କରୋନା କାଳରେ ଜନ୍ମାଷ୍ଟମୀ: ବଜାରକୁ ପିପିଇ କିଟ୍ ଓ ମାସ୍କ ପିନ୍ଧି ଆସିଲା କାହ୍ନା

ନୂଆଦିଲ୍ଲୀ ୧୦/୮: କରୋନା ଭାଇରସ ମହାମାରୀ ମଧ୍ୟରେ କୃଷ୍ଣ ଜନ୍ମାଷ୍ଟମୀର ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମାଷ୍ଟମୀରେ ବଜାରକୁ ସଜ କରାଯାଉଛି କିନ୍ତୁ କରୋନାର ପ୍ରଭାବ କାହ୍ନା ମୂର୍ତ୍ତି ଉପରେ ଦେଖିବାକୁ ମିଳୁଛି । ବାଳ ଗୋପାଳ ମୂର୍ତ୍ତିରେ କେଉଁଠି ପିପିଇ କିଟ୍ ଓ କରୋନା କ୍ୟାପ୍ ପିନ୍ଧାଯାଇଛି ତ କେଉଁଠି ସର୍ଜିକାଲ୍ କ୍ୟାପ୍ ଓ ଫେସ୍ ସିଲ୍ଡ ସହିତ କାହ୍ନାକୁ ପ୍ରସ୍ତୁତ କରାଯାଇଛି ।

କାହ୍ନା ମୂର୍ତ୍ତିରେ କପଡା ବ୍ୟତୀତ ଅଲଗା ଅଲଗା ସୁରକ୍ଷାର ସମସ୍ତ ବ୍ୟବସ୍ଥା ଲୋକଙ୍କୁ ଖୁବ୍ ଆକର୍ଷିତ କରୁଛି । କାହ୍ନା ମୂର୍ତ୍ତି ନେବା ପାଇଁ ଆସିଥିବା ଭକ୍ତଙ୍କ କହିବାନୁସାରେ କରୋନାରୁ ରକ୍ଷା ପାଇଁ ଏହି ସନ୍ଦେଶ ଅତି ଉତ୍ତମ ହୋଇଛି ଏବଂ ଏହାଠୁ ଆଉ ଭଲ ମାଧ୍ୟମ କିଛି ହୋଇନପାରେ । ଦୋକାନୀମାନେ ଭଗବାନ କୃଷ୍ଣଙ୍କ ମୂର୍ତ୍ତିରେ ପିପିଇ କିଟ୍, ମାସ୍କ, ସର୍ଜିକାଲ କ୍ୟାପ୍, ଫେସ ସିଲ୍ଡ ଓ କରୋନା କ୍ୟାପରେ ସଜାଯାଇଛି । ଏହାର ଉଦ୍ଦେଶ୍ୟ ଲୋକଙ୍କ ପର୍ଯ୍ୟନ୍ତ ସନ୍ଦେଶ ପହଞ୍ଚାଇବା ।

ଜଣେ ଦୋକାନୀ କୁହନ୍ତି ଭଗବାନଙ୍କ ମୂର୍ତ୍ତି ଜରିଆରେ ସାମାଜିକ ସନ୍ଦେଶ ଦେବା ଭଳି କାମ ସେ ପୂର୍ବରୁ ମଧ୍ୟ କରିସାରିଛନ୍ତି । ଯେମିତି କି ନ୍ୟୁ ମୋଟର ଭେଇକିଲ୍ ଆକ୍ଟ ସମୟରେ ମୂର୍ତ୍ତି ପାଇଁ ସେ ହେଲମେଟ୍ ପ୍ରସ୍ତୁତ କରିଥିଲେ ।