ଜମିରେ ପ୍ରତିଷ୍ଠିତ ହୋଇଛି ଏହି ମୁଖ୍ୟାଳୟ । ଏହା ଶିଳ୍ପାଞ୍ଚଳ ତଥା ଜନବସତି ଅଞ୍ଚଳ ଭିତରେ ରହିଛି । ଏଠାରେ ଆତଙ୍କବାଦୀ ଓ ଜିହାଦୀ ପାଠ ପଢ଼ୁଛନ୍ତି ୬୦୦ରୁ ଅଧିକ ଛାତ୍ର । ୭୦ ଜଣ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଏହି ମୁଖ୍ୟାଳୟ ନିର୍ମାଣ କରିବାକୁ ଜୈସ୍ ମୁଖ୍ୟ ମୌଲାନା ମାସୁଦ ଆଝାରକୁ ପ୍ରାୟ ୩ ବର୍ଷ ଲାଗିଥିଲା । ଉଭୟ ପାକିସ୍ତାନ ସରକାର ଓ ପଞ୍ଜାବ ସରକାର ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲେ । ୨୦୧୨ରେ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୧୫ରେ ଶେଷ ହୋଇଥିଲା । ଏହି ସମୟରେ ପାକିସ୍ତାନରେ ନୱାଜ ସରିଫ ସରକାର ଚାଲିଥିଲା । ପଞ୍ଜାବ ପ୍ରଦେଶରେ ମଧ୍ୟ ସରିଫଙ୍କ ଭାଇ ସହବାଜ ସରିଫ ସରକାର ଚଳାଉଥିଲେ । ଏଠାରେ ରହିଛି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା । ଯେପରିକି ଜିମ୍ନାସିୟମ ଓ ସୁଇମିଂ ପୁଲ । ଏହି କାରଣରୁ ବାହାବଳପୁରକୁ ଜୈସ୍ କ୍ୟାଡରଙ୍କ ପ୍ରବେଶ ପଥ ବୋଲି ବର୍ଣ୍ଣନା କରାଯାଏ । ସେଠାରେ ପ୍ରଥମେ ଆତଙ୍କୀମାନେ ଦାଖଲ ହେବା ପରେ ସେମାନଙ୍କୁ ତାଲିମ ପାଇଁ ବାଲାକୋଟ୍ ପଠାଇ ଦିଆଯାଏ । ଏହି କମ୍ପେ୍ଲକ୍ସ ଭିତରେ ରହିଛି ମାସୁଦ, ତାହାର ଅନ୍ୟ ସବୁ ଭାଇ ଓ ସମ୍ପର୍କୀୟଙ୍କ ବାସଭବନ । କାର୍ଯ୍ୟାଳୟ ଚଳାଇବା ଲାଗି ପାକିସ୍ତାନ ଓ ପଞ୍ଜାବ ସରକାର ସହାୟତା ଦେଇଥାନ୍ତି । ଏଥିସହ ମାସୁଦ ମଧ୍ୟ ମଧ୍ୟପ୍ରାଚ୍ୟ, ଆଫ୍ରିକା ଓ ବ୍ରିଟେନରୁ ପାଣ୍ଠି ସଂଗ୍ରହ କରେ । ଜୈସ୍ର ସମସ୍ତ ବୈଠକ, ଉତ୍ସବ ଓ କାର୍ଯ୍ୟକ୍ରମ ଏହିଠାରେ ଆୟୋଜିତ ହୁଏ । ସେଥିରେ ମାସୁଦ ସମେତ ସଙ୍ଗଠନର ସମସ୍ତ ବରିଷ୍ଠ ସଦସ୍ୟ ଯୋଗ ଦିଅନ୍ତି । ପ୍ରତି ଶୁକ୍ରବାର ମାସୁଦର ଭାଇ ମୁଫତି ଅବଦୁଲ ରୌଫ ଅସଗର ଭାଷଣ ଦିଏ । ସେଥିରେ ସେ ଯୁବକମାନଙ୍କୁ ଜିହାଦରେ ସାମିଲ ହେବାକୁ ପ୍ରବର୍ତ୍ତାଇଥାଏ । ଏହାକୁ କାଶ୍ମୀର ବିରୋଧୀ ସବୁ ଆତଙ୍କୀ ସଙ୍ଗଠନର ମୁଖ୍ୟ କେନ୍ଦ୍ର ଭାବେ ମଧ୍ୟ ଗଣନା କରାଯାଏ । ବାଲାକୋଟରେ ଥିବା ଜୈସ୍ ତାଲିମ ମୁଖ୍ୟାଳୟ ଉପରେ ଭାରତୀୟ ବାୟୁସେନା ଗତମାସ ୨୬ ତାରିଖରେ ବିମାନ ଆକ୍ରମଣ କରି ଧ୍ୱଂସ କରିଦେବା ପରେ ପାକିସ୍ତାନ ସରକାର ଭୟଭୀତ ହୋଇପଡିଥିଲେ । ବାହାବଳପୁର ମୁଖ୍ୟାଳୟ ଉପରେ କାଳେ ଭାରତ ବିମାନ ଆକ୍ରମଣ କରିବ ସେହି ଭୟରେ ସେଠାକାର ସରକାର ଏହାକୁ ନିଜ କବ୍ଜାକୁ ନେଇଥିଲେ । ଏଥିସହ ଏହି କାର୍ଯ୍ୟାଳୟର ପ୍ରତିଦିନ କାର୍ଯ୍ୟ ପରିଚାଳନା ପାଇଁ ଦୁଇଜଣ ଅଫିସର ମହମ୍ମଦ ଅଲି ଓ ଗୁଲାମ ଆବାସଙ୍କୁ ନିଯୁକ୍ତ କରିଛନ୍ତି । ତେବେ ସେଠାକାର ସରକାର ଏହାକୁ ଜୈସ୍ର ମୁଖ୍ୟାଳୟ ଭାବେ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସରକାର ଦର୍ଶାଇଛନ୍ତି କି ଏଠାରେ ଏକ ମଦ୍ରାସା ଓ ମସ୍ଜିଦ ରହିଛି । ଜୈସ୍ ସହ ଏହାର କୌଣସି ଲିଙ୍କ ନାହିଁ ।