PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି, ଟି-୨୦ ବିଶ୍ୱକପ୍‌ ପରେ କୋହଲି ଏହି ଫର୍ମାଟ୍‌ ଅଧିନାୟକ ପଦ ଛାଡ଼ିବା ନେଇ ସୋଶଲ ମିଡିଆରେ ସୂଚନା ଦେଲେ ବିରାଟ
  • ||
  • କଟକ: ଦଶହରା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା, ବାଲୁ ବଜାର ପୂଜା କମିଟି ଆବେଦନର ଉପରେ ଶୁଣାଣି ଶେଷ, ଆସନ୍ତା କାଲି ରାୟ ପ୍ରକାଶ କରିବେ ହାଇକୋର୍ଟ
  • ||
  • ମାଲକାନଗିରି: ମାଓବାଦୀ କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ କଲେ ସୁରକ୍ଷାକର୍ମୀ, ଶିବିର ଛାଡ଼ି ଛତ୍ରଭଙ୍ଗ ଦେଲେ ମାଓବାଦୀ
  • ||
  • ରାୟଗଡ଼ା: ଆଜି ସନ୍ଧ୍ୟାରେ ଉତ୍କଳ ଆଲୁମିନା କାରଖାନାର ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଝାରସୁଗୁଡ଼ା: ହୀରାକୁଦ ଉପର ମୁଣ୍ଡରେ ବନ୍ୟା ସ୍ଥିତି, ସେମଲିଆ ରାସ୍ତା ଉପରେ ପ୍ରବାହିତ ହେଉଛି ୪ ଫୁଟ ଉଚ୍ଚର ପାଣି
  • ||
  • ବଲାଙ୍ଗୀର: ନିଶାଶକ୍ତ ୩ ଯୁବକଙ୍କ ଜଘନ୍ୟ କାଣ୍ଡ, ବନ୍ଧୁକ ମୁନରେ ଯୁବକଙ୍କ ମଳ ଦ୍ବାରରେ ଭର୍ତ୍ତି କଲେ ଷ୍ଟିଲ୍ ଗ୍ଲାସ
  • ||
  • ସମ୍ବଲପୁର: ହୀରାକୁଦର ଖୋଲିଲା ଆଉ ୪ ଗେଟ୍, ୨୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ରାସ୍ତାର ଉପରେ ୭ ରୁ ୮ ଫୁଟ୍ ପାଣି ପ୍ରବାହିତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୧୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୫୮୦ ପଜିଟିଭ୍ ଚିହ୍ନଟ
  • ||
  • ବରଗଡ଼ : ପୁରୀରୁ ତୀର୍ଥ ସାରି ଫେରିବା ବାଟରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ, ୫ ଗୁରୁତର
  • ||
  • ବରଗଡ଼ : ୧୩ ଜିଲ୍ଲାରେ ଆତଙ୍କ ଖେଳାଇଥିବା ୨ ଅନ୍ତଃରାଜ୍ୟ ଏଟିଏମ୍ ଲୁଟେରା ଗିରଫ, ଅନ୍ୟ ୨ ଫେରାର
  • ||
  • ଭୁବନେଶ୍ୱର: ଡ଼େଲିଭରୀ ବୟ ଅପହରଣ ଘଟଣା, ମଧ୍ୟପ୍ରଦେଶରୁ ଯୁବକ ଓ ଯୁବତୀଙ୍କୁ ଭୁବନେଶ୍ୱରକୁ ଆଣିଲା କମିଶନରେଟ୍ ପୋଲିସ ସ୍ବତନ୍ତ୍ର ଟିମ୍
  • ||
  • ଭୁବନେଶ୍ୱର: ଆସୁଛି ଆଉ ଏକ ଲଘୁଚାପ, ୧୮ରୁ ପୁଣି ଢ଼ାଳିବ ବର୍ଷା
  • ||
  • ଭୁବନେଶ୍ୱର: କରାଳ ରୂପ ଧରିଛି ମହାନଦୀ, ମାଡ଼ି ଆସୁଛି ବନ୍ୟା: ହୀରାକୁଦରେ ଖୋଲିବ ଆଉ ୪ଟି ଗେଟ୍, ନରାଜରେ ଜଳସ୍ତର ସତର୍କ ସଙ୍କେତ ଟପିଲା
  • ||

ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ଶ୍ରାଦ୍ଧସଭା: ‘ଜାନକୀବଲ୍ଲଭ ଥିଲେ ମାନବବାଦୀ ରାଜନେତା’

ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଚତୁର୍ଥ ବାର୍ଷିକ ଶ୍ରାଦ୍ଧ ଉତ୍ସବ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ସ୍ମୃତି କମିଟି ପକ୍ଷରୁ ଆଜି ସ୍ଥାନୀୟ ଏକ ହୋଟେଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍‌ ତଥା ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ କହିଲେ, ଡକ୍ଟର ହରେକୃଷ୍ଣ ମହତାବଙ୍କ ପରେ ଓଡ଼ିଶାକୁ ଯଦି କେହି ନୂତନ ଭାବେ ନିର୍ମାଣ କରିଥାଏ ସେ ହେଲେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ । ଜାନକୀ ବାବୁ ନୂଆ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ସେ ଯେଉଁ ମୂଳଦୁଆ ପକାଇଥିଲେ ତା’ଉପରେ ଆଜି ଶିଳ୍ପ ପ୍ରତିଷ୍ଠିତ । ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ସର୍ବୋପରି ଓଡ଼ିଆ ଯୁବକଙ୍କୁ କାର୍ଯ୍ୟକ୍ଷମ କରିବାରେ ତାଙ୍କର ଅବଦାନ ଅବିସ୍ମରଣୀୟ ।

କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ସ୍ମୃତି କମିଟିର ସାଧାରଣ ସମ୍ପାଦକ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ, ଆଗାମୀ ୨୦୨୦ ମସିହା ଜାନୁଆରୀ ୩ ତାରିଖ ମଧ୍ୟରେ ସରକାର ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରାଜଧାନୀରେ ପ୍ରତିଷ୍ଠା କରନ୍ତୁ । ନଚେତ୍‌ ସ୍ମୃତି କମିଟି ପକ୍ଷରୁ ତାଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଆସନ୍ତା ଶ୍ରାଦ୍ଧ ବାର୍ଷିକ ପୂର୍ବରୁ କଂଗ୍ରେସ ଭବନ ସମ୍ମୁଖରେ ତିଆରି କରାଯିବ । ମୁଖ୍ୟବକ୍ତା ଭାବେ କିସ୍‌ ବିଶ୍ୱ ବିଦ୍ୟାଳୟର କୁଳପତି ଡ. ହରେକୃଷ୍ଣ ଶତପଥି ସ୍ୱର୍ଗତ ପଟ୍ଟନାୟକ ଜଣେ ଦେବ ପୁରୁଷ ଥିଲେ ବୋଲି କହିଥିଲେ । ସ୍ମୃତିଚାରଣ ସଭାରେ ଭାଷା ସାହିତ୍ୟ କ୍ଷେତ୍ରରେ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ସମାଜସେବା ପାଇଁ ପୂର୍ବତନ ବିଧାୟକ ତଥା ପଦ୍ମ ଚରଣ ନାୟକ, ସାମ୍ବାଦିକତା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ “ସମାଜ’ର ପୂର୍ବତନ ବାର୍ତ୍ତା ସଂପାଦକ ପ୍ରଦୋଷ ପଟ୍ଟନାୟକ ଓ ଶିକ୍ଷା ପାଇଁ ପାଢୀ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଲୁସି ମହାପାତ୍ରଙ୍କୁ ‘ଜାନକୀବଲ୍ଲଭ ସ୍ମୃତି ସମ୍ମାନ – ୨୦୧୯’ରେ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠାନର କୋଷାଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ସମିତିର ସଦସ୍ୟ ସୀତାବଲ୍ଲଭ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର, ପିସିସି ଉପସଭାପତି ଶିବାନନ୍ଦ ରାୟ, ପୂର୍ବତନ ନଗରପାଳ ଡ. ଜଗନ୍ନାଥ ମହାପାତ୍ର, ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ, ପୂର୍ବତନ କର୍ପୋରେଟର ପ୍ରତାପ ଜେନା ଓ ବହୁ ବିଶିଷ୍ଟ ବୁଦ୍ଧିଜୀବୀ ଯୋଗ ଦେଇ ଜାନକୀ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ।

ତ୍ରିଲୋଚନ କାନୁନ୍‌ଗୋ, ସୁଲୋଚନା ଦାସ ଓ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ସ୍ମାରକୀ ସମ୍ମାନ

କଟକ,୨୧ା୪(ବ୍ୟୁରୋ): ସେ ଥିଲେ ଏକାଧାରରେ ଜଣେ ସୁସାହିତ୍ୟିକ ଓ ବରିଷ୍ଠ ରାଜନେତା । ତାଙ୍କ ଲେଖା ଭଳି ତାଙ୍କ ବ୍ୟବହାର ମଧ୍ୟ ଥିଲା ଅତି ହୃଦୟସ୍ପର୍ଶୀ । କେବଳ ଜଣେ ବିଶିଷ୍ଟ ରାଜନେତା ନୁହନ୍ତି, ଜଣେ ଦରଦୀ ମଣିଷଟିଏ ଥିଲେ ବିଶିଷ୍ଟ ସାହିତ୍ୟିକ, ରାଷ୍ଟ୍ରନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀବଲ୍ଲଭ ପଟ୍ଟନାୟକ । ଜାନକୀବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ରବିବାର ସାରଳା ଭବନରେ ଆୟୋଜିତ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଚତୁର୍ଥ ଶ୍ରାଦ୍ଧସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବିମଳ ପ୍ରସାଦ ଦାସ ଏଭଳି ମତବ୍ୟକ୍ତ କରିଛନ୍ତି । ସ୍ମୃତିସଭାରେ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରି ଜଷ୍ଟିସ୍‌ ଦାସ କହିଲେ, ଜଣେ ଦକ୍ଷ ରାଜନେତା ଭାବେ ଜାନକୀବଲ୍ଲଭ ପଟ୍ଟନାୟକ ଜନତାଙ୍କ ନିକଟରେ ପହଞ୍ଚି ପାରୁଥିଲେ । ତାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ସେ ଅନୁପ୍ରାଣିତ ହୋଇଥିଲେ ବୋଲି ଜଷ୍ଟିସ୍‌ ଦାସ ମତବ୍ୟକ୍ତ କରିଥିଲେ ।

ପ୍ରତିଷ୍ଠାନର ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ଡ. ବିପିନ ବିହାରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପ୍ରଶାସକ ତଥା ବିଖ୍ୟାତ କବି ପଦ୍ମବିଭୂଷଣ ଡ. ସୀତାକାନ୍ତ ମହାପାତ୍ର ଯୋଗ ଦେଇ ସ୍ୱର୍ଗତଃ ପଟ୍ଟନାୟକଙ୍କ ଶାସନ ସମୟର ସ୍ମୃତି ରୋମନ୍ଥନ କରିଥିଲେ । ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନିଷ୍ପତ୍ତି ନେବାର ଦକ୍ଷତା ଓ କଳା ଅଭୂତପୂର୍ବ ଥିଲା ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ଉପସଭାପତି ପ୍ରଫେସର ଇଂ. ପ୍ରଭାକର ସ୍ୱାଇଁଙ୍କ ସମେତ ଉପସଭାପତି ପ୍ରଫେସର ବୈଷ୍ଣବ ଚରଣ ସାମଲ ପ୍ରମୁଖ ଉପସ୍ଥିତ ରହି ଜାନକୀବଲ୍ଲଭଙ୍କୁ ବହୁମୁଖୀ ପ୍ରତିଭାର ଅଧିକାରୀ ଭାବେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁଙ୍କ ଦ୍ୱାରା ଲିଖିତ ଓ ବିଦ୍ୟାପୁରୀ ଦ୍ୱାରା ପ୍ରକାଶିତ ଜାନକୀବଲ୍ଲଭଙ୍କ ଜୀବନୀ ଗ୍ରନ୍ଥ ‘ସାର୍ଥକ ସାରଥୀ ଜାନକୀବଲ୍ଲଭ’ ପୁସ୍ତକର ପରିବର୍ଦ୍ଧିତ ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇଥିଲା । ଉତ୍ସବ ଅବସରରେ ଜାନକୀବଲ୍ଲଭ ସମାଜସେବା ସମ୍ମାନରେ ବିଶିଷ୍ଟ ସମାଜସେବୀ ତଥା ରାଜନେତା ତ୍ରିଲୋଚନ କାନୁନ୍‌ଗୋ, ଜାନକୀବଲ୍ଲଭ ସାରସ୍ୱତ ସମ୍ମାନରେ ବିଶିଷ୍ଟ ଲେଖିକା ଡ. ସୁଲୋଚନା ଦାସ ଓ ଜାନକୀବଲ୍ଲଭ ସାମ୍ବାଦିକ ସମ୍ମାନରେ ‘ପ୍ରମେୟ-ନ୍ୟୁଜ୍‌ ୭’ର ଗ୍ରୁପ୍‌ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା । ସମ୍ମାନିତ ପ୍ରତିଭାମାନଙ୍କ ଉଦ୍ଦେଶ୍ୟରେ ଇଂ. ଆକାଶ ଭୂୟାଁ, ବିଶ୍ୱମିତ୍ରା ମିଶ୍ର ଓ ସଞ୍ଜିତ କୁମାର ପଟ୍ଟନାୟକ ମାନପତ୍ର ପାଠ କରିଥିଲେ ।

ପ୍ରାରମ୍ଭରେ ପ୍ରତିଷ୍ଠାନର ସାଧାରଣ ସଂପାଦକ ସାହିତ୍ୟିକ ଡ. ଗୋବିନ୍ଦ ଭୂୟାଁ ସ୍ୱାଗତ ଭାଷଣ, ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଭା ସଂଯୋଜନା କରିଥିଲେ ଡ. ଭାଗ୍ୟଲିପି ମଲ୍ଲ । ଶେଷରେ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାନକୀ ବଲ୍ଲଭଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର ପ୍ରଭାତ କୁମାର ମିଶ୍ର, ଡ. ଅସିତ୍‌ ମହାନ୍ତି, ଇଂ. ଗୋପାଳକୃଷ୍ଣ ବେହେରା, ଆଇନଜୀବୀ ଶକ୍ତିଧର ଦାଶ, ଆଇନଜୀବୀ ଦେବସ୍ନାନ ଦାସ, ଡ. ଅର୍ଚ୍ଚନା ନାୟକ, ପ୍ରକାଶକ ପୀତାମ୍ବର ମିଶ୍ର, ଆଇନ ସେବାର ଅବସରପ୍ରାପ୍ତ ଅଧିକାରୀ ରତିକାନ୍ତ ମହାପାତ୍ର, ସାବିତ୍ରୀ ଚୌଧୁରୀ ଓ କୈଳାସ ଚନ୍ଦ୍ର ବରାଳ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।