ତ୍ରିଲୋଚନ କାନୁନ୍ଗୋ,ସୁଲୋଚନା ଦାସ, ଗୋପାଳକୃଷ୍ଣ ମହାପାତ୍ରଙ୍କୁ ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ

କଟକ,୧୪ା୪(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଜାନକୀ ବଲ୍ଲଭ ସ୍ମାରକୀ ପ୍ରତିଷ୍ଠାନ ପକ୍ଷରୁ ‘ଜାନକୀ ବଲ୍ଲଭ ସ୍ମାରକୀ ସମ୍ମାନ-୨୦୧୯’ ଘୋଷଣା କରାଯାଇଛି । ସମାଜସେବା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କୃତିତ୍ୱ ଅଜର୍ନ କରିଥିବା ଓଡ଼ିଶାର ୩ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । ସମାଜସେବା ପାଇଁ ସୁଖ୍ୟାତ ରାଜନେତା ତ୍ରିଲୋଚନ କାନୁନ୍ଗୋ, ସାହିତ୍ୟ ପାଇଁ ସୁଲେଖିକା ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡକ୍ଟର ସୁଲୋଚନା ଦାସ ଓ ସାମ୍ବାଦିକତା ପାଇଁ ‘ପ୍ରମେୟ ଓ ନ୍ୟୁଜ୭’ ର ଗ୍ରୁପ୍ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର ଚଳିତବର୍ଷର ଜାନକୀବଲ୍ଲଭ ସ୍ମାରକୀ ସମ୍ମାନ ଲାଭ କରିବେ । ଆସନ୍ତା ଏପ୍ରିଲ୍ ୨୧ ତାରିଖ ସନ୍ଧ୍ୟାରେ କଟକର ସାରଳାଭବନରେ ହେବାକୁ ଥିବା ଜାନକୀବଲ୍ଲଭଙ୍କ ଚତୁର୍ଥ ବାର୍ଷିକ ଶ୍ରାଦ୍ଧଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସ୍ମାରକୀ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଗୋବିନ୍ଦ ଭୂୟାଁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ଚଳିତବର୍ଷର ଶ୍ରାଦ୍ଧସଭାରେ ଓଡ଼ିଶା ହାଇକୋର୍ଟର ପ୍ରାକ୍ତନ ବିଚାରପତି ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସ ମୁଖ୍ୟଅତିଥି ଓ ଜ୍ଞାନପୀଠ ବିଜେତା କବି ପଦ୍ମବିଭୂଷଣ ଡ଼କ୍ଟର ସୀତାକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଡକ୍ଟର ଗୋବିନ୍ଦ ଭୂୟାଁଙ୍କ ଲିଖିତ ଓ ବିଦ୍ୟାପୁରୀ ଦ୍ୱାରା ପ୍ରକାଶିତ ଜୀବନୀ ଗ୍ରନ୍ଥ ‘ସାର୍ଥକ ସାରଥୀ ଜାନକୀବଲ୍ଲଭ’ର ପରବର୍ଦ୍ଧିତ ତୃତୀୟ ସଂସ୍କରଣ ଉନ୍ମୋଚିତ ହେବ ।